ଘେଁସରେ ମେଲନ୍‌ ମେସନ୍‌ -୨୦୨୩ ଉଦ୍‌ଯାପିତ

  • ରାଜସ୍ଥାନର ଅନୁବାଦକ ଦୀନେଶ ମାଲିଙ୍କ ସମେତ ୬ ପ୍ରତୀଭା ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂପ୍ରତି ସମ୍ବଲପୁରୀ/କୋଶଲି ଭାଷାର ସ୍ୱୀକୃତି ପାଇଁ ଏକତ୍ରିତ ହୋଇ କାମ କରିବା ହିଁ ବର୍ତ୍ତମାନ ସମୟର ଆହ୍ୱାନ ଅଟେ । ଭାଷା, ସାହିତ୍ୟ ସ୍ୱୀକୃତିର ମୂଲ୍ୟାଙ୍କନରେ ସମବେତ ମାନସିକତା ଅପରିହର୍ଯ୍ୟ ଅଟେ ବୋଲି ରବିବାର ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦର ମେଲନ୍‌ ମେସନ୍‌ – ୨୦୨୩ ଉତ୍ସବରେ ମତପ୍ରକାଶ ପାଇଥିଲା । ସାହିତ୍ୟ ସଂସଦ ସଭାପତି ସୁଶାନ୍ତ ମିଶ୍ରଙ୍କ ପୌରାହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ, ସ୍ୱତନ୍ତ୍ର ଅତିଥି ଭାବରେ ପଦ୍ମଶ୍ରୀ ହଲଧର ନାଗ, ସମ୍ମାନିତ ଅତିଥି କବି ଦିବ୍ୟକିଶୋର ଦେବତା, ମୁଖ୍ୟ ବକ୍ତା ବିଶିଷ୍ଟ ଶିକ୍ଷାବିଦ୍‌ ସୁଜିତ କୁମାର ପୃଷେଠ ଯୋଗଦାନ କରି ଭାଷା, ସାହିତ୍ୟର ମହାସଂଗ୍ରାମରେ ମେଲନ୍‌ ମେସନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଅବତାରଣା କରିଥିଲେ । ପ୍ରାରମ୍ଭରେ ସଂସଦର ବରିଷ୍ଠ ସଦସ୍ୟ ଅଶୋକ ପୁଜାହାରୀ ଉଦ୍ଦେଶ୍ୟ ଜ୍ଞାପନ ଓ ପରିଚୟ ପ୍ରଦାନ କରିଥିଲେ । ୨୦୨୨ ବର୍ଷ ପାଇଁ ରାଜସ୍ଥାନର ବିଶିଷ୍ଟ ଅନୁବାଦକ ଦୀନେଶ କୁମାର ମାଲିଙ୍କୁ ଅଭିମନ୍ୟୁ ସମ୍ମାନ, ଅତାବିରାରୁ ରାଜେଶ କୁମାର ଅଗ୍ରୱାଲଙ୍କୁ ଆଲୋଚନା, ଭଟଲିରୁ ଚୂଡାମଣି ରଥଙ୍କୁ ନାଟକ, ବରଗଡରୁ ପ୍ରବାସିନୀ ହୋତାଙ୍କୁ କଥାନି, ସୋହେଲାରୁ ମୁନିରାମ କୁମ୍ଭାର ଓ ଧର୍ମରାଜ ମଲ୍ଲିକଙ୍କୁ କବିତା ବିଭାଗ ପାଇଁ ବଉଲ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂସଦର ମୂଖପତ୍ର ‘ବଉଲ’ ପତ୍ରିକା ସମେତ ବିଭିନ୍ନ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହାପରେ ଡ. ସୁବାସ ମେହେରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ସାହିତ୍ୟିକ ଉତ୍ପନ୍ନ ଭୋଇ, ମୋହନ ସିଂହ କହ୍ନେଇ, ଟେକଚାନ୍ଦ ଦୁଆନ, ଆୟୁଷ୍ମନ୍ତ ଷଡଙ୍ଗୀ, କୁଂଜବିହାରୀ ସରାଫ, ଦିଲ୍ଲୀପ କୁମାର ଦେବତା ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ଯୁବକବି ଆଶୁତୋଷ ମହାପାତ୍ର ଓ ଧର୍ମେନ୍ଦ୍ର ଚୌହାନ କବିତା ସଂଯୋଜନା କରିଥିଲେ । କୈଲାସ ରାଜହଂସ, ତୁଲସୀ ବାରିକ, ସ୍ୱାଧୀନ ଭୋଇ, ସୁଦାମା ବାରିକ ପ୍ରମୁଖ ମାନପତ୍ର ପାଠ କରିଥିଲେ । ଅଭିମନ୍ୟୁ ସାହିତ୍ୟ ସଂସଦ, ସତ୍‌ସଂଗ ଗୋଷ୍ଠୀ ପ୍ରଭୃତିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାହିତ୍ୟ ସଂସଦ ସଂପାଦକ ଶୋଭାଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.