ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ

  • କ୍ରୀଡା ଉତ୍ସବ : ପ୍ରତିଭାର ମଞ୍ଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମିନି ଷ୍ଟାଡିୟମ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇ, ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଯାଜ୍ଞସିନୀ ମହାପାତ୍ର, ସୋମନାଞ୍ଜଳି ସାହୁ, ରଶ୍ମିତା ଦାଶ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଭୋଇ ନିଜ ବକ୍ତବ୍ୟରେ ଛାତ୍ର ଜୀବନରେ କ୍ରୀଡାର ଅମୂଲ୍ୟ ଭୂମିକା ରହିଛି ବୋଲି କହିବା ସହ ଏହି କ୍ରୀଡା ଉତ୍ସବ ଶିଷ୍ଟାଚାର ଓ ସଫଳତାର ପଥ ବୋଲି କହିଥିଲେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ପାତ୍ର ନିଜ ବକ୍ତବ୍ୟରେ ଏହି କ୍ରୀଡା ଉତ୍ସବକୁ ପ୍ରତିଭାର ମଞ୍ଚ ବୋଲି କହିବା ସହ ଏହି ଉତ୍ସବ ଶିକ୍ଷା ସହ ସ୍ୱାସ୍ଥ୍ୟର ସମନ୍ୱୟ ବୋଲି କହିଥିଲେ । ସଭା ପୂର୍ବରୁ ସକାଳ ୮ଘଣ୍ଟା ସମୟରେ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଦିପ୍ତିମୟୀ ବେହେରା ଓ ଶିକ୍ଷକ ସୁରେଶ ବାରିକଙ୍କ ନେତୃତ୍ୱରେ ବିଦ୍ୟାଳୟରୁ ନଗର ପରିକ୍ରମା କରି ସ୍ଥାନୀୟ ପାଟଣେଶ୍ୱରୀ ମନ୍ଦିରରୁ ମଶାଳ ଶୋଭାଯାତ୍ରା ବାହାରିଥିଲା । କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ବେହେରା ବାର୍ଷିକ ବିବରଣୀ ପଠନ ସହ ଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁରେଶ ବାରିକ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ସବିତା ମିଶ୍ର । ଏହି କ୍ରୀଡା ଉତ୍ସବରେ ଦୌଡ, ସଟଫୁଟ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ମ୍ୟୁଜିକ ଚେୟାର, ସ୍ଲୋ ସାଇକେଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.