ବଲାଙ୍ଗିର, (କେପିଏନ୍ଏସ୍) : ୨୩ତମ ବଲାଙ୍ଗିର ଲୋକଉତ୍ସବର ମୁଖ୍ୟ ସମାରୋହ କୋଶଳ କଳା ମଣ୍ଡପରେ ଉଦ୍ଘାଟିତ ହୋଇଯାଇଛି । ସକାଳେ ମଞ୍ଚ ପୂଜା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସହର ପରିକ୍ରମା କରି ମା’ ସମଲେଇ, ମା’ ପାଟଣେଶ୍ୱରୀ, ମା’ ଦୁର୍ଗାଙ୍କ ଦର୍ଶନ କରିଥିଲା ଶୋଭାଯାତ୍ରା । ତେବେ ଜିଲ୍ଲାର ଦୁଲଦୁଲି, ସଂର୍କିର୍ତନ, କଳାହାଣ୍ଡିର କଟପାଙ୍କ ଦଳ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ସହର ପରିକ୍ରମା କରିଥିଲା । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଗୌରବ ଶିବାଜୀ ଇସଲୱାରଙ୍କ ସଭାପତିତ୍ୱରେ ଆୟୋଜିତ ଲୋକଉତ୍ସବର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉପସ୍ଥିତି ରହି ଦୀପ ପ୍ରଜ୍ୱଳନ ପୂର୍ବକ ଲୋକଉତ୍ସବର ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ, ଆମ ବଲାଙ୍ଗିର ବୀରଙ୍କ ମାଟି, ଏଠାକାର ଐତିହ୍ୟ ଯେପରି ଅନନ୍ୟ ଆମ କଳାସଂସ୍କୃତି ମଧ୍ୟ ଅନନ୍ୟ । ଲୋକଉତ୍ସବ ଏହି ଭିନ୍ନ ପରିଚୟକୁ ବଜାୟ ରଖିଛି । ଲୋକଉତ୍ସବ ଦ୍ଵାରା ଜିଲ୍ଲା ଓ ଜିଲ୍ଲାବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ହେଉଛି । ଲୋକଙ୍କ ଅର୍ଥନୀତି ବଢୁଛି, କଳାକାରଙ୍କ ପ୍ରତିଭାକୁ ଉତ୍ସାହ ମିଳୁଛି । ସମ୍ମାନିତ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ମଞ୍ଚାସୀନ ଥିଲେ । ଅନ୍ୟ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର, ସାଂସ୍କୃତିକ କମିଟିର ସହ ଅଧ୍ୟକ୍ଷ ଗୋପାଳ ପଧାନ ଓ ସହ ଅଧ୍ୟକ୍ଷା ସଙ୍ଗୀତା ଦାସ, ସ୍ମରଣିକା କମିଟିର ସହ ଅଧ୍ୟକ୍ଷ ମହେନ୍ଦ୍ର ଦର୍ଜି, ସହ ଅଧ୍ୟକ୍ଷ ସନ୍ଦୀପ କୁଆଁର, ଅତିଥି କଳାକାର ଈଶ୍ୱର ଚନ୍ଦ୍ର ଖମାରୀ, ସମ୍ବର୍ଦ୍ଧିତ କଳାକାର ଗୋଲାପ ଜେନା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଲୋକଉତ୍ସବ ଓ କୋଶଳ କଳା ମଣ୍ଡଳର ମୁଖପତ୍ର ଚତୁରଙ୍ଗ ଅତିଥିମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହାସହ ବରିଷ୍ଠ କଳାକାର ଗୋଲାପ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ମିଶ୍ର ସ୍ୱାଗତ ସମ୍ଭାଷଣ ସହ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସନ୍ଦୀପ କୁଅଁର ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୋପାଳ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ଗୁଜୁରାଟରୁ ସିଦ୍ଧି ଧମାଲ, ବିହୁ ନୃତ୍ୟ-ଆସାମ, ଭାଙ୍ଗଡା-ପଞ୍ଜାବ, କଳାଧାମ-ବଲାଙ୍ଗିର, ଯୋଡ଼ିଶଙ୍ଖ-ଗଞ୍ଜାମ, ଖୁସି ଡ୍ୟାନ୍ସ ଏକାଡେମୀ, ସାଇ ସ୍ଵର୍ଣ୍ଣ କଳା ପରିଷଦ, କୁରେଫୁଲ କଳା ପରିଷଦ, କ୍ଲାସିକ ଡାନ୍ସ ଏକାଡେମୀ-ଟିଟଲାଗଡ଼, ଚିନି ଚମ୍ପା କଳାପରିଷଦ- ପାଟଣାଗଡ଼ ଆଦି ସାଂସ୍କୃତିକ ଦଳ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ପ୍ରଥମ ସନ୍ଧ୍ୟାରେ, କଳା ସଂସ୍କୃତିର ଏହି ମହାମିଳନ ଲୋକଉତ୍ସବକୁ ଖୁବ୍ ଆନନ୍ଦ ସହ ଉପଭୋଗ କରିଛନ୍ତି ବଲାଙ୍ଗିରବାସୀ ।