ଖୁଟୁଣାପାଣି କପ୍‌ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : ରେଙ୍ଗଟାସିଲ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅନ୍ତର୍ଗତ ଖୁଟୁଣାପାଣି ଖେଳ ପଡିଆ ଠାରେ ଦୁଇ ଦିନ ଧରି ଚାଲିଥିବା ଖୁଟୁଣାପାଣି କପ ଫୁଟବଲ ପ୍ରତିଯୋଗିତା ପାଟଣାଗଡ଼ ବ୍ଲକ ବନେଇମୁଣ୍ଡା ପଞ୍ଚାୟତ ଖୁଟୁଣାପାଣି ଖେଳପଡ଼ିଆ ଠାରେ ଖୁଟୁଣାପାଣି ଫୁଟବଲ କ୍ଲବ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଆଠ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଆଜି ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ଖେଳ ଖେଳି ଘସିଏନ ଏବଂ ରେଙ୍ଗଟାସିଲ ଦଳ ଫାଇନାଲକୁ ପ୍ରବେଶ କରିଥିଲେ । ଉଭୟ ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇ ରେଙ୍ଗଟାସିଲ ଦଳ ଘସିଏନ ଦଳକୁ ଗୋଟିଏ ଗୋଲ ଦେଇ ବିଜୟୀ ହୋଇଥିଲା । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଶ୍ୱାବସୁ ଶବର ସମାଜର ଜିଲ୍ଲା ସଭାପତି ସାରଥୀ ବାଗ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ ଯୋଗଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହ ଆର୍ଥିକ ରାଶିଦେଇ ପୁରସ୍କୃତ କରିଥିଲେ ଏବଂ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅଞ୍ଚଳରେ ଲୁକ୍କାୟିତ ଭାବରେ ବହୁ ପ୍ରତିଭାବାନ ଖେଳାଳୀ ଥିଲେ ସୁଦ୍ଧା ସରକାରୀ ପ୍ରୋତ୍ସାହନ, ସରକାରୀ ଆନ୍ତରିକତା ଅଭାବ ଏବଂ ଭିତ୍ତିଭୂମି ଅଭାବ ହେତୁ ଖେଳ ଓ ଖେଳାଳୀ ମାନଙ୍କର ବିକାଶ ହେଉନାହିଁ ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଥିଲେ । ଆଜିର ଖେଳକୁ ରେଫରୀ ପ୍ରମୋଦ କୁମାର ଭୋଇ ପରିଚାଳନା କରିଥିବାବେଳେ ଲାଇନମ୍ୟାନ ଭାବେ ରାଜୀବ ବାରିକ, ରାକେଶ ଭୋଇ ଏବଂ ଚତୁର୍ଥ ରେଫରୀ ଭାବେ ପୂର୍ବତନ ଭାରତୀୟ ସୁରକ୍ଷା ସେନାନୀ ଯୋଗେଶ୍ୱର ଭୋଇ ଦାୟିତ୍ୱ ତୁଳାଇଥିଲେ । ଆୟୋଜକ କ୍ଲବର ଯତନ ବୁଡ଼େକ, ସୁଦାମ ମେହେର,ଗଣପତି ଭୋଇ, ରାଜେଶ ଭୋଇ, ନରେଶ ଭୋଇ, ରବି ବିଶ୍ୱାଳ, ପୂର୍ଣ୍ଣ ବୁଡ଼େକ, ପିଣ୍ଟୁ ବୁଡ଼େକ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଫାଇନାଲ ଖେଳରେ ଅଞ୍ଚଳର ବହୁସଂଖ୍ୟାରେ ଦର୍ଶକ ଉପସ୍ଥିତ ରହି ଖେଳକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.