ନୂଆପଡ଼ାର ନିଖୋଜ ଦାଦନ ଶ୍ରମିକଙ୍କ ଗଳିତ ମୃତଦେହ ଉଦ୍ଧାର

  • ଘଟଣାର ୩ ମାସ ପରେ ଜେଲଗଲା ଦାଦନ ସର୍ଦ୍ଦାର ପ୍ରଶାନ୍ତ ଚନ୍ଦନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପେଟପାଟଣା ପାଇଁ ଗତ ସେପ୍ଟେମ୍ବର ମାସରେ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିବା ଭଳି ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା । ଦାଦନ ପ୍ରବଣ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ପୁଣି ଜଣେ ଶ୍ରମିକ କାର୍ଯ୍ୟସ୍ଥଳରୁ ନିଖୋଜ ହେବା ଓ ଘଟଣାର କିଛି ଦିନ ପରେ ତାଙ୍କ ଗଳିତ ମୃତଦେହ ଏକ ପୋଖରୀରୁ ମିଳିଥିବା ବେଳେ ନିଖୋଜ ଶ୍ରମିକଙ୍କୁ ବିଭତ୍ସ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ହତ୍ୟାର ଶିକାର ନିଖୋଜ ଦାଦନ ଶ୍ରମିକ ଥିଲେ, ମୁରିବାହାଲ ଥାନା ଚଳକୀ ପଞ୍ଚାୟତ ନୂଆଁପଡ଼ା ଗ୍ରାମର ନେପାଳ ପଟ୍ଟନାୟକ(୨୭)। ଏହି ହତ୍ୟା ଘଟଣାର ଦୀର୍ଘ ୩ ମାସ ପରେ ମୁଖ୍ୟ ଅଭିଯୁକ୍ତ ଦାଦନ ସର୍ଦ୍ଦାର ପ୍ରଶାନ୍ତ ଚନ୍ଦନଙ୍କୁ ମଙ୍ଗଳବାର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ମୃତ ନେପାଳଙ୍କ ଗଳିତ ମୃତଦେହକୁ ତେଲେଙ୍ଗାନା ରାଜ୍ୟ ମେହେବୁବ୍ ନଗର ପୁଲିସ ଏକ ପୋଖରୀରୁ ଜାଲ ଲାଗିଥିବା ଅବସ୍ଥାରେ ଉଦ୍ଧାର କରିଥିଲା ବେଳେ ଶବ ଫୁଲିଯାଇ ପଚିସଢ଼ି ଯାଇଥିଲା । ମୁରିବାହାଲ ଥାନା ଚଳକୀ ପଞ୍ଚାୟତ ନୂଆଁପଡ଼ା ଗ୍ରାମର ବବିତା ପଟ୍ଟନାୟକ (୨୫) ତାଙ୍କ ସ୍ଵାମୀ ନେପାଳ ପଟ୍ଟନାୟକ (୨୭)ଙ୍କୁ ଗତ ୦୫/୦୯/୨୫ ରିଖ ଦିନ ପାଖ ଜଇଁତରା ଗ୍ରାମର ଦାଦନ ସର୍ଦ୍ଦାର ପ୍ରଶାନ୍ତ ଚନ୍ଦନ ତେଲେଙ୍ଗାନା ରାଜ୍ୟ ମେହବୁବ୍ ନଗରର ଏକ ଇଟାଭାଟିକୁ ଦାଦନ ଶ୍ରମିକ ଭାବେ ଚାଲାଣ କରିଥିବା ଅଭିଯୋଗ କରିଥିଲେ । ନେପାଳଙ୍କ ସହିତ ବାନ୍ଦୁପଳା, ନୂଆଁମୁଣ୍ଡା ଗ୍ରାମର ମଦନ ପ୍ରଧାନୀ, ଖୁଜେନପାଲି ଗ୍ରାମର ଅକୃର ବଗର୍ତ୍ତି ଓ ପାଟଣାଗଡ ଥାନା ତାଳପଦର ଗ୍ରାମର ସଖୀଲାଲ ଜାଲ ମଧ୍ୟ ଏକା ସାଙ୍ଗରେ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ମୃତ ନେପାଳ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ । ସମସ୍ତେ ମିଶି କାମ କରୁଥିବା ବେଳେ ହଠାତ୍ ଗତ ୨୮/୦୯/୨୫ ଦିନ ନେପାଳ ନିଖୋଜ ହୋଇଯାଇଥିଲେ । ତାଙ୍କ ସାଥୀରେ ଯାଇଥିବା ଅନ୍ୟ ଶ୍ରମିକମାନେ ବହୁ ଖୋଜାଖୋଜି କରି ନ ପାଇବାରୁ ସ୍ଥାନୀୟ ଥାନାରେ ଏକ ନିଖୋଜ ଏତଲା ମଧ୍ୟ ଦେଇଥିଲେ । ଏକ ପୋଖରୀରୁ ନେପାଳଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା ଜାଣିବା ପରେ ସ୍ତ୍ରୀ ବବିତା, ମା’ ସିନ୍ଧୁସୂତା ଓ ଭାଇ ପପୁନ ଥାନାକୁ ଆସି ଦାଦନ ସର୍ଦ୍ଦାର ପ୍ରଶାନ୍ତ ଚନ୍ଦନ ଓ ଅନ୍ୟ ୩ ଜଣ ଶ୍ରମିକ ନେପାଳଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକରି ପୋଖରୀକୁ ଫିଙ୍ଗି ଦେଇଥିବା ଲିଖିତ ଅଭିଯୋଗ କରିଥିଲେ । ମୃତ ନେପାଳଙ୍କ ଏକ ତିନି ବର୍ଷର ଝିଅ ଥିବା ବେଳେ ସେ ବାପଛେଉଣ୍ଡ ହୋଇ ବାପାଙ୍କୁ ସବୁବେଳେ ଖୋଜୁଛି । ମୃତକଙ୍କ ପରିବାର ହତ୍ୟାକାରୀ ଦାଦନ ସର୍ଦ୍ଦାର ଓ ସାଙ୍ଗରେ ଯାଇଥିବା ଅନ୍ୟ ତିନିଜଣ ଶ୍ରମିକଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଥାନା ପୁଲିସ ସମେତ ଏସପିଙ୍କ ନିକଟରେ ଦୀର୍ଘ ୩ ମାସ ଧରି ଲଗାତାର ଦୃଢ଼ ଦାବି କରି ଆସୁଥିଲେ । ଏବେ କେବଳ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ସାଥୀ ଶ୍ରମିକଙ୍କୁ ମଧ୍ୟ ଶୀଘ୍ର ଗିରଫ କରିବାକୁ ମୃତକଙ୍କ ଭାଇ ପପୁନ ପଟ୍ଟନାୟକ ଦାବି କରିଛନ୍ତି । ନିଖୋଜ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗରେ ଦାଦନ ସର୍ଦାର ପ୍ରଶାନ୍ତ ଚନ୍ଦନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ନୂତନ ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.