- ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ବାରିପଦାର ନାଟକ ‘ଚିଠି’
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଓମ ନାଟ୍ୟ ସଂସ୍ଥାର ରୌପ୍ୟ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ ଉଦଯାପିତ ହୋଇଯାଇଛି । ଶେଷ ସନ୍ଧ୍ୟାରେ ଓମ ନାଟ୍ୟ ସଂସ୍ଥା ପ୍ରଯୋଜିତ ଓଡ଼ିଆ ନାଟକ “ଚିଠି” ମଞ୍ଚସ୍ଥ ହୋଇଯାଇଛି । ପ୍ରଦୀପ ଭୋଳଙ୍କ ମୂଳ ରଚନାକୁ ନାଟ୍ୟ ରୂପାନ୍ତର କରିଥିବା ଡଃ. କୃଷ୍ଣଚନ୍ଦ୍ର ଦାସ ଏବଂ ଧୀର ବଶାଙ୍କ ନିର୍ଦ୍ଦେଶିତ ନାଟକରେ ଧୀର ବଶା, ଜ୍ଞାନ ପଣ୍ଡା, ଅସିତ ଗିରି, ସୁଜୟ ମହାନ୍ତି, ବିଜୟିନୀ ବେହେରା ଓ ଆଦ୍ୟାଶା ସାହୁ ଅଭିନୟ କରିଥିବା ବେଳେ ଆଲୋକରେ ଶ୍ରୀକାନ୍ତ ଚୌଧୁରୀ, ସଂଗୀତରେ ଶକ୍ତିପ୍ରସାଦ ମିଶ୍ର, ମଞ୍ଚସଜ୍ଜାରେ ନରସିଂହ ବାରିକ ଓ ନୃତ୍ୟ ନିର୍ଦ୍ଦେଶନାରେ ଅମିତ ବାରିକ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ, ମୁଖ୍ୟ ବକ୍ତା ଭାବେ ଶିଳ୍ପପତି ତଥା ନାଟ୍ୟ ମହୋତ୍ସବର ପୃଷ୍ଠପୋଷକ ପଦ୍ମଲୋଚନ ମହାନ୍ତି ଓ ଏମ୍ପିସି ଆଲୁମିନି ଏସୋସିଏସନର ସମ୍ପାଦକ ପ୍ରିତିଶ ବଶା ଶେଷ ସନ୍ଧ୍ୟାର ନାଟକର ଉଦଘାଟନ କରିବା ସହ ବାରିପଦାରେ ଜାତୀୟ ନାଟ୍ୟ ମହୋତ୍ସବର ଆୟୋଜନ ସ୍ଥାନୀୟ କରକାରଙ୍କୁ ପ୍ରଭାବିତ କରିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ମଞ୍ଚ ଅଭିନେତ୍ରୀ ଶର୍ମିଷ୍ଠା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସ୍ଥାର ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ମଞ୍ଚ ପରିଚାଳନା କରିଥିବା ବେଳେ ସହ ସଂପାଦକ ରଣଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅଭିନେତାମାନଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଶେଷରେ ଓମ ନାଟ୍ୟ ସଂସ୍ଥା ସହିତ ଜଡିତ ୭୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।