- ସୌରଶକ୍ତି କେବଳ ବିଦ୍ୟୁତ ଉତ୍ପାଦନ ନୁହେଁ, ବରଂ ସଶକ୍ତୀକରଣ ଏବଂ ସମାବେଶୀ ବିକାଶ ମଧ୍ୟ : ରାଷ୍ଟ୍ରପତି
- ଆମେ ଯେତେବେଳେ ବୃହତ ସୌରଶକ୍ତି କେନ୍ଦ୍ରର ସ୍ଥାପନା କରୁଛୁ, ଆମେ ଉକ୍ତ ଅଞ୍ଚଳର ପରିବେଶ ସନ୍ତୁଳନ ସୁରକ୍ଷା ସୁନିଶ୍ଚିତ କରିବା ଉଚିତ୍ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆନ୍ତର୍ଜାତୀୟ ସୋଲାର ଆଲାଏନ୍ସ ସମ୍ମିଳନୀ (ଆଇଏସ୍ଏ)ର ଅଷ୍ଟମ ଅଧିବେଶନର ଉଦଘାଟନୀ ଅଧିବେଶନକୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଆଇଏସ୍ଏ ମାନବଜାତିର ମିଳିତ ଆକାଂକ୍ଷାର ପ୍ରତୀକ, ଯାହା ସୌରଶକ୍ତିକୁ ଅନ୍ତର୍ଭୁକ୍ତି, ମର୍ଯ୍ୟାଦା ଏବଂ ସାମୂହିକ ସମୃଦ୍ଧିର ଉତ୍ସ ଭାବରେ ଗ୍ରହଣ କରିଥାଏ । ସେ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱକୁ ପ୍ରଭାବିତ କରୁଛି । ଏହି ବିପଦର ମୁକାବିଲା କରିବା ଜରୁରୀ ଓ ଦୃଢ ପଦକ୍ଷେପ ନିଆଯିବା ଜରୁରୀ । ଭାରତ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାକୁ ପ୍ରତିବଦ୍ଧ ଓ ଏଥିପାଇଁ ଦୃଢ ପଦକ୍ଷେପ ଗ୍ରହଣ କରୁଛି । ଏହି ବୈଶ୍ୱିକ ଆହ୍ୱାନର ମୁକାବିଲା ଦିଗରେ ଆଇଏସ୍ଏ ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପକୁ ଦର୍ଶାଉଛି, ଯାହାକି ସୌର ଶକ୍ତିର ଗ୍ରହଣ ଓ ବ୍ୟବହାରକୁ ପ୍ରେତ୍ସାହିତ କରୁଛି । ରାଷ୍ଟ୍ରପତି କହିଛନ୍ତି ଯେ, ଅନ୍ତର୍ଭୁକ୍ତିର ଚିନ୍ତାଧାରା ଭାରତର ବିକାଶ ଯାତ୍ରାକୁ ପରିଭାଷିତ କରେ । ଦୂରାନ୍ତ ଅଞ୍ଚଳର ଘରଗୁଡ଼ିକୁ ଆଲୋକିତ କରିବାରେ ଆମର ଅଭିଜ୍ଞତା ଆମର ବିଶ୍ୱାସକୁ ଦୃଢ଼ କରୁଛି ଯେ ଶକ୍ତି ସମାନତା ହେଉଛି ସାମାଜିକ ସମାନତାର ମୂଳଦୁଆ । ସୁଲଭ ଏବଂ ସ୍ୱଚ୍ଛ ଶକ୍ତିର ଉପଲବ୍ଧତା ଜନସମୁଦାୟକୁ ସଶକ୍ତ କରେ, ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରେ ଏବଂ କେବଳ ବିଦ୍ୟୁତ୍ ଯୋଗାଣ ନୁହେଁ ଆହୁରି ଅନେକ ସୁଯୋଗ ଖୋଲିଥାଏ । ସୌରଶକ୍ତି କହିଲେ କେବଳ ବିଦ୍ୟୁତ ଉତ୍ପାଦନକୁ ଦର୍ଶାଏ ନାହିଁ, ବରଂ ଏହା ସଶକ୍ତୀକରଣ ଏବଂ ସମାବେଶୀ ବିକାଶକୁ ଦର୍ଶାଏ । ରାଷ୍ଟ୍ରପତି ସଦସ୍ୟ ଦେଶମାନଙ୍କୁ କେବଳ ଭିତ୍ତିଭୂମି ନୁହେଁ, ଲୋକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଏହି ସମାବେଶରେ ଏକ ସାମୂହିକ କାର୍ଯ୍ୟ ଯୋଜନା ବିକଶିତ କରିବା ଉଚିତ ଯାହା ସୌରଶକ୍ତି ସହ ନିଯୁକ୍ତି ସୃଷ୍ଟି, ମହିଳା ନେତୃତ୍ୱ, ଗ୍ରାମୀଣ ଜୀବିକା ଏବଂ ଡିଜିଟାଲ୍ ଅନ୍ତର୍ଭୁକ୍ତିକୁ ଯୋଡ଼ିବ । ଆମର ପ୍ରଗତି କେବଳ ମେଗାୱାଟରେ ମାପ କରାଯିବା ଉଚିତ ନୁହେଁ, ବରଂ ଆଲୋକିତ ହୋଇଥିବା ଜୀବନ ସଂଖ୍ୟା, ସଶକ୍ତ ହୋଇଥିବା ପରିବାର ସଂଖ୍ୟା ଏବଂ ରୂପାନ୍ତରିତ ଜନସମୁଦାୟ ସଂଖ୍ୟା ଦିଗରୁ ମପାଯିବା ଉଚିତ । ସର୍ବାଧିକ ଉପକାର ପାଇଁ ପ୍ରଯୁକ୍ତିବିଦ୍ୟାର ବିକାଶ ଏବଂ ସମସ୍ତଙ୍କ ସହ ନବୀନ ଓ ଉନ୍ନତ ପ୍ରଯୁକ୍ତିର ଆବଣ୍ଟନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଆମେ ଯେତେବେଳେ ବୃହତ ସୌରଶକ୍ତି କେନ୍ଦ୍ରର ସ୍ଥାପନା କରୁଛୁ, ଆମେ ସଂପୃକ୍ତ ଅଞ୍ଚଳର ପରିବେଶ ସନ୍ତୁଳନର ସୁରକ୍ଷା ସୁନିଶ୍ଚିତ କରିବା ଉଚିତ୍, କାରଣ ପରିବେଶ ସୁରକ୍ଷା ହେଉଛି ସବୁଜ ଶକ୍ତି ଆଡକୁ ଆଗେଇ ଯିବାର ମୌଳିକ କାରଣ । ରାଷ୍ଟ୍ରପତି କହିଛନ୍ତି ଯେ, ଆମକୁ କେବଳ ଆମ ଦେଶ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ଏବଂ କେବଳ ବର୍ତ୍ତମାନ ପିଢ଼ି ପାଇଁ ନୁହେଁ ବରଂ ଆଗାମୀ ପିଢ଼ି ପାଇଁ ମଧ୍ୟ ଅଧିକ ଉତ୍ସର୍ଗୀକୃତ ହୋଇ କାର୍ଯ୍ୟ କରିବାକୁ ପଡିବ । ଏହି ସମ୍ମିଳନୀରେ ହେବାକୁ ଥିବା ବିଚାରବିମର୍ଶ ଏବଂ ନିଷ୍ପତ୍ତି ସୌର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ପ୍ରମାଣିତ ହେବ ଏବଂ ଏହା ଏକ ସମାବେଶୀ ଏବଂ ସମବର୍ତ୍ତି ବିଶ୍ୱ ଗଠନରେ ଯୋଗଦାନ ଦେବ ।