ଜିଲ୍ଲା ମହୋତ୍ସବ ଯତରା – ୨୦୨୬ ଉଦଘାଟିତ

  • ରଙ୍ଗାରଙ୍ଗ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଉଦଘାଟିତ ହୋଇଯାଇଛି ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ଯତରା – ୨୦୨୬ । ସ୍ଥାନୀୟ ଯତରା ପଡ଼ିଆ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ଉପ ବାଚସ୍ପତି, ଓଡ଼ିଶା ବିଧାନସଭା ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ନାୟକ, ବିଧାୟକ, ସଦର ଯୋଗେଶ କୁମାର ସିଂ, ସଦର ସୁନ୍ଦରଗଡ଼ର ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ସଭାପତିତ୍ୱ କରିଥିଲେ । ଜିଲ୍ଲାପାଳ ଶ୍ରୀ ମହାପାତ୍ର ଯତରାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଏବଂ ସୁଭଦ୍ରା ଶକ୍ତି ମେଳା ଉପରେ ସୂଚନା ଦେଇଥିଲେ ଏବଂ ଏହି ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଓରାମ ଏହି ଅବସରରେ ଯତରାରେ କିଭଳି ଅଧିକରୁ ଅଧିକ କଳାକାରମାନଙ୍କ ସମାଗମ ହେବ ତାହା ଉପରେ ନିଜ ବକ୍ତବ୍ୟ ରଖି ଥିଲେ । ସେହିପରି ଶିଳ୍ପୀ, କାରିଗରମାନଙ୍କ ଦ୍ଵାରା ଉଦଯାଦିତ ସାମଗ୍ରୀ, ଉପକରଣ ଆଦିର ବଜାର ବ୍ୟବସ୍ଥା ଉପରେ ନିଜର ବକ୍ତବ୍ୟ ରଖିଥିଲେ ଏବଂ ଭୋକାଲ ଫୋର୍ ଲୋକାଲ ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ଉଦଘାଟନୀ ଉତ୍ସବରେ ବିଭିନ୍ନ ଦଳ ଦ୍ଵାରା କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସେହିଭଳି ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଋକୁ ସୁନା, ଅନ୍ତରା ଚକ୍ରବର୍ତ୍ତୀ ଓ ବର୍ଣ୍ଣାଲି ହୋତାଙ୍କ ଦ୍ଵାରା ତାରକା ରାତ୍ରି ଅନୁଷ୍ଠିତ ହୋଇଥିଲା । ସେହିଭଳି ସକାଳେ ସମଲେଇ ମନ୍ଦିରଠାରୁ ଯତରା ପଡ଼ିଆ ପର୍ଯ୍ୟନ୍ତ ସାଂସ୍କୃତିକ ଶୋଭାଯାତ୍ରା ମାଧ୍ୟମରେ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ମଶାଲ ଶୋଭାଯାତ୍ରାକୁ ବିଭିନ୍ନ ଛକମାନଙ୍କରେ ଜିଲ୍ଲାର ବିଭିନ୍ନ ସଂଗଠନ, ଅନୁଷ୍ଠାନ ମାନଙ୍କ ଦ୍ଵାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସାଂସଦ ସୁନ୍ଦରଗଡ଼ ଜୁଏଲ ଓରାମ, ଉପ ବାଚସ୍ପତି, ଓଡ଼ିଶା ବିଧାନସଭା ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା, ସମସ୍ତ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ସଂପୃକ୍ତ ବ୍ଲକର କଳାକାର, ସୁନ୍ଦରଗଡ଼ ପୌରାଞ୍ଚଳର କଳାକାର, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି ଏହା ପୂର୍ବରୁ ସମସ୍ତ ୧୭ ଗୋଟି ବ୍ଲକରେ ବ୍ଲକ ସ୍ତରୀୟ ଯତରା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ସେଥିରେ ଉତ୍ତମ ପ୍ରଦର୍ଶନ କରିଥିବା କଳାକାର ମାନେ ଏହି ଯତରା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.