ତୁରେକେଲା ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା ପ୍ରାଥମିକ ପ୍ରାଣୀ ଚିକିତ୍ସା କେନ୍ଦ୍ରଠାରେ ଆଜି ଏକ ୨୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ତଥା ବି.କେ.ଏନ୍‌ ଦୁଗ୍ଧ ସଂଘର ପ୍ରଶାସକ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ତୁରେକେଲା ବିଡ଼ିଓ ମନୋରଂଜନ ପାଣିଗ୍ରାହୀ, ବଲାଙ୍ଗିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଦିଗାମ୍ବର ନାୟକ ଓ ବିକେଏନ୍‌ ଦୁଗ୍ଦ ସଂଘର ସାଧାରଣ ପରିଚାଳକ ଡା.ସରୋଜ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ହେବା ଦ୍ୱାରା ତୁରେକେଲା ଓ ବେଲପଡ଼ା ବ୍ଲକର ଦୁଗ୍ଧ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଦୁଗ୍ଧ ସଂଘ ଆଶା ପ୍ରକାଶ କରିଛନ୍ତି । ଏହି ଅଂଚଳର ଦୁଗ୍ଧ ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ବୋଲି ଜିଲ୍ଲାପାଳ ଶ୍ରୀ ରାଣା ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ୮ ଗୋଟି ସମିତିର ଦୁଗ୍ଧ ଚାଷୀ, ସଂପାଦକ, ସଭାପତି, ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଏବଂ ଦୁଗ୍ଧ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.