ତେଲେଙ୍ଗାନାରୁ ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାର ୧୫ ଜଣ ଶ୍ରମିକ ଉଦ୍ଧାର

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତେଲେଙ୍ଗାନାରୁ ୧୫ ଜଣ ଶ୍ରମିକଙ୍କୁ ସୁବର୍ଣ୍ଣପୁର ପୁଲିସ୍ ଉଦ୍ଧାର କରିଥିବା ନେଇ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ସଭାଗୃହ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୨୦୨୫ ମସିହା ନଭେମ୍ବର ମାସରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ନାଗପାଲି ଗ୍ରାମର ଦେବାର୍ଚ୍ଚନ ମେଘାନି ଓ ୬ ଜଣ ବ୍ୟକ୍ତି ଏବଂ ବଲାଙ୍ଗିର ଜିଲ୍ଲାର ଲୋଇସିଂହା ଥାନାର ଫାସଡ ଗ୍ରାମର ସୁଦାମ ଦାସ ଓ ଅନ୍ୟ ୭ ଜଣ ବ୍ୟକ୍ତି ତେଲେଙ୍ଗାନା ରାଜ୍ୟର ମଞ୍ଚେରିଆଲ ଅଞ୍ଚଳକୁ ଇଟା କାରଖାନାରେ କାମ କରିବା ପାଇଁ ଯାଇଥିଲେ । ସେଠାରେ ଇଟା ଭାଟିରେ କାମ କରିବା ସମୟରେ ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ନ ମିଳିବା ଓ ବିଭିନ୍ନ ଅତ୍ୟାଚାର ଦିଆଯାଉଥିବା ଦର୍ଶାଇ ଉକ୍ତ ବ୍ୟକ୍ତି ମାନେ କୁଞ୍ଜ ଭାରତୀଙ୍କ ତରଫରୁ ମାନ୍ୟବର ହାଇକୋର୍ଟ ଓଡିଶାଙ୍କ ଦ୍ଵାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟ ଡବ୍ଲୁପି (ସି)ନଂ ୩୫୩୮, ୨୦୨୬ ଅନୁସାରେ ସେମାନଙ୍କୁ ଉଦ୍ଧାର ଓ ଉପଯୁକ୍ତ ପଦକ୍ଷେପ ନେବାକୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲା ପୋଲିସର ଆଇଏଏଚ୍‌ଟିୟୁସେଲ୍‌ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ମିଶି ସେଠାରେ ଫଶୀ ରହିଥିବା ଲୋକମାନଙ୍କ ସହ ଯୋଗାଯୋଗ କରିଥିଲେ । ତେଲେଙ୍ଗାନା ରାଜ୍ୟରେ ଅବସ୍ଥିତ ଓଡିଶା ସରକାରଙ୍କ ଯୋଗାଯୋଗ ଅଫିସରଙ୍କ ସହାୟତାରେ ଫସି ରହିଥିବା ଲୋକମାନେ କାମ କରୁଥିବା ସ୍ଥାନକୁ ଠାବ କରି ତାଙ୍କୁ ସେହି ଇଟା କାରଖାନାରୁ ଉଦ୍ଧାର କରଯାଇଥିଲା । ୨୭/୦୨/୨୦୨୬ ରେ ସମସ୍ତ ୧୫ ଜଣଙ୍କୁ ଉଦ୍ଧାର କରାଯାଇ ଟ୍ରେନ୍ ଯୋଗେ ସୁବର୍ଣ୍ଣପୁରକୁ ଅଣାଯାଇଛି । ସମସ୍ତ ଲୋକମାନଙ୍କୁ ଜିଲ୍ଲା ଶ୍ରମ ଅଧିକାରୀ ସୁବର୍ଣ୍ଣପୁର, ଜିଲ୍ଲା ଶ୍ରମ ଅଧିକାରୀ ବଲାଙ୍ଗିର ଏବଂ ଉଭୟ ଜିଲ୍ଲାର ପୋଲିସ ବିଭାଗର ଅଫିସରଙ୍କ ସମ୍ମୁଖରେ ସେମାନଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେମାନଙ୍କ ଅଭିଯୋଗ ଆଧାରରେ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏସପି ନାରାୟଣ ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.