ଗୋପାଳପୁର ସମୁଦ୍ର କୂଳରେ ଅମୃତ କାଳ ସାଂସ୍କୃତିକ ଉତ୍ସବ ଉଦଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଅନୁକୂଲ୍ୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅମୃତ କାଳ ସାଂସ୍କୃତିକ ଉତ୍ସବ ସମାରୋହ ମାଧ୍ୟମରେ ଏକ ବିକଶିତ ଭାରତର ଯେଉଁ ପରିକଳ୍ପନା କରାଯାଇଛି, ତାହା ଭାରତ ତଥା ଓଡ଼ିଶାର ସଂସ୍କୃତି ସମ୍ପନ୍ନ ନୃତ୍ୟ, ସଂଗୀତକୁ ଗରିମାମୟ କରିପାରିଛି ଏବଂ ଏହି ସମାରୋହ ମାଧ୍ୟମରେ ଓଡିଶା ତଥା ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାର ଗୋଷ୍ଠୀ ନିଜର ନୃତ୍ୟ କଳା ପ୍ରଦର୍ଶନ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ୱି. କିର୍ତ୍ତୀ ଭାଷନ, ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ପୋଲିସ ଅଧିକ୍ଷକ ଡ଼ଃ. ଶ୍ରବଣା ବିବେକ ଏମ୍‌, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ୍ ଅରବିନ୍ଦ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅତିଥିଗଣ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଦୁଇ ଦିନଧରି ଅନୁଷ୍ଠିତ ହେଉଥିବା ଏହି ସାଂସ୍କୃତିକ ସମାରୋହର ଉଦଘାଟନୀ ସନ୍ଧ୍ୟାରେ ଶ୍ରୀ ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଘଣ୍ଟ ମୃଦଙ୍ଗ ସଂଘ, ଗଞ୍ଜାମ ଦ୍ୱାରା ଘଣ୍ଟ ମୃଦଙ୍ଗ ଓ ପଶୁ ନୃତ୍ୟ, ନରେନ୍ଦ୍ର ପୁର ଲୋକାନୃତ୍ୟ ଦଳ, ଗଞ୍ଜାମ ଦ୍ୱାରା ଯୋଡିଶଙ୍ଖ, ସାଧୁ ଗୋସାଇଁ ନାଟ୍ୟ ପରିଷଦ, ଗଞ୍ଜାମ ଦ୍ୱାରା ଦଣ୍ଡନାଚ, ସାଧନା ଆର୍ଟ ଆଣ୍ଡ କଲଚର, ଭୁବନେଶ୍ୱର, ଦ୍ୱାରା ଓଡିଶୀ ନୃତ୍ୟ, ଜୟ ମା’ ସନ୍ତୋଷୀ ଲୋକାନୃତ୍ୟ କଳା ସାଂସଦ, ଗଞ୍ଜାମ ଦ୍ୱାରା ରାଧା ପ୍ରେମଲୀଳା, ଜାଗୃତି ନୃତ୍ୟ କଳା ମନ୍ଦିର, କଟକ ଦ୍ୱାରା ଓଡିଶୀ ନୃତ୍ୟ ଓ ନୃସିଂହନାଥ ନାଟ୍ୟ କଳା ସଙ୍ଘ, ଗଞ୍ଜାମ ଦ୍ୱାରା ପ୍ରହଲାଦ ନାଟକ ଇତ୍ୟାଦି ପରାମ୍ପରୀକ ନୃତ୍ୟ କାର୍ଯ୍ୟକ୍ରମ ମାନ କଳାକାରମାନେ ପ୍ରସ୍ତୁତ କରାଯାଇଥିଲା । କଳାକାର ଗ୍ରୁପ ମାନଙ୍କୁ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଉଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ କଳାକାର ମାନଙ୍କୁ ଉତ୍ସାହିତ କରିବାକୁ କଲିକତା ସ୍ଥିତ ପୂର୍ବାଞ୍ଚଳ କ୍ଷେତ୍ରୀୟ ସାଂସ୍କୃତିକ କେନ୍ଦ୍ରଙ୍କ ଉଦ୍ୟମକୁ ସହଯୋଗ ଦେଇଛନ୍ତି । ଏହି ଅବସରରେ ଗୁରୁମାନଙ୍କୁ ସମ୍ମାନିତ କରାଯାଇଥିଲା । ଅତିଥି ମାନେ କଳାକାର ଗଞ୍ଜାମ ପ୍ରଶାସନ ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ରକୁ ବେଶ ପ୍ରଶଂସା କରିଥିଲେ । ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ତରଫରୁ ଜୟଦୀପ ବୋଷ, କ୍ରିଷ୍ଣା ସରୋଜ ଏହାକୁ ପରିଚାଳନା କରିଥିଲେ । ଉଦଘୋଷିକା ଭାବେ ସିନ୍ଧୁ ବ୍ରାଉନ ମଞ୍ଚ ସଂଚାଳନ କରିଥିଲେ ଓ ବିଭୁ ପ୍ରସାଦ ମିଶ୍ର ଇଭେଣ୍ଟ ପରିଚାଳନା କରିଥିଲେ ।

Leave A Reply

Your email address will not be published.