- ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବ ଏହି ଷ୍ଟାଡିୟମ- ନରସିଂହ
- ସମ୍ପୂର୍ଣ୍ଣତାର ଆଉ ଏକ ପ୍ରତିଶୃତି ଦିଅନ୍ତୁ ଧର୍ମେନ୍ଦ୍ର- ନରସିଂହ
- ବହୁ ଶୀଘ୍ର ଲାଗିବ ସିନ୍ଥେଟିକ୍ ଟର୍ଫ – ଜିଲ୍ଲାପାଳ
- ତିନି ଦିନରେ ଖେଳା ହେବ ୨୧୦ ମ୍ୟାଚ, ପ୍ରଥମ ଦିନରେ ୯୮
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ପି.ଆର ହାଇସ୍କୁଲ ବ୍ୟାଡମିଣ୍ଟନ ଇନଡୋର ଷ୍ଟାଡିୟମ ଠାରେ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଧିବଦ୍ଧ ଭାବେ ୧୫ ଓ ୧୭ ବର୍ଷ ବର୍ଗର ରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନିଜ ବକ୍ତବ୍ୟରେ ସେ କହିଛନ୍ତି ଯେ, ବଲାଙ୍ଗିର ବାରମ୍ବାର ରାଜ୍ୟସ୍ତରୀୟ ଖେଳାଳି ପ୍ରସ୍ତୁତ କରିବା ସତ୍ୱେ ବ୍ୟାଡମିଣ୍ଟନ କ୍ଷେତ୍ରରେ ଭିତ୍ତିଭୂମିର ଅଭାବ ନବ ପ୍ରତିଭାକୁ ପୂର୍ଣ୍ଣ ମାତ୍ରାରେ ବିକଶିତ କରିବାରେ ବାଧା ସୃଷ୍ଟି କରୁଥିଲା । କିନ୍ତୁ, ଆଜି ସାରା ରାଜ୍ୟରେ ବଲାଙ୍ଗିର ଏଭଳି ଏକ ନିଆରା ଷ୍ଟାଡିୟମ ଗଠନ କରିବାରେ ସମର୍ଥ ହୋଇଛି । ଆମ ଖେଳାଳିମାନେ ନିଜର ପରିଶ୍ରମ ଓ ପ୍ରତିବଦ୍ଧତା ଜାରି ରଖିଲେ ଏହି ଷ୍ଟାଡିୟମ ଆଗାମୀ ଦିନରେ ନିଶ୍ଚୟ ଜାତୀୟ ସ୍ତରର ଖେଳାଳି ପ୍ରସ୍ତୁତ କରିବ ବୋଲି ଆଶା ପ୍ରକାଶ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଚାରି ବର୍ଷ ପୂର୍ବେ ମୋର ଅନୁରୋଧ କ୍ରମେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଷ୍ଟାଡିୟମ ତିଆରି ପାଇଁ ସହେଯାଗ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ତାହା ଅନେକାଂଶରେ ପୂରଣ ହୋଇଥିବାରୁ ବଲାଙ୍ଗିରବାସୀଙ୍କ ତରଫରୁ ମ୍ୟୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । କିନ୍ତୁ ପ୍ରକଳ୍ପର ସଂପୂର୍ଣ୍ଣତା ପାଇଁ ଏବେ ମଧ୍ୟ ଅନେକ କାମ ବାକି ରହିଛି । ତେଣୁ ଅଗାମୀ ଦିନରେ ହେବାକୁ ଥିବା ପ୍ରକଳ୍ପ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସଂପୂର୍ଣ୍ଣତାର ଆଉ ଏକ ପ୍ରତିଶୃତି ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଆହ୍ୱାନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଯୋଗ ଦେଇ ବଲାଙ୍ଗିରକୁ ରାଜ୍ୟ ପ୍ରତିଯୋଗିତା ଆୟୋଜନ କରିବା ପାଇଁ ସୁଯୋଗ ଦେଇଥିବା ପାଇଁ ରାଜ୍ୟ ସଂଘ ଓ ପାଇଥିବା ସୁଯୋଗକୁ ସାମର୍ଥ୍ୟର ସହ ପାଳନ କରୁଥିବା ପାଇଁ ଜିଲ୍ଲା ସଂଘକୁ ସାଧୁବାଦ ଦେଇଥିଲେ । ଆହୁରି ଖୁବ୍ ଶୀଘ୍ର ଉକ୍ତ ଷ୍ଟାଡିୟମରେ ସିନ୍ଥେଟିକ କୋର୍ଟ ଲଗାଯିବା ନେଇ ଘୋଷଣା କରିଥିଲେ । ସେହିପରି ବଲାଙ୍ଗିର ଏସ୍ପି ନିତିନ କୁଶଲକର ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ବ୍ୟାଡମିଣ୍ଟନ ସଂଘର ଉଦ୍ୟମକୁ ଭୁରି ଭୁରି ପ୍ରଶଂସା କରିବା ସହ ବ୍ୟାଡମିଣ୍ଟନ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ପ୍ରତିଯୋଗିତାର ସାଂଗଠନିକ ସଂପାଦକ ସୁରୁଲାଲ ମଟାରୀ ସଂଯୋଜନା କରିଥିବା ବେଳେ ରାଜ୍ୟ ସଂପାଦକ ନିଲିନ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ କୁମାର ନାଗ ଭୂଷଣ, ଜିଲ୍ଲା ସଂଘ କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ପି.ଆର ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠି ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଅତିଥିମାନଙ୍କୁ ଜିଲ୍ଲା ସଂଘର କାର୍ଯ୍ୟକର୍ତ୍ତାମାନେ ଫୁଲତୋଡା ଦେଇ ସ୍ୱାଗତ କରିବା ସହ ମଞ୍ଚକୁ ପାଛୋଟି ନେଇଥିଲେ । ମଞ୍ଚରେ ସମସ୍ତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପର୍ବ ପରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଫିତା କାଟି ଖେଳ ଆରମ୍ଭ ଘୋଷଣା କରିଥିଲେ । ତିନି ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାକୁ ଚିଫ ରେଫରି ଗୀତା ଦାସ, ମ୍ୟାଚ କଣ୍ଟ୍ରୋଲର ବିଜୟ ବାଗ ଓ ସଟଲ୍ କଣ୍ଟ୍ରୋଲର ଲକ୍ଷପତି ନନ୍ଦ ନିଜ ବୈଷୟିକ ଦଳ ସହିତ ପରିଚାଳନା କରିବେ । ଆଜି ପ୍ରଥମ ଦିନରେ ୯୮ ଗୋଟି ମ୍ୟାଚ ହେବାକୁ ଥିବା ବେଳେ ଖବର ଲେଖା ଯିବା ପର୍ଯ୍ୟନ୍ତ ୧୫ ବର୍ଷ ବାଳକ ବର୍ଗର ୨୧ଟି ମ୍ୟାଚରୁ ଆଦିତ୍ୟ ଆର୍ଯ୍ୟ ପ୍ରତାପ, ଅଂଶ ସିହ୍ନା, ଶୁଭ୍ରଜିତ ମେହେର, ଶ୍ରେୟାଂଶ ଜେନା, ବିନମ୍ର କେଡିଆ, ଶୁଭ୍ରକେତନ ମଲ୍ଲିକ, ଉଦୟ ଭାସ୍କର, ଜ୍ୟୋର୍ତି ଆଦିତ୍ୟ, ଅୟୁଷ୍ମାନ ରାଏ, ଦିବ୍ୟମ କେଜ୍ରିୱାଲ, ମୟାସ କୁମାର, ଓଜାଦିପ ମାଝୀ, ନାରେଶ ନାଏକ, ମନହର ନାଏକ, ମୋହିତ ବେହେରା, ଆରୁଷ ପ୍ରଧାନ, ପ୍ରତିକ ଅର୍ମାନ, ଆୟୁଷ ତ୍ରିପାଠୀ, ମହାରିଶି ଶୁକ୍ଲା, ଅଗସ୍ତ୍ୟ ନାୟକ ଓ ୧୭ ବର୍ଷ ବାଳକ ବର୍ଗର ୮ଟି ମ୍ୟାଚରୁ ସାଇ କେଶବ ମୋଦୀ, ଅନିର୍ବନ ସାମନ୍ତ, ଜିବନ ପଣ୍ଡା, ଶୁଭମ ଦାଶ, ରିତେଶ ଦାଶ, ମାନବ ନାୟକ, ଜି ଶାସ୍ୱତ, ଜୟେଶ ଅଗ୍ରୱାଲ ଆଗାମୀ ପର୍ଯ୍ୟାୟକୁ ଉନ୍ନିତ ହୋଇଛନ୍ତି । ସହରର ଶହ ଶହ ଛାତ୍ରଛାତ୍ରୀ, ଖେଳପ୍ରେମୀ ପ୍ରତିଯୋଗିତାକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।