- ସୁପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡାଙ୍କ ଗୀତରେ ବିମୋହିତ ହେଲେ ଦର୍ଶକ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ, ସୁନ୍ଦର ସବୁଜିମା ପରିବେଶରେ ଭରପୂର ସୁନାପୁର ବେଳାଭୂମି ମହୋତ୍ସବ ମଙ୍ଗଳବାର ସଂଧ୍ୟାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସ ସନ୍ଧ୍ୟାରେ ସୁପ୍ରସିଦ୍ଧ ଗାୟିକା ଅସୀମା ପଣ୍ଡାଙ୍କ ଗୀତରେ ଦର୍ଶକ ବିମୋହିତ ହେଲେ, ଝୁମିଲେ ଓ ନାଚିଲେ । ଚିକିଟି ନିର୍ବାଚନ ମଣ୍ଡଳୀର ହୃତ ଗୌରବକୁ ଫେରେଇ ଆଣିବା ପାଇଁ ମହାଆଡମ୍ବରରେ ଆରମ୍ଭ ହୋଇଛି ସୁନାପୁର ବେଳାଭୂମି ମହୋତ୍ସବ । ଉଦ୍ଘାଟନୀ ସଭାରେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପଞ୍ଚମାତୃକାଙ୍କୁ ପ୍ରଣତି ଜଣାଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସୁନାପୁର ବେଳାଭୂମି ସମେତ ଗଞ୍ଜାମ ଜିଲ୍ଲାର ଅନ୍ୟ ସମସ୍ତ ବେଳାଭୂମି ଗୁଡିକର ସୌନ୍ଦର୍ଯ୍ୟ ତାଙ୍କୁ ବାଲ୍ୟକାଳରୁ ଏବେ ସୁଦ୍ଧା ଅଭିଭୂତ କରିଆସିଛି ବୋଲି ସେ କହିଥିଲେ । ଓଡିଶାବାସୀଙ୍କ ଧମନୀରେ କଳା ଓ ସଂସ୍କୃତି ପ୍ରବାହିତ ହୋଇ ଆସିଛି, ସର୍ବୋପରି ଗଞ୍ଜାମ ଜିଲ୍ଲାବାସୀଙ୍କ ଧମନୀରେ ସଂସ୍କୃତିର ପ୍ରବାହ ସବୁଠୁ ଅଧିକ ପ୍ରବାହିତ ହୋଇଥାଏ ବୋଲି କହିଛନ୍ତି । କେବଳ କଳା ସଂସ୍କୃତି ନୁହେଁ ସ୍ୱାଧୀନତା ସଂଗ୍ରାମ ଠାରୁ ଭାଷା ସାହିତ୍ୟ ସଂସ୍କୃତି ଆନ୍ଦୋଳନ ଆଦି ସମସ୍ତ କ୍ଷେତ୍ରରେ ଗଞ୍ଜାମ ଅଗ୍ରଣୀ ସ୍ଥାନରେ ରହିଛି । ଏ ମାଟିକୁ ଆସିଲେ ମୋତେ ବହୁତ ଗର୍ବିତ ଅନୁଭବ ହୁଏ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରକାଶ କରିଥିଲେ । ଏ ବର୍ଷର କେନ୍ଦ୍ର ବଜେଟରେ ଓଡିଶାର ବେଳାଭୂମିର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦିଆଯାଇଛି । ଗଞ୍ଜାମରେ ପ୍ରାୟ ୧ଶହ କିମିରୁ ଉର୍ଦ୍ଧ୍ୱ ବେଳାଭୂମି ରହିଛି । ତେଣୁ ଇକୋ-ଟ୍ରୁିଜିମ ସହିତ ମେଡିକାଲ ଟ୍ରୁିଜିମକୁ ପ୍ରାଧାନ୍ୟ ଦେବା ସହ ଆମକୁ ଆମ ଲୋକକଳା ଓ ଲୋକ ସଙ୍ଗୀତକୁ ଯଥେଷ୍ଟ ଭଲ ପାଇବା ଦେବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ । ପରିବେଶ ସୁରକ୍ଷା ସହିତ ପର୍ଯ୍ୟଟନର ସମୃଦ୍ଧି ମିଶିଗଲେ ୨୦୩୬ରେ ବିକଶିତ ଓଡ଼ିଶାର ସ୍ୱପ୍ନ ନିଶ୍ଚୟ ସଫଳ ହେବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଥିଲେ । ଦିଗପହଣ୍ଡି ବିଧାୟକ ତଥା ସିନେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ୬ ବର୍ଷ ବ୍ୟବଧାନରେ ପୁଣି ଥରେ ଏ ମହୋତ୍ସବ ପୁନଃ ଆରମ୍ଭ ହୋଇଥିବାରୁ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାଙ୍କୁ ସାଧୁବାଦ ଜଣାଇଛନ୍ତି ।
ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସାଂସଦଙ୍କ ପ୍ରତିନିଧି ମିନା ଦ୍ୟାନ ସାମନ୍ତରା, ଶାସକ ଦଳର ପ୍ରବକ୍ତା ମନୋଜ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ୱାସନ ସ୍ୱାଗତ ଭାଷଣ ଦେଇ ସୁନାପୁର ବ୍ଲୁ-ଫ୍ଲାଗ ବେଳାଭୂମିର ମାନ୍ୟତା ମିଳିଛି ବୋଲି ଉଲ୍ଲେଖ କରିଥିଲେ ଏବଂ ଗଞ୍ଜାମର ସମୃଦ୍ଧ କଳା ଓ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ରହ୍ମପୁର ମହାନିଗମର ଆୟୁକ୍ତ ପ୍ରଥମେଶ ଅରବିନ୍ଦ ରାଜଷିର୍କେ ଧନ୍ୟବାଦ ଜଣାଇଥିଲେ । ବ୍ରହ୍ମପୁର ଉପ-ଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳର ପାରମ୍ପରିକ ଲୋକନୃତ୍ୟ ତଥା ଆଧୁନିକ ନୃତ୍ୟ ତା ସହିତ ଓଡିଶାର ସୁପରିଚିତ ଗାୟିକା ଅସୀମା ପଣ୍ଡାଙ୍କ ସଂଗୀତ ଜନ ସାଧାରଣଙ୍କୁ ବିମୋହିତ କରିଥିଲା । ଚିକିଟିସ୍ଥିତ ମା’ ବାଳକୁମାରୀ ଓ ମା’ ବଗଳାମୁଖୀ ମନ୍ଦିର, ଜୟନ୍ତି ପୁରସ୍ଥିତ ମା’ ପଶ୍ଚିମେଶ୍ୱରୀ ମନ୍ଦିର, ପାତ୍ରପୁର ସ୍ଥିତ ମା’ କୁଠାରୀଶ୍ୱରୀ, ସୁନାପୁରସ୍ଥିତ ମା’ ଫୁଲକାଶୁଣୀ ଗ୍ରାମ ଦେବତୀଙ୍କ ଠାରୁ ଆଶୀର୍ବାଦ ମିଶ୍ରିତ ଆଂଜ୍ଞା ମାଳ ଅଣାଯାଇ ପଣ୍ଡିତ ଓ ସାଧୁସନ୍ଥଙ୍କ ଦ୍ୱାରା ପୂଜାର୍ଚ୍ଚନା ପୂର୍ବକ ସମୁଦ୍ର ଆଳତି କରାଯାଇ ସୁନାପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ଏକ ମାରାଥନ ଆୟୋଜିତ ହୋଇଥିଲା । ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସୂଚନା ଯୋଗ୍ୟ ଯେ, ବୁଧବାର ସନ୍ଧ୍ୟାରେ ସୁଜ୍ଞାନୀ ମହାପାତ୍ର, ଓଲିଉଡର ଡ୍ୟାନ୍ସର ଶୈଳେନ୍ଦ୍ର-ସୋହାନୀ ଓ ଟଲିଉଡର ହାସ୍ୟ ଅଭିନେତା ମହମ୍ମଦ ଅଲ୍ଲି ସୁନାପୁର ବେଳାଭୂମି ମହୋତ୍ସବକୁ ଆସୁଛନ୍ତି, ବୋଲି ଏହି ସ୍ଥାନଟି ଉତ୍ସବ ମୁଖର ହୋଇଉଠିଛି ।