jayashree

ପୁରୀରେ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟ ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିତ ବାର୍ଷିକ ତାଲିକା ଆଧାରରେ ଚଳିତ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ପକ୍ଷରୁ ଏକ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ପୁରୀ ସ୍ଥିତ ନୀଳାଚଳ ହାଟ ଠାରେ ଆୟୋଜିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର, କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ POHI 2022-23 ଯୋଜନାରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ ଶ୍ରୀଚନ୍ଦନ, ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସମ୍ବଲପୁରୀ ବସ୍ତ୍ରାଳୟ ସହ ବରଗଡ଼, କଟକ, ସୋନପୁର, ଆଠଗଡ, ବାରିପଦା, ନୟାଗଡ଼ ଓ ବୌଦ୍ଧ ବୟନ ମଣ୍ଡଳମାନଙ୍କରୁ ୧୫ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ବୁଣାକାର ସେମାନଙ୍କ ବସ୍ତ୍ରର ପ୍ରଦର୍ଶନ ଓ ବିକ୍ରୟ ପାଇଁ ଯୋଗଦାନ କରିଛନ୍ତି । ସେହିପରି ୧୮ ଜଣ ହସ୍ତଶିଳ୍ପ କାରିଗର ଯୋଗ ଦେଇଛନ୍ତି । ଏହି ମେଳା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଚଳିତ ବର୍ଷ ଜୁନ୍‌ ମାସ ଠାରୁ ଅକ୍ଟୋବର ମାସ ମଧ୍ୟରେ ଆୟୋଜିତ ମେଳାରେ ମୋଟ ୧୩୭.୯୭ ଲକ୍ଷ ଟଙ୍କାର କାରବାର ହୋଇଛି, ଯାହାକି ଅତ୍ୟନ୍ତ ଉତ୍ସାହପ୍ରଦ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.