୧୬ ତମ ରାଜ୍ୟସ୍ତରୀୟ ଉତ୍ତାଲଗଡ ନାଟତ୍ସୋବ ଉଦଘାଟିତ

  • ନାଟକ ସମାଜକୁ ପ୍ରଭାବିତ କରିଥାଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମାଜରେ ଘଟୁଥିବା ଘଟଣାଗୁଡ଼ିକ ନାଟକ ମାଧ୍ୟମରେ ଅଧିକ ପ୍ରଭାବ ସୃଷ୍ଟି କରିଥାଏ । ତେଣୁ ସମସ୍ତ ବିଦ୍ୱେଷଠାରୁ ଉର୍ଦ୍ଧରେ ରହି ସମାଜ ଗଠନ ପାଇଁ ନାଟକ ଚେତନା ସୃଷ୍ଟିକରିବାର ଆବଶ୍ୟକ‌ତା ରହିଛି ବୋଲି ବିଜେପୁର ବ୍ଲକ ତାଲପଦର ଗ୍ରାମରେ ଆୟୋଜିତ ଉତ୍ତାଲଗଡ଼ ନାଟ୍ୟ ମହୋତ୍ସବରେ ଅତିଥିବୃନ୍ଦ ମତପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଂଯୋଜକ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଆବାହକତ୍ଵ ତଥା ଅନୁଷ୍ଠାନର ସଭାପତି ହୃଦମଣି ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହକୁ ମୁଖ୍ୟ ଅତିଥି ବିଧାୟକ ସନତ ଗଡ଼ତିଆ ବରେଣ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ ପୂର୍ବକ ମାଁ ସମଲେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା ପୂର୍ବକ ମହୋତ୍ସବର ଶୁଭ ଉଦ୍‌ଘାଟନ କରିଥିଲେ । ସଂପାଦକ ସୁଶାନ୍ତ ରଂଜନ ପଧାନ ବିବରଣୀ ପଠନ କରିଥିଲେ । ବରିଷ୍ଠ ସଦସ୍ୟ ଗଜାନନ ସାହୁ ଓ ବିବେକାନନ୍ଦ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଢ଼ଲିଆ ଖୁସା ବରଗଡର କଳାକାରମାନେ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ । ଏହାପରେ ନାଟ୍ୟକାର ଅତିଶ କୁମାର ଶତପଥିଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ଫେର ସେ ଶ୍ରବଣ”କୁ ପରିବେଷଣ କରିଥିଲେ ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁରର କଳାକାର ମାନେ । ସେଦିନ ଶ୍ରବଣ କୁମାର ବାପା ମା’ଙ୍କ ପାଇଁ ସମର୍ପିତ ଥିଲେ । କିନ୍ତୁ ଆଜିକାଲି ବାପା ମା’ଙ୍କ ଭାବନାକୁ ବୁଝିବା ପାଇଁ ପୁଅ ଝିଅଙ୍କ ପାଖରେ ସମୟ ନାହିଁ । ପଳାୟନ କରୁଥିବା ଟ୍ରେନକୁ ଦେଖି ନୀରବ ପଡି ରହିଥିବା ପ୍ଲାଟଫର୍ମ ଭଳି ବାପା ମା’ଙ୍କ କରୁଣ ଚିତ୍ରକୁ ବିଭିନ୍ନ ଦୃଶ୍ୟ ପଟ ମାଧ୍ୟମରେ କଳାକାରମାନେ ପରିବେଷଣ କରିଥିଲେ । ସେହିପରି ବୁଦ୍ଧଦେବ ମେହେର ମହାବିଦ୍ୟାଳୟ ଦହିତାର ଛାତ୍ରଛାତ୍ରୀମାନେ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ନୂଆଁ ଖାଇର ଭାବ”କୁ ମାର୍ମିକ ଭାବରେ ପରିବେଷଣ କରିଥିଲେ । ମା’ ମାଟି, ସଂସ୍କୃତିର ଅସଲ ରକ୍ଷକ ହେଉଛି ଜଣେ କୃଷକ । ପରିବାରକୁ ସଜାଡ଼ିବା ପାଇଁ ଜଣେ କୃଷକଙ୍କ ନିଃସ୍ଵାର୍ଥ ସମର୍ପଣ ଓ କୃଷି ପର୍ବର ନିଆରା ଦର୍ଶନର ନିଖୁଣ ପାରିବାରିକ କାହାଣୀ ଦର୍ଶକଙ୍କ ଆଖିରେ ଲୁହ ଆଣିଥିଲା । ସେହିପରି ନାଟ୍ୟକାର ଅଶୋକ ବହିଦାର ଓ ଡ.ତୁଷାର କାନ୍ତ ସାହୁଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ “ବୁକା”କୁ ଡ୍ରାମା ଚେତନାର କଳାକାରମାନେ ପରିବେଷଣ କରିଥିଲେ । ମଣିଷ ନିଜର ସ୍ୱାର୍ଥପାଇଁ ଭଗବାନଙ୍କୁ ବି ଲୋଭ ଦେଖାଇ ବଳି ଦେଇଥାଏ । ମାତ୍ର ନିଜ ସ୍ୱାର୍ଥରେ ବାଧା ସୃଷ୍ଟି ହେଲେ ସୃଷ୍ଟିକର୍ତ୍ତାଙ୍କୁ ବି ଠକିବାକୁ ଉଦ୍ୟମ କରିଥାଏ । ହାସ୍ୟରସାତ୍ମକ ଓ ବ୍ୟଙ୍ଗ ବିଦ୍ରୁପ ଭରା ଭିନ୍ନ ସ୍ଵାଦର ଏହି ନାଟକକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଅନୁଷ୍ଠାନର ସଭାପତି, ସଂପାଦକଙ୍କ ସମେତ କମିଟିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.