ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏହି ଖେଳ ମହୋତ୍ସବ ଯୁବଶକ୍ତିର ଉତ୍ସାହ, ସଙ୍କଳ୍ପ ଓ ସ୍ୱପ୍ନକୁ ନୂଆ ଗତି ପ୍ରଦାନ କରୁଛି । ଗ୍ରାମ୍ୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ପ୍ରଶସ୍ତ ମଞ୍ଚ ଦେବାରେ ଏହି ଆୟୋଜନ କରିବାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି । ଏଠାରେ ସୂଚନାଯୋଗ୍ୟ, ମଙ୍ଗଳବାର ଉଦଘାଟିତ ହୋଇଥିବା ଏହି କ୍ରୀଡା ଉତ୍ସବ ଆସନ୍ତା ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । କେବଳ ଏହା ଏକ କ୍ରୀଡା ଉତ୍ସବ ନୁହେଁ, ଯୁବପିଢ଼ି ମାନଙ୍କ ପାଇଁ ପ୍ରେରଣା, ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିଶାଳୀ ‘ଖେଲୋ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢ଼ାଇବା ସହ, ସୁସ୍ଥ, ସଶକ୍ତ ଓ ଶୃଙ୍ଖଳିତ ସମାଜ ଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଛତ୍ରପୁର ବିଡ଼ିଓ ସମ୍ୱିତ ସଂଗ୍ରାମଜିତ୍ ସାହୁ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି / ପଦାଧିକାରୀ ଯୋଗ ଦେଇ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଛତ୍ରପୁର ଅଞ୍ଚଳରୁ ଆସିଥିବା କ୍ରୀଡାବିତ୍ ମାନଙ୍କୁ ସଂସଦୀୟ ଖେଳ ମହୋତ୍ସବର ଶୁଭେଚ୍ଛା ଜଣାଇଥିଲେ । ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ ବିକଶିତ ଭାରତ ଗଢ଼ିବା ଦିଗରେ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ଆବଶ୍ୟକ । ସୁସ୍ଥ ନାଗରିକ, କ୍ରୀଡାର ଭିତ୍ତିଭୂମି ବିକାଶ ହେବ, ଗ୍ରାମାଞ୍ଚଳରୁ ପ୍ରତିଭା ଚିହ୍ନଟ ହୋଇ ପ୍ରତ୍ୟେକ ବିଦ୍ୟାଳୟ ଓ ଘରେ ଘରେ କ୍ରୀଡାବିତ୍ ସୃଷ୍ଟି କରିବା ହିଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା ବୋଲି ସାଂସଦ ଡ଼ଃ. ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି । ଏହାପରେ ପ୍ରତିଯୋଗୀମାନେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କ୍ରୀଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ ।
Prev Post