ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ଅନ୍ତର୍ଗତ ପଲ୍ଲୀ ପ୍ରଗତି ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟ ବରିହାପୁଖାପାଣି ଠାରେ ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ୍ ଆସୋସିଏସନ୍ ଓ ଜିଲ୍ଲା ସ୍କୁଲ୍ ସ୍ପୋର୍ଟସ୍ ଆସୋସିଏସନ୍ ଆନୁକୂଲ୍ୟରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଲାଲ ବରିହାଙ୍କ ସଭାପତିତ୍ୱରେ ବରଗଡ଼ ଜିଲ୍ଲାସ୍ତରୀୟ ଦ୍ଵିଦିବସୀୟ ଚେସ୍, ଯୋଗ ଓ ବ୍ୟାଡମିଣ୍ଟନ୍ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜ୍ଞାନ ଶିକ୍ଷା ନିରୀକ୍ଷକ ଧିରୋଜ ପଟ୍ଟନାୟକ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଖେଳାଳିମାନଙ୍କୁ ଉଦବୋଧନ ଦେଇଥିଲେ । ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ରଣା ସ୍ୱାଗତ ଭାଷଣ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଗାଇସିଲାଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧବଳେଶ୍ୱର ବରିହା, ଗାଇସିଲାଟ ବ୍ଲକର ସମସ୍ତ ସି.ଆର୍.ସି.ସି ଏବଂ ବ୍ଲକ କ୍ରୀଡା ସମ୍ପାଦକ ଶ୍ରୀ କଂଗ୍ରେସ ପଧାନ ମଞ୍ଚାସୀନ ଥିଲେ । ଜିଲ୍ଲାର ୧୨ଟି ବ୍ଲକରୁ ୧୮୭ ଜଣ ପ୍ରତିଯୋଗୀ ଓ ୪୫ ଜଣକ୍ରୀଡା ଶିକ୍ଷକମାନେ ଅଫିସିଆଲ୍ ଭାବରେ ଯୋଗଦେଇଥିଲେ । ଶିକ୍ଷକ ନବୀନ ସାହୁଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା । ଗତବର୍ଷ ଜାତୀୟ ଯୋଗ ଚମ୍ପିୟାନସିପ୍ରେ ଓଡିଶାରୁ ଯୋଗଦେଇଥିବା ଜଗଲପାଟ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରଞ୍ଜିତା ଭୁଏଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ବିଜୟୀମାନଙ୍କୁ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଅଫିସିଏଲ ମାନଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା । ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ, ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ, ସି.ଆର.ସି.ସି. ଏବଂ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶେଷରେ ଜିଲ୍ଲା କ୍ରୀଡା ଶିକ୍ଷା ନିରୀକ୍ଷକ ଜ୍ୟୋତିଷ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।