ସେଞ୍ଚୁରିଅନ ବିଦ୍ୟାଳୟରେ ଗ୍ରୀଷ୍ମ ଶିବିର – ୨୦୨୩ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସେଞ୍ଚୁରିଅନ ବିଦ୍ୟାଳୟରେ ଗତ ସାତ ଦିନ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇଯାଇଛି । ଗତ ୦୫.୦୫.୨୦୨୩ରେ ଏହା ବିଦ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଶିବିରର ଉଦ୍ଦେଶ୍ୟ ଥିଲା, ପିଲାମାନଙ୍କୁ ମନୋରଞ୍ଜନ ସହିତ ବିଭିନ୍ନ ପ୍ରକାରର କଳା ଓ କୌଶଳର ଶିକ୍ଷା ଦେବା । ଏହି କ୍ରମରେ ପିଲାମାନଙ୍କୁ ଯୋଗାଭ୍ୟାସ, ନୃତ୍ୟ, ବିଭିନ୍ନ ହସ୍ତକଳା ଯେପରି ଜ୍ୱେଲେରୀ ମେକିଙ୍ଗ, ଟଏ ମେକିଙ୍ଗ, ରନ୍ଧନ କଳା, ନାଟ୍ୟକଳା, ଡକ୍ୟୁମେଣ୍ଟାରି ମେକିଙ୍ଗ, ବ୍ଲଙ୍ଗିଙ୍ଗ୍‌, ଏନିମେସନ ୱାର୍କ, ପରିସୃଜନାତ୍ମକ କଳା ଓ କୌଶଳର ତାଲିମ ପ୍ରଦାନ କରାଯାଇଥିଲା । ଶିବିରରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଆଜି ଉଦ୍‌ଯାପନୀ ସମାରୋହଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା । ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ, ଯୁକ୍ତ ୨ ସିଏଚ୍‌ଏସ୍‌ଇ (ବିଜ୍ଞାନ)ର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ ଏବଂ ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଉପସ୍ଥିତ ରହି ପିଲାମାନଙ୍କର ମାର୍ଗ ଦର୍ଶନ ସହିତ କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଛାତ୍ରଛାତ୍ରୀଙ୍କ ଦ୍ୱାରା ହୋଇଥିଲା । ଛାତ୍ରଛାତ୍ରୀମାନେ ନିଜର ଅଭିଜ୍ଞତା ସମସ୍ତଙ୍କୁ ବର୍ଣ୍ଣନା କରି କହିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟ ଓ ନାଟକ ପରିବେଷିତ ହୋଇଥିଲା । ଶେଷରେ ଅନୁଷ୍ଠାନର ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରିଥିଲେ । ବିଦ୍ୟାଳୟର ଏପରି ଅଭିନବ ପ୍ରୟାସ ଯାହା ପାଠପଢା ସହିତ କଳା ଓ କୌଶଳର ଶିକ୍ଷା (ମନୋରଞ୍ଜନ) ସହିତ ଅଭିଭାବକ ଓ ଅଭିଭାବିକାଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି ଏବଂ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.