ମୁରିବାହାଲ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସୋମବାର ମୁରିବାହାଲ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଉଦ୍‌ଯାପିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ମୁରିବାହାଲ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଏଥିରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମୀ, ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଭୋଇ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସେହିପରି ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ସୁରଭି କାର୍ଯ୍ୟକ୍ରମରେ ସମଗ୍ର ବ୍ଲକ ଅଞ୍ଚଳର ସମସ୍ତ କ୍ଲଷ୍ଟରରୁ ୨୮୮ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୭୨ ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ବିବେଚିତ ହୋଇଥିବା ଛାତ୍ରଛାତ୍ରୀମାନେ ବଲାଙ୍ଗିର ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଏହି ସୁରଭି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କ୍ଲଷ୍ଟରର ସିଆର୍‌ସିସି, ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ସହକାରୀ ଶିକ୍ଷକ ଲିଳୁମୋହନ ପଧାନ କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.