ଲେବଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ୍ ପ୍ରତିଯୋଗିତା ଉଦ୍‌ଘାଟିତ

  • ବାଳକ ବିଭାଗ ଫାଇନାଲରେ ବଲାଙ୍ଗିର ଓ ଲୋଇସିଂହା ବ୍ଲକ ଦଳ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ପଞ୍ଚାୟତ ସ୍ଥିତ ପାଟଣେଶ୍ୱରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ତିନି ଦିନ ଧରି ୧୭ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବିଭାଗର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାଶର ବାଗ ମୁଖ୍ୟ ଅତିଥି, ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପଣ୍ଡା, ପୂର୍ବତନ ପ୍ରଧାନ ଶିକ୍ଷକ ରଞ୍ଜିତ ସାହୁ, ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବରିଷ୍ଠ ଖେଳ ଶିକ୍ଷକ ହେମନ୍ତ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ପାତ୍ର ରିପୋର୍ଟ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା କ୍ରୀଡା ପତାକା ଉତ୍ତୋଳନ କରାଯାଇଥିବା ବେଳେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଲେବଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ପ୍ରତିଯୋଗିତାରେ ସମଗ୍ର ଜିଲ୍ଲାର ୧୪ଟି ବ୍ଲକରୁ ବାଳକ ବିଭାଗରେ ୧୪ଟି ଦଳ ପାଇଁ ୨୧୦ଜଣ ପ୍ରତିଯୋଗୀ ଛାତ୍ର ଅଂଶଗ୍ରହଣ କରିଥିଲେ । ବାଳକ ବିଭାଗ ଫୁଟବଲ୍ ଫାଇନାଲରେ ବଲାଙ୍ଗିର ଓ ଲୋଇସିଂହା ବ୍ଲକ ଦଳ ପ୍ରବେଶ କରିଛନ୍ତି । ଗୁରୁବାର ଉଭୟ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହେବ । ସେହିପରି ବାଳିକା ବିଭାଗରେ ୯ଟି ବ୍ଲକରୁ ୯ଟି ଦଳ ପାଇଁ ୧୩୫ଜଣ ଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଗୁରୁବାର ଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ୨୬ଜଣ କ୍ରୀଡା ଶିକ୍ଷକ ଏହି ଫୁଟବଲ୍ ପ୍ରତିଯୋଗିତା ପରିଚାଳନା କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଜିଲ୍ଲା ତଥା ବ୍ଲକର ସମସ୍ତ ଖେଳ ଶିକ୍ଷକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକମାନେ ଯୋଗ ଦେଇଛନ୍ତି । ବ୍ଲକ ଖେଳ ଶିକ୍ଷକ ସଂଘ ସମ୍ପାଦକ କୁବେରଲାଲ ବେହେରା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.