jayashree

ହଳଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ଥିବା ହଳଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ମହୋତ୍ସବ ଗୁରୁବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜକ ମହୋତ୍ସବ କମିଟି ସଭାପତି ଚୈତନ୍ୟ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଉତ୍ସବରେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଟିଟିଲାଗଡ଼ ଡିଏଭି କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟ ବକ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପଟେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ହଳଦୀ ପଞ୍ଚାୟତ ସରପଞ୍ଚ ସୌମିନା ସେଠ, ବରିଷ୍ଠ ବିଜେପି ନେତା ଲକ୍ଷ୍ମଣ ବାଗ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରହରି ପସାୟତ ଓ ଆବାହକ ତଥା ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ଝାଙ୍କର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସ୍କୁଲରେ ଶିକ୍ଷାଦାନ କରିଥିବା ୨୧ଜଣ ପୂର୍ବତନ ଶିକ୍ଷକଙ୍କୁ ମହୋତ୍ସବ କମିଟି ପକ୍ଷରୁ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ସଭା ସଂଯୋଜନା ମହୋତ୍ସବ କମିଟି ସମ୍ପାଦକ ତଥା ସଂଯୋଜକ ଦିଲ୍ଲୀପ କୁମାର ପସାୟତ କରିଥିବା ବେଳେ ଉପସଭାପତି ପୁରୁଷୋତ୍ତମ ବାଗ ଅତିଥି ପରିଚୟ ଓ ମହୋତ୍ସବ କମିଟି ମୁଖ୍ୟ ସଂଯୋଜକ ଦୀପକ ରଞ୍ଜନ ବାଗ ଧନ୍ୟବାଦ ଦେଇଥିଲେ । ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଉତ୍ସବରେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ମୁଖ୍ୟ ଅତିଥି, ଟିଟିଲାଗଡ଼ ଡିଏଭି କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ଶିବପ୍ରସାଦ ବେହେରା ମୁଖ୍ୟବକ୍ତା, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଡ. ଅମଜାଦ ଖାଁ, ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ, ପତ୍ରାପାଲି(କ) ସମିତି ସଭ୍ୟ ସନ୍ୟାସୀ ପୁଟେଲ ଓ ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ମହୋତ୍ସବ କମିଟି ସଭାପତି ଚୈତନ୍ୟ ମହାନନ୍ଦଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ସଂଯୋଜକ ଦୀପକ ରଞ୍ଜନ ବାଗ ସଭା ସଂଯୋଜନା କରିଥିବା ବେଳେ ଶିକ୍ଷାବିତ୍‌ ସ୍ୱପ୍ନେଶ୍ୱର ମାହାକୁର ଅତିଥି ଆମନ୍ତ୍ରଣ ଓ ଶିକ୍ଷାବିତ ତରୁଣ ସିଂ ଦୀପ ଧନ୍ୟବାଦ ଦେଇଥିଲେ । ରାତ୍ରିରେ ଅନୁଷ୍ଠିତ ସାଂସ୍କୃତିକ ବିଚିତ୍ରାରେ ପଦ୍ମପୁର ‘ଲୁ’ ଅନୁଷ୍ଠାନ ପକ୍ଷରୁ ନାଟକ ‘ରଙ୍ଗଭୂମି’ ମଞ୍ଚସ୍ଥ ହୋଇଥିଲା । ଏହି ଶତବାର୍ଷିକୀ ଉତ୍ସବରେ ହଳଦୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ହଳଦୀ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.