jayashree

ଗୋପାଳପୁର ବନ୍ଦର ପକ୍ଷରୁ ଡୁବୁରୀ ଛକଠାରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଶାଖା ଅଧୀନରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟସେବା ଓ ପରୀକ୍ଷଣ କେନ୍ଦ୍ର ସ୍ଥାନୀୟ କଣମଣା ପଞ୍ଚାୟତର ଡୁବୁରୀ ଛକଠାରେ ଉଦ୍‌ଘାଟନ ହୋଇଯାଇଛି । ଗୋପାଳପୁର ବନ୍ଦରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.ଜେ. ରାଓ ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରଟିକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟ କୁମାର ମିଶ୍ର, ଉପସଭାପତି (ମାନବ ସମ୍ବଳ ଓ ଶିଳ୍ପ ସମ୍ପର୍କ) ଗୋପାଳପୁର ବନ୍ଦର, ଚିତରଞ୍ଜନ ବାହିନୀପତି, ଏଭିପି (ମାନବ ସମ୍ବଳ ଶିଳ୍ପ ସମ୍ପର୍କ) ଏବଂ ସ୍ଥାନୀୟ ଗ୍ରାମବାସୀ, ବୁଦ୍ଧିଜୀବୀ ଓ ବନ୍ଦର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଗୋପାଳପୁର ବନ୍ଦରର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭି.ଜେ. ରାଓ କହିଥିଲେ ଯେ, ବନ୍ଦରର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ଗୋପାଳପୁର ବନ୍ଦର ସର୍ବଦା ବଦ୍ଧପରିକର । ଅଜୟ କୁମାର ମିଶ୍ର, ଉପସଭାପତି(ମାନବ ସମ୍ବଳ ଶିଳ୍ପ ସମ୍ପର୍କ) କହିଥିଲେ ଯେ, ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସବୁ ବୟସ ବର୍ଗର ଲୋକେ ଉପକୃତ ହେବେ । ଏହି ସୁବିଧାର ସଦ୍‌ଉପଯୋଗ କରିବା ପାଇଁ ଶ୍ରୀ ମିଶ୍ର ସ୍ଥାନୀୟ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି ସ୍ୱାସ୍ଥ୍ୟସେବା ଉପକ୍ରମରେ ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞ, ଶିଶୁ ରୋଗ ବିଶେଷଜ୍ଞ ଏବଂ ସାଧାରଣ ଚିକିତ୍ସକ ବିଭାଗର ଦକ୍ଷ- ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗର ନିରୂପଣ ପରୀକ୍ଷା ଓ ପରାମର୍ଶ ଇତ୍ୟାଦି ବିନା ମୂଲ୍ୟରେ ଜନସାଧାରଣମାନେ ପାଇପାରିବେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗୋପାଳପୁର ବନ୍ଦର ଏହାର କର୍ପୋରେଟ ଦାୟିତ୍ୱବୋଧ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ବନ୍ଦର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ନେଇଛି । ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଭିତ୍ତିଭୂମିର ବିକାଶ ଆଧାରିତ ଏକାଧିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ।

Leave A Reply

Your email address will not be published.