ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

• ଗଜପତି ଦଳକୁ ହରାଇ କନ୍ଧମାଳ ଦଳ ଚାମ୍ପିୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଷ୍ଟାଡିୟମ ପରିସରରେ ସନରାଇଜ ସ୍ପୋର୍ଟସ୍ କ୍ଲବ ପକ୍ଷରୁ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ଆନ୍ତଃଜିଲ୍ଲା ଭଲିବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ଗଜପତି ଦଳ ସହ ରାଣ୍ଡମ(କନ୍ଧମାଳ) ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଦଳକୁ ହରାଇ ରାଣ୍ଡମ(କନ୍ଧମାଳ) ଦଳ ବିଜୟୀ ହାସଲ କରିଥିଲା । ଉଦଯାପନୀ ସାମାରୋହରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଦଳ ଓ ଉପବିଜେତା ଦଳକୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ବିଜେତା ଚାମ୍ପିୟନ ଦଳକୁ ବଡ଼ ଟ୍ରଫି ସହ ୧୯ ହଜାର ୯୯୯ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳକୁ ଟ୍ରଫି ସହ ୧୧ ହଜାର ୧୧୧ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ପ୍ରେସ କ୍ଲବର ସଭାପତି ପ୍ରଶାନ୍ତ କୁମାର ମହାରଣା, ଯୁବ ବିଜେଡି ଜିଲ୍ଲା ଉପସଭାପତି ଅକ୍ଷୟ ସ୍ୱାଇଁ, କ୍ରୀଡାବିତ୍ ପୂର୍ଣ୍ଣ ଚନ୍ଦ୍ର ବେହେରା, ଅବସରପ୍ରାପ୍ତ ସେକ୍ସନ ଅଫିସର ପ୍ରଶାନ୍ତ କୁମାର ଶତପଥି, ସି.ଏଚ. ଜନାର୍ଦ୍ଧନ ରେଡ୍ଡୀ, ସନରାଇଜ ସ୍ପୋର୍ଟସ କ୍ଲବର ସଭାପତି ଏଲ.ଶ୍ରୀନିବାସ ରାଓ, ସମ୍ପାଦକ ରଜନୀକାନ୍ତ ପଟ୍ଟନାୟକ, କୋଷାଧ୍ୟକ୍ଷ ଲକ୍ଷ୍ମୀନାରାୟଣ ପାତ୍ର, ଏନ.ନରେଶ କୁମାର ପାତ୍ର, ବି.କୃଷ୍ଣମୂର୍ତ୍ତି, ଶ୍ରୀନୁ ପଟ୍ଟନାୟକ, ସମୀର ପଟ୍ଟନାୟକଙ୍କ ସମେତ କ୍ଲବର ସମସ୍ତ ସଦସ୍ୟମାନେ ଯୋଗ ଦେଇଥିଲେ । ରେଫରି ଭାବେ ଏନ. ନରେଶ କୁମାର ଦୋରା ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ମୋହନ ଓ ଭୁଜଙ୍ଗ ରାଓ ଏବଂ ଲାଇନମ୍ୟାନ ଭାବେ ରାଜେଶ ଓ ପୂର୍ଣ୍ଣ ଦାୟିତ୍ୱ ତୁଳାଇଥିଲେ । ସେହିପରି ଉଦ୍‌ଘୋଷକ ଜି. ଜୟରାମ ରେଡ୍ଡୀ ସୁନ୍ଦର ଭାବେ ସ୍ୱର, ଶବ୍ଦ ଉପସ୍ଥାପନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସନରାଇଜ ସ୍ପୋର୍ଟସ୍ କ୍ଲବର ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଜିଲ୍ଲା ଓ ଜିଲ୍ଲା ବାହାରୁ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ଦିବସର ଫାଇନାଲ ମ୍ୟାଚ୍‌ରେ ଗଜପତି ଦଳର ବାଦଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମ୍ୟାନ ଅଫ ଦି ଟୁର୍ଣ୍ଣାର୍ମେଣ୍ଟ ଭାବେ ରାଣ୍ଡମ(କନ୍ଧମାଳ) ଦଳର କିରୁଙ୍କୁ ମିଳିଥିଲା । ବେଷ୍ଟ ଦର୍ଶକ ଭାବେ ଦିନେଶ ପାତ୍ର, ବେଷ୍ଟ ନେଟର ଭାବେ ଗଜପତି ଦଳର ଦିପୁ, ବେଷ୍ଟ ନେଟର ଭାବେ ଗଜପତି ଜିଲ୍ଲାର ମୋହନା ଦଳର ଉଜ୍ୱଳ ଏବଂ ବେଷ୍ଟ ଦଳ ଭାବେ କାରଗିଲ ଦଳଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.