ଜୟପାଟଣା, (ଶେଷଦେବ ବେହେରା) : ଆନନ୍ଦ, ଉଲ୍ଲାସ ମଧ୍ୟରେ ସମସ୍ତଙ୍କୁ ଆପଣାର କରିନେଇ, ଆସନ୍ତା ୨୦୨୫ରେ ହେବାକୁ ଥିବା ଶିଶୁ ମହୋତ୍ସବ ସରଗିଫୁଲ ନିଉତା ଦେଇ ଚାଲିଯାଇଛି । ଗଲାବେଳେ ଛାଡିଦେଇଗଲା, ତାର ମହକ, ଗୁଣ, ଗାରିମା, ଐତିହ୍ୟ, କଳା, ସଂସ୍କୃତି, ସଂସ୍କାର, ଶିକ୍ଷା, ଦୀକ୍ଷା, ଏବଂ କହିଗଲା, ଏହିସବୁ ମନ୍ତ୍ରକୁ ଆପଣେଇ ନିଜର ଭବିଷ୍ୟତ ଗଠନ କରିବାର ମୂଳଲକ୍ଷ୍ୟ ରଖ । ଆଗାମୀ ବର୍ଷକୁ ପୁଣିଥରେ ଆସି ତୁମ ମାନଙ୍କୁ ପରଖି ନେବି । ଆଉ ନୂଆ ସନ୍ଦେଶ ଦେଇ ଅନୁସୂଚିତଜାତି ଓ ଅନୁସୂଚିଜନଜାତି ଉନ୍ନୟନ ବିଭାଗ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି । ଏହା କହିଯାଇଛି ୨୦୨୪ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସରଗିଫୁଲ’ । ଯାହାକି, ୧୫ତମ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ, କଳାହାଣ୍ଡି ଅନୁସୂଚିତଜନଜାତି ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଥିବା ‘ସରଗିଫୁଲ’ ମହୋତ୍ସବରେ ଦେଖିବାକୁ ମିଳିଛି । ଜିଲ୍ଲାର ୪୮ ଗୋଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ନିଜର ଶିକ୍ଷା, ଦୀକ୍ଷା, ଯୋଗ, ବ୍ୟାୟାମ, ସହ ଅନ୍ତର୍ନିହିତ କଳାକୁ ବିଭିନ୍ନ ଢଙ୍ଗରେ ପ୍ରଦର୍ଶିତ କରି ନିଜ ମାଟି ମା’ର ଗର୍ବ ଗୌରବକୁ ଉଜ୍ଜୀବିତ କରିବାର ସଫଳ ପ୍ରୟାସ ଜାରି ରଖିଥିଲେ । ତତ୍ସହ, ଉନ୍ନତମାନର କଳାକୃତି ପ୍ରଦର୍ଶନ କରି ୨୮ ଗୋଟି ଷ୍ଟଲ୍ ଜରିଆରେ ବିଭିନ୍ନ ପ୍ରକାର ବିଜ୍ଞାନ ପ୍ରୟୋଗଶାଳା, ଭଲିବଲ, ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମାନ ଉଦାହରଣ ସାଜିଥିଲା । ଏହି ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର କୃତୀ ଉପଯୋଗୀମାନେ ରାଜ୍ୟସ୍ତରରେ ସ୍ଥାନ ପାଇବାର ସୁଯୋଗ ଥିବାରୁ ପ୍ରତ୍ୟେକ ପ୍ରତିଯୋଗୀମାନେ ସୁଯୋଗ ହାତଛଡା ନ କରିବାକୁ ଭରପୁର ପ୍ରୟାସ ଜାରି ରଖିଥିଲେ । ଏଥିନିମନ୍ତେ ସ୍ୱତନ୍ତ୍ର ଭାବେ ହରିଶ୍ଚନ୍ଦ୍ର ମୁଣ୍ଡ, ପ୍ରଦୀପ ଧଙ୍ଗଡ଼ା ମାଝୀ, କ୍ଷୀରସିନ୍ଧୁ ନାଏକ, ପ୍ରଦୀପ ସରାବୁ, ତୀର୍ଥରାଜ ଦଳପତି, ସମୀର କୁମାର ବେହେରାଙ୍କୁ ବିଚାରକ ଦାୟିତ୍ୱ ଅର୍ପଣ କରାଯାଇଥିଲା । ବିଚାରକ ମାନଙ୍କ ଦ୍ୱାରା ମୂଲ୍ୟାଙ୍କନ ଅନୁଯାୟୀ କୃତୀ ଉପଯୋଗୀ ଚୟନ ହୋଇଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ମହୋତ୍ସବ ଆଗରୁ ଉପସ୍ଥିତ ରହି ଯାବତୀୟ ବିଷୟ ଉପରେ ଧ୍ୟାନ ରଖିଥିଲେ । ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡାଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ପ୍ରତ୍ୟେକ କାର୍ଯ୍ୟ ସୁପରିଚାଳନା ହୋଇଥିଲା । ପ୍ରତ୍ୟେକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଖେଳପ୍ରଶିକ୍ଷକ ମାନେ ନିଜନିଜ ଛାତ୍ରଛାତ୍ରୀ ମାନଙ୍କୁ ନିଜ ତତ୍ତ୍ୱାବଧାନରେ ରଖି ପ୍ରତିଯୋଗିତା ମାନଙ୍କରେ ସାମିଲ କରାଉଥିଲେ । ପ୍ରଥମ ପର୍ଯ୍ୟାୟ ଶିବିର ସଭା, ପ୍ରକଳ୍ପ ପ୍ରଶାସକ ସମ୍ୱନ୍ୱିତ ଆଦିବାସୀ ସଂସ୍ଥା ଥୁଆମୂଳ ରାମପୁର ତଥା ସରଗିଫୁଲ ଆୟୋଜକ କମିଟିର ଅଧ୍ୟକ୍ଷ ରାମକୃଷ୍ଣ ଗଣ୍ଡଙ୍କ ସଭାପତିତ୍ୱରେ ଶିକ୍ଷା ନିରୀକ୍ଷକ ବିଦ୍ୟାଳୟ ସମୂହ କଳାହାଣ୍ଡି କମଳାକାନ୍ତ ପ୍ରହରାଜ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥିଭାବେ ଜିଲ୍ଲାମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜୟପାଟଣା ବ୍ଲକ ଆଦିବାସୀ ସଂଘ ସଭାପତି ମନୋଜପାତ୍ର, ପଂଚାୟତ ସମିତି ଉପାଧ୍ୟକ୍ଷା ଜାନକୀ ବାଣୁଆ, ଜିଲ୍ଲା ପରିଷଦ ସଭ୍ୟ ଅଙ୍ଗଦ ମାଝୀ, ଖଲିଆ ଭଟା ସରପଞ୍ଚ ଶ୍ରୀମତୀ ମାଝୀ, ମଧୁପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ, ଖଲିଆଭଟା ଏସ୍. ଏସ୍. ଡି. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା, ଜିଲ୍ଲା ଶିକ୍ଷା ନିରୀକ୍ଷକ କଳାହାଣ୍ଡି ନୂଆପଡା ଉଦୟସିଂହ ମାଝୀ ଯୋଗଦେଇ ଗଣେଶ ଭଗବାନଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା ପରେ ‘ସରଗିଫୁଲ’ ମହୋତ୍ସବର ଶୁଭଉଦ୍ଘାଟନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟ ମନୋରଞ୍ଜନ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଡେପୁଟି କମିଶନର ମତ୍ସ୍ୟ ଓ ପଶୁପାଳନ ବିଭାଗ ଭାରତ ସରକାର ଡ. ବାସୁଦେବ ସୁନାନୀ, ସମ୍ମାନିତ ଅତିଥି ଭାବେ ଗଙ୍ଗାଧର ମାଝୀ ଅବସରପ୍ରାପ୍ତ ଅବକାରୀ କମିଶନର ଛତିଶ ଗଡ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରେମନାରାୟଣ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ ଯୋଶୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଉତ୍ସାହିତ କରିଥିଲେ । ଶେଷ ପର୍ଯ୍ୟାୟ ଉତ୍ସବ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସମାଜସେବୀ ଜଗନ୍ନାଥ ମାଝୀ, ସମ୍ମାନିୟ ଅତିଥି ଭାବେ ଏ. ଡି. ଡବ୍ଲୁ. ଦିଲ୍ଲୀପ କୁମାର ସାମନ୍ତରାୟ, ପ୍ରଧାନ ଶିକ୍ଷକ ଉମାଶଙ୍କର ପଣ୍ଡା, ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ପରିଚାଳନା କମିଟି ସଭାପତି ଧର୍ମେନ୍ଦ୍ର ମାଝୀ, ଯୋଗ ଦେଇଥିଲେ । ୨ ଦିନ ଧରି ଆନନ୍ଦ, ଉଲ୍ଲାସ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ଶାନ୍ତି ଶୃଙ୍ଖଳାର ସହ ‘ସରଗିଫୁଲ’ ଉତ୍ସବ ପାଳନ କରିଥିବା ହେତୁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଖେଳ ପ୍ରଶିକ୍ଷକ ମାନଙ୍କୁ ଅତିଥିମାନେ ସାଧୁବାଦ ଜଣେଇ ଥିଲେ । ପ୍ରଶାନ୍ତ କୁମାର ପଣ୍ଡା ଏବଂ ସଂଜୀବ କୁମାର ପଣ୍ଡା ସମସ୍ତ କାର୍ଯ୍ୟକ୍ରମ ଶିବିର ମାନଙ୍କର ମଞ୍ଚପରିଚାଳନା, ଅତିଥିପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ ।