ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାଣିଜ୍ୟ ବିଭାଗର ୪୭ତମ ବାର୍ଷିକ ଉତ୍ସବ ‘କମ୍ଔରା -୨୦୨୩’ ଉଦ୍‌ଯାପିତ

  • ଚାଟାର୍ଡ ଆାକାଉଣ୍ଟାଣ୍ଟ ଭଗବାନ ପାଢ଼ୀଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ପୁରୁଷ ସମ୍ମାନ ଏବଂ ଡାକ୍ତର ପି. ଭାରତୀଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ମହିଳା ସମ୍ମାନରେ ସମ୍ମାନିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ବାଣିଜ୍ୟ ବିଭାଗର ୪୭ତମ ବାର୍ଷିକ ଉତ୍ସବ ‘କମ୍ଔରା -୨୦୨୩’ ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବ ଅପ୍ରିଲ ୧୮ ଓ ୧୯ ତାରିଖ ଦୁଇ ଦିନଧରି ସମାହିତ ହୋଇଥିଲା । ପାରମ୍ପରିକ ଭାବେ ତଥା ଆନୁଷ୍ଠାନିକ ଭାବେ କୁଳସଙ୍ଗୀତ ଗାନ ଓ ଦୀପାଗ୍ନି ସଂଯୋଗିକରଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିଲା । ପ୍ରଥମ ଦିବସରେ ଆନୁଷ୍ଠାନିକ ସଭାରେ ବିଭାଗର ପୂର୍ବତନ ଅଧ୍ୟାପକ ପ୍ରଫେସର ପ୍ରକାଶ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବାଣିଜ୍ୟ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଗଙ୍ଗା ପ୍ରସାଦପଣ୍ଡା ସ୍ମାରକୀ ସମ୍ବିଳିତ ବକ୍ତୃତା ଦେଇଥିଲେ । ପରେ ବିଭାଗର ପୂର୍ବତନ ଅଧ୍ୟାପକ ପ୍ରଫେସର ରୁଦ୍ର ପ୍ରସନ୍ନ ମହାପାତ୍ର, ପ୍ରଫେସର ଗୌରୀଶଙ୍କର ଲାଲ୍ ଏବଂ ବାଣିଜ୍ୟ ବିଭାଗର ପ୍ରମୁଖ ଲବ୍ଧ ପ୍ରତିଷ୍ଠ ବକ୍ତାଗଣ ସ୍ୱର୍ଗତ ଅଧ୍ୟାପକ ଗଙ୍ଗା ପ୍ରସାଦ ପଣ୍ଡାଙ୍କ ସୁସ୍ଥ ଜୀବନଶୈଳୀ, କାର୍ଯ୍ୟ ଦକ୍ଷତା ଏବଂ ଏହି ବିଭାଗ ପ୍ରତି ଥିବା ତାଙ୍କର ବଳିଷ୍ଠ ଅବଦାନ ଏବଂ ବ୍ୟକ୍ତିଗତ ଓ ସାମାଜିକ ଜୀବନ ସ୍ତରର ଯେପରି ଜଣେ ସୁନ୍ଦର ହୃଦୟର ମଣିଷଟିଏ ଥିଲେ, ସେ ସମ୍ପର୍କରେ ବକ୍ତାମାନେ ଆଲୋକପାତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଯଥା ବିଜିନେସ କୁଇଜ୍, ବିଜ୍ ସ୍ପାର୍କ, ଆଡ୍ ମ୍ୟାଡ ସୋ’, ଜଷ୍ଟ ଏ ମିନିଟ୍, ମ୍ୟାନେଜମେଣ୍ଟ ରେସ୍ ଇତ୍ୟାଦିରେ ବାଣିଜ୍ୟ ବୈଷୟିକ ବିଭାଗର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ମାନପତ୍ର ସହ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ।

ଦ୍ଵିତୀୟ ଦିବସ ପ୍ରାରମ୍ଭରେ ପ୍ରଫେସର ପ୍ରମୋଦ କୁମାର ସାହୁ ସ୍ମାରକୀ ବକ୍ତୃତାର ଆୟୋଜନ କରାଯାଇଥିଲା । ଭୁବନେଶ୍ୱର ସ୍ଥିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍ ମ୍ୟାନେଜର ଆର୍. ନିଗମ ମିଶ୍ର ଯୋଗଦେଇ ସ୍ମାରକୀ ବକ୍ତୃତା ରଖିଥିଲେ । ବିଭାଗର ପୂର୍ବତନ ଅଧ୍ୟାପକ, ପ୍ରଫେସର ସାହୁଙ୍କର ପରିବାର ବର୍ଗ ମଧ୍ୟ ଯୋଗଦେଇ ଶ୍ରୀ ସାହୁଙ୍କ ଜୀବନ ଉପରେ ଆଲୋକପାତ କରିଥିଲେ ଏବଂ ଏହାପରେ ଉଦ୍‌ଯାପନୀ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ନାତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି, ଏମ୍‌ସିଏଲ୍‌ର ମ୍ୟାନେଜର ପ୍ରଦୀପ କୁମାର ସାହୁ ଯୋଗ ଦେଇଥିଲେ ।

ଏହି ଭବ୍ୟ ସମାରୋହରେ ଚାଟାର୍ଡ ଆାକାଉଣ୍ଟାଣ୍ଟ ଭଗବାନ ପାଢ଼ୀଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ପୁରୁଷ ସମ୍ମାନ ଓ ଡାକ୍ତର ପି. ଭାରତୀଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ମହିଳା ସମ୍ମାନରେ ସମ୍ମାନିତ କରାଯାଇଛି । ସଭାରେ ବାଣିଜ୍ୟ ବିଭାଗର ସମ୍ବାଦପତ୍ର ଓ ଏକ ସଂକଳନ ପୁସ୍ତକର ଉନ୍ମୋଚନ ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ହୋଇଥିଲା । ସଭା ଶେଷରେ ବିଭାଗର କୃତି ଛାତ୍ରଛାତ୍ରୀଙ୍କୁ ତଥା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ଏହି ଉତ୍ସବ ବିଭାଗର ସଂଯୋଜକ ଡାକ୍ତର ମହେଶ୍ୱର ସେଠୀଙ୍କ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା ଏବଂ ବିଭାଗର ଶିକ୍ଷକ ଡାକ୍ତର ବି. ଭେଙ୍କଟେଶ୍ୱର ରାଓ, ଶକ୍ତିରଞ୍ଜନ ଦାଶ, ଚନ୍ଦ୍ରିକା ପ୍ରସାଦ ଦାସ ଓ ଅଣ-ଶିକ୍ଷକ କର୍ମଚାରୀ ବୃନ୍ଦ ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Leave A Reply

Your email address will not be published.