ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ଚାନ୍ଦିଲି ପାହାଡ଼ରେ ଗତ ବୁଧବାରରୁ ଷୋହଳ ପ୍ରହରୀ ନାମଯଜ୍ଞ ଚାଲିଥିବା ବେଳେ ମଙ୍ଗଳବାର ଦିନ ବ୍ରହ୍ମଯଜ୍ଞ ଆରମ୍ଭ ହୋଇଛି । ସେହିପରି ଅଷ୍ଟମ ଚାନ୍ଦିଲି ପାହାଡ଼ ମହୋତ୍ସବ ଗୁରୁବାର ଉଦ୍ଘାଟିତ ହୋଇଯାଇଛି । ମଞ୍ଚକୁ ମହୋତ୍ସବ କମିଟିର ସଭାପତି ଲକ୍ଷ୍ମଣ ମେହେର ପରିଚାଳନା କରିଥିବା ବେଳେ ଅଷ୍ଟମ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଉଦ୍ଘାଟନ କରିଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିଲେ । ଅଷ୍ଟମ ଚାନ୍ଦିଲି ପାହାଡ଼ ମହୋତ୍ସବରେ ଦେଷଣ୍ଢ ଗାଁର ସ୍ୱର୍ଗତ ଚିତ୍ତରଞ୍ଜନ ନାଏକ, ଟିକ୍ରାପଡ଼ାର ବରିଷ୍ଠ କଳାକାର ସ୍ୱର୍ଗତ ଘନଶ୍ୟାମ ରାଜପଲିଆ ଓ ଭଇଁଷା ଗାଁର ନବଦୀପ ଚାନ୍ଦଙ୍କୁ ଚାନ୍ଦିଲି ପାହାଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ବରିଷ୍ଠ ସମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଡ. ସୁଧାଂଶୁ ଭୂଷଣ ମେହେର, ପୂର୍ବ ସରପଞ୍ଚ ସରୋଜ ସାଏ, ନବୀନ କିଶୋର ଧରୁଆ, ଶ୍ରୀମତୀ ଭୂମିସୂତା ବେହେରା, ସୁରେନ୍ଦ୍ର ସାଏ, ସ୍ୱୟମ୍ବର ମେହେର ଓ ପ୍ରଭାତ ପୋଢ଼ଙ୍କୁ ସମ୍ବଦ୍ର୍ଦ୍ଧନା ଦିଆଯାଇଥିଲା । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହାସହ ବନ୍ଧପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ନାଚ, ଗୀତ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ କଂସ ଦରବାର ଅନୁଷ୍ଠିତ ହୋଇଥିଲା । ପୌରାଣିକ କଂସ ଦରବାର କାର୍ଯ୍ୟକ୍ରମରେ ନାରଦଙ୍କ ପରାମର୍ଶରେ ଅଷ୍ଟମଲ୍ଲ ପ୍ରେରଣ ଓ କାଳିଆ ନାଗ ଦଳନ ଅଭିନୀତ ହୋଇଥିଲା । କଂସ ମହାରାଜ ଭାବେ ଶୁଭଂ ଘିଭେଲା ଅଭିନୟ କରିଥିବା ବେଳେ ମହାମନ୍ତ୍ରୀ ଭାବେ ରୋହିତ ସାହୁ, ସେନାପତି ଅରୁପ, ଚାଣୁର ବନବାସ ଭୋଇ, ମୁଷ୍ଟକ କୃଷ୍ଣ ମେହେର, ଡଗର ଆଶିଷ ବାଗ, ତୃଣାବତ୍ତ ପ୍ରମୁଖ ଅଭିନୟ କରିଥିଲେ । ସେହିପରି ମହୋତ୍ସବ କମିଟିର ସଭାପତି ଭାବେ ରାଧେଶ୍ୟାମ ମେହେର, ସଂପାଦକ ସ୍ୱୟଂମ୍ବର ମେହେରଙ୍କ ସହ ସମସ୍ତ ସଭ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।