ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦ୍‌ଘାଟିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଙ୍କୁଳର ସଙ୍କୁଳସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳା ଗତ ୨୫ ତାରିଖ ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟବକ୍ତା ଡା. ପ୍ରଳୟ ନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସ୍ୱରୂପ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ତଥା ସଙ୍କୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ଵାଗତ ସମ୍ଭାଷଣ ଦେଇଥିଲେ । ସଙ୍କୁଳ ପ୍ରମୁଖ ଡ଼. ଜେ.କୁର୍ମା ରାଓ ଅଧ୍ୟକ୍ଷତା କରିଥିଲେ । ୬ଟି ବିଦ୍ୟାଳୟର ସମସ୍ତ ପ୍ରଧାନାଚାର୍ଯ୍ୟ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଡା. ପ୍ରଳୟ ନାୟକ ଭାରତୀୟ ସଂସ୍କୃତିରେ ବୈଜ୍ଞାନିକତା ବିଷୟରେ ମାର୍ଗଦର୍ଶନ କରିଥିଲେ । ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାର ସହ ଜିଲ୍ଲା ପ୍ରମୁଖ ବିପିନ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି, ସମ୍ପାଦକ ପଦ୍ମଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗଞ୍ଜାମ ବିଦ୍ୟାଳୟର ସହ ସଂପାଦକ ଦାମୋଦର ପଣ୍ଡା ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୨୧ ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା ୬ଟି ବିଦ୍ୟାଳୟରେ ପ୍ରଶିକ୍ଷାର୍ଥୀ ରୂପେ ଯୋଗ ଦେଇଥିଲେ । ଏହି ପ୍ରଶିକ୍ଷଣ ଚଳିତ ଏପ୍ରିଲ ୨୮ ତାରିଖରେ ଉଦ୍‌ଯାପିତ ହେବ ବୋଲି କାର୍ଯ୍ୟକ୍ରମର ଉଦ୍ୟକ୍ତାଗଣ କହିଛନ୍ତି । ଏହି ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳାରେ ମାତୃ ଭାରତୀର ସଦସ୍ୟାମାନଙ୍କ ସହିତ ପରିଚାଳନା ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.