ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଫୁଡ଼୍‌ ଫେଷ୍ଟିଭାଲ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ସଂସ୍କୃତିରେ ଶିକ୍ଷା ସମୃଦ୍ଧିର ପରିଚାୟକ ଅଟେ । ଏହି କ୍ରମରେ ସମସ୍ତ ପ୍ରକାର ବିଷୟ ମଣିଷର ଉନ୍ନତି ପାଇଁ ଆବଶ୍ୟକ ଅଟେ । ଭାରତୀୟ ଶିକ୍ଷା ପଦ୍ଧତିରେ ପ୍ରାଚୀନ କାଳରୁ ରନ୍ଧନ ବିଦ୍ୟା ଅନ୍ତର୍ଭୁକ୍ତ ହୋଇ ରହିଛି । ଏହାକୁ ଏକ କଳା ଭାବରେ ଗ୍ରହଣ କରାଯାଇଛି । ସମ୍ପ୍ରତି ବିଶ୍ୱରେ ରନ୍ଧନ କଳାର ରୁଚି ଓ ଆଦର ବଢିଛି । ଏହା ଏକ ଜୀବିକା ଭାବରେ ଆଦୃତ ହୋଇ ପାରିଛି । ଆଜିକାର ଯୁବ ସମାଜ ମଧ୍ୟରେ ଏହି କଳାର ଉନ୍ନତି ଏବଂ ଉଦ୍ୟୋକ୍ତା ହେବା ପାଇଁ ପ୍ରାରମ୍ଭିକ ପ୍ରୟାସ କରିବା ଆଭିମୁଖ୍ୟ ନେଇ ଗତକାଲି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏକ ଖାଦ୍ୟ ମେଳା ବା ଫୁଡ୍‌ ଫେଷ୍ଟିଭାଲର ଆୟୋଜନ କରିଥିଲେ । ଉତ୍ସବଟିର ଉଦ୍‌ଘାଟନ ବଲାଙ୍ଗିର ସ୍ଥିତ ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ସୁରେଶ କୁମାର ଏକନାଥ କରିଥିଲେ । ହୋଟେଲ ମ୍ୟାନେଜମେଣ୍ଟ କ୍ଷେତ୍ରରେ ଅନେକ ଅଦ୍ଭୁତପୂର୍ବ ଉପଲବ୍ଧି ସେ ହାସଲ କରିଛନ୍ତି । ବାଉଁଶରୁ ପ୍ରସ୍ତୁତ କରଡ଼ିରୁ ୧୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ କରି ସେ ଗିନିଜ ୱାର୍ଲଡ୍‌ ରେକର୍ଡରେ ସେ ରେକର୍ଡ ସୃଷ୍ଟି କରିପାରିଛନ୍ତି । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଶ୍ରୀମତୀ ପୁଣ୍ୟତୋୟା ବିଶ୍ୱାଳ, ସିଏଚ୍‌ଏସ୍‌ଇ (ବିଜ୍ଞାନ)ର ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନା ପାଇଁ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଅନୁଷ୍ଠାନର ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଓ ଅନୁଷ୍ଠାନର ଅଧ୍ୟାପିକା ଭକ୍ତି ପଢ଼ାରିଆ କରିଥିଲେ । ଉତ୍ସବରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉତ୍ସବରେ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଯୋଗଦାନ କରି ନିଜର ଅନ୍ତର୍ନିହିତ କଳାର ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ଷ୍ଟଲ୍‌ ଗୁଡିକୁ ଅତି ସୁନ୍ଦର ଭାବରେ ସଜାଇଥିଲେ । କାର୍ଯ୍ୟକ୍ରମରେ ୩୫ରୁ ଅଧିକ ଷ୍ଟଲ୍‌ ଉଦ୍‌ଘାଟିତ ହୋଇ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଷ୍ଟଲ୍‌ ଗୁଡିକରେ ପ୍ରଦର୍ଶିତ ଖାଦ୍ୟ ସାମଗ୍ରୀ ଗୁଡିକର ପ୍ରସ୍ତୁତି ଓ ଉପସ୍ଥାପନା ଶୈଳୀ ଅଭିଭାବକ, ଅଭିଭାବିକା ଏବଂ ଅତିଥିମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ବିଦ୍ୟାଳୟର ଏପରି ଅଭିନବ ପ୍ରୟାସକୁ ସହରର ସବୁ ବର୍ଗର ଲୋକ ପସନ୍ଦ କରିଛନ୍ତି ଏବଂ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି ।

Leave A Reply

Your email address will not be published.