ଶିମିଳିପାଳ ଅଞ୍ଚଳରେ ବିଏସଏନଏଲ ଫୋର୍-ଜି ସେବାର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ମୟୂରଭଞ୍ଜ, (ପିଆଇବି) : ମୟୂରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ୍ ଅନ୍ତର୍ଗତ ସିମିଳିପାଳ ଅଞ୍ଚଳର ଗୁଡୁଗୁଡିଆ, ବରସିଆ ଓ ଅସ୍ତକୁଅଁର ଗ୍ରାମରେ ଭାରତ ସଞ୍ଚାର ନିଗମ୍ ଲିମିଟେଡ୍ (ବିଏସଏନଏଲ) ପକ୍ଷରୁ ଫୋର୍‌-ଜି ମୋବାଇଲ୍ ସେବାର ଉଦ୍‌ଘାଟନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସମ୍ପନ୍ନ ହୋଇଛି । ଏହି ଉତ୍ସବରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଓ ଅନ୍ୟ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଫୋର୍‌-ଜି ମୋବାଇଲ୍ ଟାୱାରଗୁଡ଼ିକ ଭାରତ ସରକାରଙ୍କ ଡିଜିଟାଲ୍ ଭାରତ ନିଧି (ଡିବିଏନ) ଅଧୀନରେ ଚାଲିଥିବା ଫୋର୍‌-ଜି ସାଚୁରେସନ୍ ପ୍ରକଳ୍ପ ଅନ୍ତର୍ଗତ ସ୍ଥାପିତ ହୋଇଛି, ଯାହାର ଲକ୍ଷ୍ୟ ଦେଶର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳକୁ ହାଇସ୍ପିଡ୍ ମୋବାଇଲ୍ ସଂଯୋଗ ପ୍ରଦାନ କରି ଡିଜିଟାଲ୍ ତାରତମ୍ୟକୁ କମେଇବା । ଓଡ଼ିଶା ରାଜ୍ୟରେ ବିଏସଏନଏଲ ପକ୍ଷରୁ ଡିବିଏନ ଅର୍ଥାୟନରେ ମୋଟ ୧୬୬୪ଟି ନୂତନ ଟାୱର ଏବଂ ୨୫୬ଟି ବିଟିଏସ ଉନ୍ନତିକରଣ କାର୍ଯ୍ୟ ରୂପାୟନ ହେଉଛି । ମୟୂରଭଞ୍ଜ ଜିଲ୍ଲାରେ ମୋଟ ୭୮ଟି ନୂତନ ଫୋର୍‌-ଜି ଟାୱର ସ୍ଥାପନର ଯୋଜନା ରହିଥିବାବେଳେ, ଏପର୍ଯ୍ୟନ୍ତ ୬୫ଟି ବିଟିଏସ କାର୍ଯ୍ୟକ୍ଷମ ହୋଇ ୧୩୧ଟି ପୂର୍ବରୁ ମୋବାଇଲ୍ ସେବା ବଞ୍ଚିତ ଗ୍ରାମକୁ ସଂଯୋଗ ପ୍ରଦାନ କରୁଛି । ଶିମିଳିପାଳ ଜଙ୍ଗଲ ଅଞ୍ଚଳରେ ଅନୁମୋଦିତ ୧୪ଟି ଟାୱର ମଧ୍ୟରୁ ୧୦ଟି ଟାୱର କାର୍ଯ୍ୟରତ ହୋଇ ୧୯ଟି ଦୁର୍ଗମ ଗ୍ରାମକୁ ମୋବାଇଲ୍ ସେବା ମିଳୁଛି । ଆଜି ଉଦ୍‌ଘାଟିତ ତିନୋଟି ଫୋର୍‌-ଜି ଟାୱର ମାଧ୍ୟମରେ ୪୫୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୯ଟି ଅପହଞ୍ଚ ଗ୍ରାମ ସିଧାସଳଖ ଭାବେ ଲାଭାନ୍ୱିତ ହେବେ । ଏହି ଫୋର୍‌-ଜି ସେବା ଛାତ୍ରଛାତ୍ରୀଙ୍କ ଅନଲାଇନ ଶିକ୍ଷା, ଗ୍ରାମବାସୀଙ୍କ ଅନଲାଇନ୍ ବ୍ୟାଙ୍କିଂ, ଡିଜିଟାଲ୍ ପେମେଣ୍ଟ, ଟେଲିମେଡିସିନ୍, ସ୍ୱାସ୍ଥ୍ୟସେବା ଓ ବିଭିନ୍ନ ଇ-ଗଭର୍ନାନ୍ସ ସେବାକୁ ସୁଗମ କରିବା ସହ ଗ୍ରାମୀଣ ଅର୍ଥନୀତି ଓ ସାମାଜିକ ବିକାଶକୁ ନୂତନ ଗତି ଦେବ । ଏହି ପଦକ୍ଷେପ ଡିଜିଟାଲ୍ ସଂଯୋଗୀକରଣ ମାଧ୍ୟମରେ ସମାବେଶୀ ଓ ସନ୍ତୁଳିତ ବିକାଶ ପ୍ରତି ସରକାରଙ୍କ ଅତୁଟ ପ୍ରତିବଦ୍ଧତାର ଏକ ସ୍ପଷ୍ଟ ପ୍ରମାଣ ଭାବେ ଦେଖାଯାଉଛି । ଏହି ଅବସରରେ ବିଏସଏନଏଲ ଓଡ଼ିଶାର ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ), ଦୁଷ୍ମନ୍ତ କୁମାର ବେହେରା ଓଡ଼ିଶାର ସମସ୍ତ ନାଗରିକଙ୍କୁ ସୁଲଭ, ସୁରକ୍ଷିତ ଏବଂ ଉଚ୍ଚ ଗୁଣସ୍ତରୀୟ ଡିଜିଟାଲ୍ ସେବାପ୍ରଦାନ କରିବା ପ୍ରତି ବିଏସଏନଏଲର ଦୃଢ଼ ପ୍ରତିବଦ୍ଧତାକୁ ଉଲ୍ଲେଖ କରିଥିଲେ । ସେ ଦୁର୍ଗମ ଅଞ୍ଚଳଗୁଡ଼ିକୁ ମଧ୍ୟ ସଂଯୋଗ କରିବାରେ ବିଏସଏନଏଲର ଭରସାଯୋଗ୍ୟ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ । ବିଏସଏନଏଲର ସ୍ୱଦେଶୀ ଫୋର୍‌-ଜି ସେବାର ଉଦଘାଟନ ଭାରତର ଡିଜିଟାଲ୍ ଢାଞ୍ଚାକୁ ସୁଦୃଢ଼ କରିବା ସହିତ ସ୍ୱାବଲମ୍ବୀ ଓ ଡିଜିଟାଲ୍ ଭାବେ ସଶକ୍ତ ଭାରତ ଗଢ଼ିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଷ୍ଟୋନ୍ ଭାବେ ପରିଗଣିତ ହେଉଛି ।

Leave A Reply

Your email address will not be published.