- ଡାକ୍ତରୀ ଛାତ୍ରଙ୍କ ପାଇଁ ସମସ୍ତ ପ୍ରକାର ଖେଳ ଭିତ୍ତିଭୂମି ଉପଲବ୍ଧ କରାଯିବ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ଖେଳିବା ପାଇଁ ଏକ ବାସ୍କେଟ ବଲ କୋର୍ଟ ଏବଂ ବ୍ୟାଡ୍ମିଣ୍ଟନ କୋର୍ଟର ଶୁଭ ଉଦ୍ଘାଟନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଉପସ୍ଥିତିରେ ଉଦ୍ଘାଟିତ ହୋଇଥିବା ଏହି ବ୍ୟାଡ୍ମିଣ୍ଟନ କୋର୍ଟ ଏବଂ ବାସ୍କେଟ ବଲ କୋର୍ଟ ପାଇଁ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଗତ ବର୍ଷ ବିଧାୟକ ଶ୍ରୀ ମିଶ୍ର ନିଜ ବିଧାୟକ ପାଣ୍ଠିରୁ ଦରକାର ହେଉଥିବା ଅନୁଦାନ ରାଶି ପ୍ରଦତ୍ତ କରିଥିଲେ । ଛାତ୍ରୀ ନିବାସରେ ଦୁଇଟି ବ୍ୟାଡ୍ମିଣ୍ଟନ କୋର୍ଟ, ଛାତ୍ରଙ୍କ ପାଇଁ ଦୁଇଟି ଅଲଗା ବ୍ୟାଡ୍ମିଣ୍ଟନ କୋର୍ଟ ସହ ଉଭୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉନ୍ନତମାନର ବାସ୍କେଟ ବଲ କୋର୍ଟ ପ୍ରଦତ୍ତ ରାଶିରେ ପୁର୍ତ୍ତ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି । ଏହି ଉପଲକ୍ଷେ ଉପସ୍ଥିତ ଜିଲ୍ଲାପାଳ ଶ୍ରୀ ରାଣା ମେଡିକାଲ କଲେଜ ପରିସରରେ କ୍ରୀଡା ଭିତ୍ତିଭୂମି ପାଇଁ ବିଧାୟକ ଶ୍ରୀ ମିଶ୍ର ବିଧାୟକ ପାଣ୍ଠି ପ୍ରଦାନ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବରୁ ଏହି ଖେଳ ପଡିଆରେ ଆଲୋକିକରଣ ପାଇଁ ଏବଂ ଉଭୟ ଛାତ୍ରୀ ଓ ଛାତ୍ରଙ୍କ ନିମନ୍ତେ ଜିମ୍ନାସିୟମ ପାଇଁ ମଧ୍ୟ ବିଧାୟକ ଶ୍ରୀ ମିଶ୍ର ପାଣ୍ଠି ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ବିଧାୟକ ଶ୍ରୀ ମିଶ୍ର କହିଥିଲେ, ଏହି ମେଡିକାଲ କଲେଜ ସହ ତାଙ୍କର ଏକ ଭାବଗତ ସମ୍ପର୍କ ଅଛି, ତେଣୁ ଏଠାରେ କେବଳ କ୍ରୀଡା ନୁହେଁ ଚିକିତ୍ସା ଓ ପାଠପଢାରେ ମଧ୍ୟ ଦରକାର ହେଉଥିବା ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ସେ ପ୍ରତିଶୃତିବଦ୍ଧ । ଉଚ୍ଚ ଶିକ୍ଷା ଅନୁଷ୍ଠାନ ପାଇଁ ଯେତେବେଳେ ବି ପାଣ୍ଠି ଦରକାର ପଡିଛି ସେ ଅନାୟସରେ ବିଧାୟକ ପାଣ୍ଠିରୁ ଅନୁଦାନ ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ । ଆଲୋଚନା ସମୟରେ ନିର୍ମାଣଧିନ ୬୫୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ତାର ନିର୍ମାଣ ଯେମିତି ନିର୍ଦ୍ଧାରିତ ସମୟ ମଧ୍ୟରେ ସରିବ ସେ ଉପରେ ଜିଲ୍ଲାପାଳ ଧ୍ୟାନ ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ । କଲେଜର ପାଠପଢା ତଥା ଅନ୍ୟାନ୍ୟ କର୍ମଚାରୀ ସମସ୍ୟାକୁ ନେଇ ଉପସ୍ଥିତ ଡିନ୍ ସବିତା ମହାପାତ୍ର ଏବଂ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାଇସ ପ୍ରିନ୍ସିପାଲ ଡା. ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ, ୟୁନିୟନ ଏଡଭାଇଜର ଡା. ଶ୍ରୀକାନ୍ତ ପଣ୍ଡା, ଛାତ୍ର ସଭାପତି ବିଶାଳ କୁମାର ପଣ୍ଡା, ସଂପାଦକ ଅଭିଷେକ ପାଣି, ଉପସଭାପତି ସ୍ୱାଗତ ରଂଜନ ପୁରୋହିତ, ସହସଂପାଦକ ଶିବମ ଅଗ୍ରୱାଲ, ଖେଳ ସଂପାଦକ କେଦାର ନାଏକ, ସହସଂପାଦକ ଗୋବିନ୍ଦ ଚନ୍ଦ୍ର ମରାଣ୍ଡିଙ୍କ ସମେତ ଛାତ୍ରୀ ନିବାସରେ ଛାତ୍ରଛାତ୍ରୀଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।