- ନାଟକ “ଅବୁଝା ରାମ କେ ପୁଆଳ ଚୁଟା ରାବଣ” ମଞ୍ଚସ୍ଥ
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତସ୍ଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ମୁଖ୍ୟ ଅତିଥି, ରସରାଜ ଅଚ୍ୟୁତ ପୁରୋହିତ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ଆଲୁମିନି ସଭାପତି ଅନନ୍ତ ବିଶ୍ୱାଳ, ସରପଞ୍ଚ ସୁଶାନ୍ତ ଛତ୍ରିଆ ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଅଭିନୟରେ ବ୍ୟଙ୍ଗ ଓ ସାମାଜିକ ସନ୍ଦେଶ ଭରା ନାଟକ “ଅବୁଝା ରାମ କେ ପୁଆଳ ଚୁଟା ରାବଣ” ସଫଳତାର ସହିତ ମଞ୍ଚସ୍ଥ ହୋଇଥିଲା । ନାଟକଟିର ସଫଳତା ପଛରେ ନିର୍ଦ୍ଦେଶକ ସଂଜୀବ ମିଶ୍ରଙ୍କ ସୁଚିନ୍ତିତ ଓ ସଂଯମିତ ନିର୍ଦ୍ଦେଶନା ମୁଖ୍ୟ ଭୂମିକା ନିଭାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ବୟସ ଓ ମନୋଭାବକୁ ଧ୍ୟାନରେ ରଖି ସେ ଯେପରି ଭାବେ ପାତ୍ର ବିନ୍ୟାସ, ଅଭିନୟ ଶୈଳୀ ଓ ମଞ୍ଚ ଗତିକୁ ସମନ୍ୱୟ କରିଥିଲେ, ସେଥିରେ ଦର୍ଶକମାନେ ଖୁବ ପ୍ରଭାବିତ ହୋଇଥିଲେ । ନାଟକର ନିର୍ଦ୍ଦେଶକ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ଆତ୍ମ ବିଶ୍ୱାସର ସହ ଅଭିନୟ କରି ନାଟକର ସନ୍ଦେଶକୁ ସହଜ ଓ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରିଥିଲେ । ବିଶେଷ କରି ରାମ ଓ ରାବଣ ପାତ୍ରର ଉପସ୍ଥାପନ ଦର୍ଶକ ମାନଙ୍କ ଠାରୁ ଭୁରି ଭୁରି ପ୍ରଶଂସା ସାଉଁଟି ଥିଲା । ନାଟକଟି ମାଧ୍ୟମରେ ସତ୍ୟ, ନୀତି ଓ ସାମାଜିକ ମୂଲ୍ୟବୋଧର ସନ୍ଦେଶ ଛାତ୍ରଛାତ୍ରୀ ମାନଙ୍କ ମନରେ ଗଭୀର ଛାପ ଛାଡିଥିଲା । କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟ ପ୍ରଶାସନ ନାଟକର ନିର୍ଦ୍ଦେଶକ ସଂଜୀବ ମିଶ୍ରଙ୍କ ସମେତ ସମସ୍ତ କଳାକାର ଓ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପ୍ରଧାନ ଧନ୍ୟବାଦ ଦେଇଥିଲେ । ଶିକ୍ଷକ ପଙ୍କଜ ମେହେର, ପ୍ରଦୀପ ଦଣ୍ଡସେନା, ପ୍ରମୋଦ ବିଶ୍ୱାଳ, ସୁଜିତ ଦେହେରୀ, ମୁରାରୀ ପରଡିଆ, ଅଶ୍ୱିନୀ ମହାଲିଙ୍ଗ, ଶିକ୍ଷୟତ୍ରୀ ସୁଷମା ମେହେର, ପ୍ରତିଶା ମିଶ୍ର, ସୁବାସିନୀ ସେଠି, ନୀରୋତ୍ତମା ବିଶ୍ୱାଳ, ରଶ୍ମିତା ବିଶ୍ୱାଳ, ପ୍ରଜ୍ଞା ପରମିତା ଖୁଆସ, ରଶ୍ମିତା ନନ୍ଦ, ନିହାରିକା ପ୍ରଧାନ, ଲିଲି ମହାନନ୍ଦ ସହଯୋଗ କରିଥିଲେ ।