ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ମିନି ଷ୍ଟାଡିୟମ ଠାରେ ତୃତୀୟ ବିମଲେଇ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି । ମହୋତ୍ସବର ସଭାପତି ଭରତଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ପୁଇଁତଲେ ବ୍ଲକ ଚେୟାରମ୍ୟାନ ସରୋଜ ପ୍ରଧାନ ଯୋଗଦେଇ ନିଜ ବକ୍ତବ୍ୟରେ ଆମ ଲୋକକଳା ଆମ ଗୌରବ ଓ ପ୍ରତ୍ୟେକ ଜାତିକୁ ତାର ଲୋକକଳା ଗୌରବାନ୍ୱିତ କରିଥାଏ ଏବଂ ସଂସ୍କୃତିର ପରିଭାଷାକୁ ଦ୍ଵିଗୁଣିତ କରିଥାଏ ବୋଲି କହିବା ସହ ଏକତା ବଜାୟ ରହିଲେ ସଫଳତା ମିଳେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ରାଜକିଶୋର ପଣ୍ଡା ଯୋଗଦେଇ ମହୋତ୍ସବର ଆୟୋଜକ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସ୍ଥାନୀୟ କଳାକାର ମାନଙ୍କ ପାଇଁ ଏ ମହୋତ୍ସବ ନିଜର କଳାକୁ ଦେଖେଇବାର ପ୍ରକୃଷ୍ଟ ମଂଚ ବୋଲି କହିବା ସହ ସ୍ଥାନୀୟ ଅଂଚଳର ଶିକ୍ଷାର ବିକାଶ ଦିଗରେ ବିଲେଇସର୍ଡାର ବରପୁତ୍ର ରାଧାଶ୍ୟାମ ଗୁରୁଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଲେଇସର୍ଡା ସରପଞ୍ଚ ସୁଶାନ୍ତ ଛତ୍ରିଆ ନିଜ ବକ୍ତବ୍ୟରେ ଲୋକକଳା ଲୋକ ସଂସ୍କୃତିର ଜୀବନ୍ତ ବାର୍ତ୍ତାବହ ଓ ଏହାର ଭୂମିକା ଖୁବ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ । ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା, ଲିପ୍ସା, ମୌସୁମୀ, ସୁନେନା, ସେବତୀ, ଆଦ୍ୟାସାଙ୍କ ଦ୍ୱାରା ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ଓ ସନ୍ଥ ଦିବ୍ୟଜୀବନ ଗୁରୁକୁଳର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା । ଜ୍ୟୋତିପ୍ରକାଶ ସାହୁ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ କିଶୋର ବିଶ୍ୱାଳ । ସଭାପରେ କଂସ ଦରବାର ବସିଥିଲା । ଗୋପାଳ ଦାସ କଂସ ଭୂମିକାରେ ଅଭିନୟ କରିଥିଲେ । କଂସ ଦରବାରରେ ଜ୍ୟୋତିଧାରା କଳା ପରିଷଦ ବେଲବାହାଲିରର କୁନି କଳାକାର ମାନଙ୍କ ଦ୍ୱାରା ଦଳଗତ ନୃତ୍ୟ, ରାଜନନ୍ଦିନୀ ପଟ୍ଟନାୟକଙ୍କ ଏକକ ନୃତ୍ୟ, ଓମ୍ ବାଗ ଓ ତୃପ୍ତୀ ପ୍ରଧାନଙ୍କ ଦଳଗତ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ କଳାକାର ନିଜର କଳା ପ୍ରଦର୍ଶନ କରିବେ ବୋଲି ବିମଲେଇ ମହୋତ୍ସବ ଆଯୋଜନ କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି ।