- ଭୀମପାହାଡ ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବ – ସାଂସଦ ମୁନ୍ନା ଖାନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀଠାରେ ଚାଲିଥିବା ୯ମ ଭୀମପାହାଡ ମହୋତ୍ସବ ଶନିବାର ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି । ଭୀମପାହାଡ ମହୋତ୍ସବ ଏହି ଅଞ୍ଚଳର କଳା, ସଂସ୍କୃତିକୁ ଉଜ୍ଜୀବିତ କରିବା ସହିତ ଏହି ଅଞ୍ଚଳର ସାମାଜିକ ଓ ଅର୍ଥନୀତିର ବିକାଶରେ ସହାୟକ ହେଉଛି । ଭୀମଡୁଙ୍ଗୁରୀ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ୯ କୋଟିରୁ ଅଧିର୍କ ଟଙ୍କାର ଅନୁଦାନ ଦେଲେଣି । ଏବେ ମହୋତ୍ସବ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଦେଇଛନ୍ତି । ମହୋତ୍ସବ ମଣ୍ଡପ ପାଇଁ ଯାହା ଅନୁଦାନ ତାହା ରାଜ୍ୟସଭା ଲାଡପାଣ୍ଠିରୁ ଦିଆଯିବ ଓ ଆଗାମୀ ଦିନରେ ଭୀମପାହାଡ ଅଞ୍ଚଳର ସାମଗ୍ରୀକ ବିକାଶ କରାଯିବ ବୋଲି ଉଦ୍ଯାପନୀ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ରାଜ୍ୟସଭା ସାଂସଦ ମୁନ୍ନା ଖାନ କହିଛନ୍ତି । ମହୋତ୍ସବ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ଆବାହକତ୍ୱ ଓ କମିଟିର ସଭାପତି ପ୍ରମୋଦ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ସଭାରେ ସାମ୍ମାନିତ ଅତିଥି ଭାବରେ ଯୁବନେତା ମନ୍ମଥବିଜୟ ସିଂଦେଓ ଯୋଗଦେଇ ମୁଖ୍ୟମନ୍ତ୍ରୀ ଭୀମପାହାଡ ପର୍ଯ୍ୟଟନସ୍ଥଳୀକୁ ସ୍ୱତନ୍ତ୍ର ଧ୍ୟାନ ଦେଉଥିବାରୁ ଧନ୍ୟବାଦ ଜଣାଇଥିଲେ । ଏହି ପର୍ଯ୍ୟଟନସ୍ଥଳୀ ଏତେ ସୁନ୍ଦର ହୋଇଛି ଯେ, ଥରେ ନୁହେଁ ଅନେକଥର ଏଠିକି ଆସିବାକୁ ମନହେଉଛି ବୋଲି କହି ଏହି ଅଞ୍ଚଳର ଲୋକଙ୍କୁ ଧରି ବିକାଶ କାମ ଆଗେଇ ନିଆଯିବ ବୋଲି ଶ୍ରୀ ସିଂଦେଓ କହିଥିଲେ । ପ୍ରମୋଦ ବହିଦାର ଭୀମଡୁଙ୍ଗୁରୀ ଉପରେ ସମ୍ୟକ ସୂଚନା ଦେବା ସହିତ ଅତିଥି ପରିଚୟ ଦେଇଥିଲେ । କମିଟିର ସଂପାଦକ ଗୋବର୍ଦ୍ଧନ ସାହୁ, ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରତିଦିନ ଭଳି ଉଦ୍ଯାପନୀ ସଂଧ୍ୟାରେ ମଧ୍ୟ ରବିନ୍ଦ୍ର ସାହୁ ଓ ସାଥୀଙ୍କ ଦ୍ୱାରା ଅଭିନିତ ରାବଣ ଦରବାର ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଶେଷ ସଂଧ୍ୟାରେ ସହିଦ ଧରମସିଂ ମାଝୀ ମାନଧାତାଙ୍କ ବଂଶଧର ମାକରଚୁଆଁର ବନବିହାରୀ ମାଝୀ, ଆଦର୍ଶ ଶିକ୍ଷକ ବରକାନୀର ଅଭୟପ୍ରସାଦ ତ୍ରୀପାଠୀ, ତରଭାର ଚୁଡାଖାଇ ମହୋତ୍ସବ କମିଟି ଓ ତୁଷୁରାର ଡ. ଲଳାଟେନ୍ଦୁ ନାୟକଙ୍କୁ ଭୀମପାହାଡ ସମ୍ମାନରେ ସମ୍ମାନିତ କରାଯାଇଥିଲା । ରାବଣ ଦରବାର ସହିତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତୁଷୁରାର କୃଷ୍ଣପ୍ରିୟାକଳା ପରିଷଦର ସାନବଡ ଓ ସାଥୀଙ୍କ ଘୁଡୁକା ନାଚ, ପଶ୍ଚିମବଙ୍ଗ ପୁରୁଲିଆର ଦଳଗତ ନୃତ୍ୟ, ଭାଲେରର ସମ୍ବଳେଶ୍ୱରୀ କଳାପରିଷଦର ସମ୍ବଲପୁରୀ ନୃତ୍ୟ,ବଲାଙ୍ଗିରର ଖୁସୀ ଡ୍ୟାନ୍ସଗ୍ରୁପ, ପୁରୀ ବ୍ରହ୍ମଗିରିର ଗୋଟିପୁଅନାଚ, ଝାରଖଣ୍ଡ ଷଢେଇକଳାର କଳାକାରଙ୍କ ଝୁମେର ନୃତ୍ୟ ଖୁବ୍ ଉଚ୍ଚକୋଟିର ପ୍ରଦର୍ଶିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ କବି ଅର୍ଜୁନ ସାହୁ ଓ ମାନସୀ ସାହୁ ସଂଯୋଜନା କରିଥିଲେ । ଗତ ୪ ଦିନ ଧରି ଚାଲିଥିବା ଭୀମପାହାଡ ମହୋତ୍ସବରେ ଦେଓଗାଁ, ପୁଇଁତଳା, ଗୁଡଭେଲା, ବଲାଙ୍ଗିର ସଦର ବ୍ଲକ ଓ ବଲାଙ୍ଗିର ସହରର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ମୁଖ୍ୟତଃ ଲୋକମାନେ ମହୋତ୍ସବ ଦେଖିବା ସହିତ ଭୀମପାହାଡ ପର୍ଯ୍ୟଟନସ୍ଥଳୀରେ ବୁଲିବା ଓ ବୋଟିଂ କରିବାର ମଜା ନେଉଥିବା ଦେଖାଯାଇଥିଲା ।