କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ସଞ୍ଚାଳନ ନିମନ୍ତେ ପଞ୍ଚ ଦିବସୀୟ ବ୍ଳକ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଦିଗଦର୍ଶନ ଉପରେ ଆଧାରିତ ପ୍ରବୋଧନ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ତାଲିମ କାର୍ଯ୍ୟକ୍ରମଟି ଜାନୁୟାରୀ ୨୭ ତାରିଖରେ କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ଶିକ୍ଷା ଅଧିକାରୀ ଗୌତମ ପଟେଲ ଓ ବ୍ଲକ ସଂଯୋଜକ ଜ୍ଞାନେନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ମା’ ବାଗଦେବୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରି ଉଦଘାଟନ କରିଥିଲେ । ନୂତନ ଶିକ୍ଷାନୀତି ଅନୁସାରେ ଦକ୍ଷତା ଭିତ୍ତିକ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତି ହୋଇ ସାରିଛି ଯାହାକି ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରେ ବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ହେବ ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଗ୍ରୀମ ତାଲିମ ପ୍ରଦାନ କରାଯାଇଥିଲା । ସାଧନକର୍ମୀ ଅଞ୍ଜନ କୁମାର ସାଏ, ସୁରେଶ କୁମାର ରାଉତ, ଅଞ୍ଜଳି ମାଝୀ ଓଡିଶା ପାଠ୍ୟକ୍ରମ ରୂପରେଖ ଉପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶହେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଉଦଯାପନୀ ଦିବସରେ ବ୍ଲକ ଶିକ୍ଷା ଅଧିକାରୀ ଗୌତମ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା ବେହେରା, ଶୁଭଶ୍ରୀ ଭୋଇ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଅତିଥି ଭାବରେ ଉପସ୍ଥିତ ଥିଲେ।ନୂତନ ପାଠ୍ୟ ପୁସ୍ତକ କିପରି ଛାତ୍ରଛାତ୍ରୀ ମାନଙ୍କ ପାଖରେ ପହଞ୍ଚିବ ଓ ଜାତୀୟ ଶିକ୍ଷାନୀତି ୨୦୨୦ର ଲକ୍ଷ୍ୟ ସାଧିତ ହୋଇପାରିବ ତାହା ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି ଅତିଥିମାନେ ମତ ଦେଇଥିଲେ । ପରିଶେଷରେ ସାଧନକର୍ମୀମାନେ ଓ ତାଲିମଧାରୀ ନିଜ ନିଜର ଅନୁଭୂତି ବିଷୟରେ କହିଥିଲେ ଓ ସମସ୍ତ ତାଲିମ ଗ୍ରହଣକାରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।