- ଭାଗ ନେଲେ ୧୨୦୦ରୁ ଅଧିକ ପ୍ରତିଯୋଗୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦର ୫୩ତମ ବାର୍ଷିକ କ୍ରୀଡା ଉତ୍ସବ ମୁଖ୍ୟ ଅତିଥି ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରିଙ୍କ ଦ୍ୱାରା କ୍ରୀଡାଧ୍ୱଜ ଉତ୍ତୋଳନ ପୂର୍ବକ ଉଦ୍ଘାଟିତ ହୋଇଯାଇଛି । ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଡ଼. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତା ତଥା କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସମାରୋହରେ ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଡ. ପ୍ରହଲ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଅଚାର୍ଯ୍ୟ, ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ହେମନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । କ୍ରିକେଟ ସଂପାଦକ ଓମପ୍ରକାଶ ଚାନ୍ଦ, ଫୁଟବଲ ସଂପାଦକ ଶରତ ନନ୍ଦ, ବରିଷ୍ଠ ସଭ୍ୟ ଉମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ଶିଶିର ବହିଦାର, ଗୌର ଚନ୍ଦ୍ର ପ୍ରଧାନ, ରବିନ୍ଦ୍ର କୁମାର ମିଶ୍ର, ପ୍ରଭାତ କୁମାର ମିଶ୍ର, ଜୟରାମ ମିଶ୍ର, ଭାବଗ୍ରାହୀ ରଥ ଓ ସିଦେ୍ଧଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୨୦୨୩ ଓ ୨୪ରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ବଲାଙ୍ଗିର ଜିଲ୍ଲାର କୃତି ପ୍ରତିଯୋଗୀ ଚିନ୍ମୟ ନାଗ, ନରେଶ ରୋହିଦାଶ, ଜୀବନ ମୁକ୍ତି ବିଲଙ୍ଗ, ଶ୍ରଦ୍ଧାଞ୍ଜଳି ମିଶ୍ର ଓ ମହେନ୍ଦ୍ର ହାଁସଦାଙ୍କୁ ସମ୍ମାନିତ କରାଯାଇଥିଲା । ୧୨ଶହରୁ ଅଧିକ ପ୍ରତିଯୋଗୀ କ୍ରୀଡାଙ୍ଗନରେ ପ୍ୟାରେଡ ସହ ପରିକ୍ରମା କରି ମୁଖ୍ୟ ଅତିଥିଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ସୁଶ୍ରୀ ଶ୍ରଦ୍ଧାଞ୍ଜଳି ମିଶ୍ର କ୍ରୀଡାବିତ୍ଙ୍କ ପକ୍ଷରୁ ଶପଥ ପାଠ କଲାପରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପ୍ରାରମ୍ଭ କାର୍ଯ୍ୟକ୍ରମକୁ ପୂର୍ବତନ କ୍ରୀଡା ଶିକ୍ଷକ ସୁନିଲ ବିଶ୍ୱାଳ, ହେମନ୍ତ ପଧାନ ଓ ନରସିଂହ ନାଇଡୁ ପରିଚାଳନା କରିଥିବା ବେଳେ ବିଜୟ ତ୍ରିପାଠୀ ଓ ମାଧୁରୀ ନନ୍ଦଙ୍କ ନେତୃତ୍ୱରେ ସମସ୍ତ ପ୍ରତିଯୋଗିତା ସଂପର୍କିତ ଯୋଗାଯୋଗ କେନ୍ଦ୍ର ପରିଚାଳିତ ହୋଇଥିବା ସଂସଦ ସୁତ୍ରରୁ ପ୍ରକାଶ । ପ୍ରଥମ ଦିବସରେ ପୁରୁଷ ୧୦୦୦ ମିଟରରେ ହେମନ୍ତ ସେଠ, ୧୫ଶହ ମିଟରରେ ସଞ୍ଜୀବ କୁମାର ନାଏକ, ସଟଫୁଟରେ ମହାଦେବ ସା, ବାଳକ ୨୩ ବର୍ଷ ବର୍ଗ ୧୫ଶହ ମିଟରରେ କ୍ଷିତିରାମ ମାଝୀ, ହାଇଜମ୍ପରେ ପ୍ରତିକ ଶତପଥି, ୧୦୦ ମିଟରରେ ଡିଙ୍ଗର ଡାଣ୍ଡିଆ, ସଟପୁଟରେ ରୋହିତଶ୍ୱ ବାରିକ, ବାଳକ ୨୦ ବର୍ଗ ୧୫ଶହ ମିଟରରେ ହରିଶ ପଧାନ, ସଟପୁଟରେ ବିଜୟ ସେଠ, ହାଇଜମ୍ପରେ ସଂକେତ ନିଶାଲ, ବାଳକ ୧୮ ବର୍ଗ ୧୦୦୦ ମିଟରରେ ପ୍ରେମରାଜ ଷାଣ୍ଢ, ଡିସକସ ଥ୍ରୋରେ ସୌମ୍ୟ ରଞ୍ଜନ ବିଶ୍ୱାଲ, ବାଳକ ୧୬ ବର୍ଗ ୬ଶହ ମିଟରରେ ଆକାଶ ମେହେର, ସଟପୁଟରେ ସମୀର ନାଗ, ମହିଳା ଡିସକସ ଥ୍ରୋରେ ସମୀକ୍ଷା ନନ୍ଦ, ବାଳିକା ୨୩ ବର୍ଗ ଡିସକସ ଥ୍ରୋରେ ଶାମୁକା ଭୁଏ, ସଟପୁଟ ଥ୍ରୋରେ ଶ୍ରଦ୍ଧାଞ୍ଜଳି ମିଶ୍ର, ୧୦୦ ମିଟରରେ ଇପ୍ସିତା ମାଝୀ, ବାଳିକା ୨୦ ବର୍ଗରେ ୧୫ଶହ ମିଟରରେ ରୀମା ସୁନା, ୧୦୦ ମିଟରରେ ନମିତା ବାରିକ, ବାଳିକା ୧୮ ବର୍ଗ ୧୦୦୦ ମିଟରରେ ଅର୍ଚ୍ଚନା ପଧାନ, ଡିସକସ ଥ୍ରୋରେ ରେଖା ସାହୁ, ଜେଭଲିନ ଥ୍ରୋରେ ସଂପଦ ମହାନ୍ତି ଓ ବାଳିକା୧୬ ବର୍ଗ ୬୦୦ ମିଟରରେ ସିମରନ ଜାଲ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।