
- ବାଳକ ବିଭାଗରେ ବଲାଙ୍ଗିର ଓ ବାଳିକା ବିଭାଗରେ ଟିଟିଲାଗଡ ବ୍ଲକ ଦଳ ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତସ୍ଥିତ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ତିନି ଦିନ ଧରି ଚାଲିଥିବା ୧୭ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବିଭାଗର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ବାଳକ ବିଭାଗରେ ବଲାଙ୍ଗିର ବ୍ଲକ ଦଳ ଚମ୍ପିୟାନ ଓ ଲୋଇସିଂହା ବ୍ଲକ ଦଳ ରନର୍ସ ଅପ୍ ତଥା ବାଳିକା ବିଭାଗରେ ଟିଟିଲାଗଡ ବ୍ଲକ ଦଳ ଚମ୍ପିୟାନ ଓ ଦେଓଗାଁ ବ୍ଲକ ଦଳ ରନର୍ସ ଅପ୍ ଆଖ୍ୟା ଅର୍ଜନ କରିଛି । ପ୍ରତିଯୋଗିତାରେ ବାଳକ ବିଭାଗର ଶ୍ରେଷ୍ଠ ଖେଳାଳି ଭାବେ ବଲାଙ୍ଗିର ଦଳର ଗଗନ କୁମାର ବାଗ ଓ ବାଳିକା ବିଭାଗର ଶ୍ରେଷ୍ଠ ଖେଳାଳୀ ଭାବେ ଟିଟିଲାଗଡ ଦଳର ଆରତୀ ମାଝୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ସମାରୋହରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ଅନୁପସ୍ଥିତିରେ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି, ଲେବଡ଼ା ସରପଞ୍ଚ ଦମୟନ୍ତୀ ହାତୀ,ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡମ୍ବରୁଧର ମାଝୀ ଓ ବ୍ଲକ ଖେଳ ଶିକ୍ଷକ ସଂଘ ସମ୍ପାଦକ କୁବେରଲାଲ ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବରିଷ୍ଠ ଖେଳ ଶିକ୍ଷକ ହେମନ୍ତ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ରିପୋର୍ଟ ଉପସ୍ଥାପନ କରିଥିଲେ । ଅତିଥିମାନେ ଚମ୍ପିୟାନ ଓ ରନର୍ସ ଅପ୍ ଦଳକୁ ପୁରସ୍କୃତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା କ୍ରୀଡା ପତାକା ଅବତରଣ ଓ ପ୍ରତିଯୋଗିତା ସମାପ୍ତି ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗିତାରେ ସମଗ୍ର ଜିଲ୍ଲାର ୧୪ଟି ବ୍ଲକରୁ ବାଳକ ବିଭାଗରେ ୧୪ଟି ଦଳ ପାଇଁ ୨୧୦ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ । ସେହିପରି ବାଳିକା ବିଭାଗରେ ୯ଟି ବ୍ଲକରୁ ୯ଟି ଦଳ ପାଇଁ ୧୩୫ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ମୋଟ ୨୬ଜଣ କ୍ରୀଡ଼ା ଶିକ୍ଷକ ଏହି ଜିଲ୍ଲାସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ପରିଚାଳନା କରିଥିଲେ । ଏହି ଜିଲ୍ଲାସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆୟୋଜନରେ ମୁରିବାହାଲ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଜିଲ୍ଲା ତଥା ବ୍ଲକର ସମସ୍ତ ଖେଳ ଶିକ୍ଷକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ଓ ଲେବଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ତୋଷକୁମାର ସାହୁ ଧନ୍ୟବାଦ ଦେଇଥିଲେ ।
