ଜିଲ୍ଲାସ୍ତରୀୟ କଳା ଉତ୍ସବ-୨୦୨୫ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତକାଲି ଜିଲ୍ଲାସ୍ତରୀୟ କଳା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ଓ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରବୀର ପଣ୍ଡା ଓ ଶ୍ରୀମତୀ ସେବାଶ୍ରୀ ଭୋଇ ଯୋଗଦେଇ ଏହି କଳା ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ବଲାଙ୍ଗିର ସଦର ବ୍ଲକ୍‌ ଶିକ୍ଷାଧିକାରୀ ନୀଳମଣି ପଟେଲ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କଳା ଉତ୍ସବରେ ପୁଇଁତଲା, ସଇଁତଲା, ଦେଓଗାଁ, ଗୁଡ଼ଭେଲା ଓ ଆଗଲପୁର ବ୍ଲକର ବ୍ଲକ ଶିକ୍ଷାଧିକାରୀମାନେ ମଂଚାସୀନ ଥିଲେ । ଏଥିରେ ମୋଟ ୨୦୫ ଜଣ ଛାତ୍ରଛାତ୍ରୀ ଓ ୪୩ ଗାଇଡ଼ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଶ୍ରୀ ନାଗ ପିଲାମାନଙ୍କ ପାଇଁ କହିଥିଲେ ଯେ କଳା ଜୀବନର ଏକ ଅଂଗ, ଏହା ଆମକୁ ବାଟ ଶିଖାଇଥାଏ । ବଲାଙ୍ଗିର ଜିଲ୍ଲାର ବଛା ବଛା ବିଚାରକ ମଣ୍ଡଳୀ ୧୨ ଗୋଟି ବିଭାଗରେ ପିଲାମାନଙ୍କ ପ୍ରତିଭାକୁ ଦେଖି ସେମାନଙ୍କୁ ଆଂଚଳିକସ୍ତରୀୟ କଳା ଉତ୍ସବକୁ ଯିବା ପାଇଁ ବିଚାର କରିଥିଲେ । ଏଥିରେ ବଲାଙ୍ଗିର ବିଜ୍ଞାନ କମିଟିର ସମସ୍ତ ସଦସ୍ୟ ସଦସ୍ୟା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ରାମଗୋପାଳ ଖମାରୀ ଶର୍ମା ମଂଚ ପରିଚାଳନା କରିଥିବା ବେଳେ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.