ଗଣପତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୃହ ଉଦ୍‌ଘାଟନ କଲେ ନରସିଂହ

  • ଏକତା, ଶୃଙ୍ଖଳା ଓ ଶିକ୍ଷା ଦ୍ୱାରା ବିକାଶ ସମ୍ଭବ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଂଚଳର ଲୋକଙ୍କ ଭିତର ଏକତା ଓ ଶୃଙ୍ଖଳା ରହୁ ଯା ଦ୍ୱାରା ଆପଣମାନଙ୍କ ଭିତରେ ଭାଇଚାରା ପ୍ରତିଷ୍ଠା ହୋଇପାରିବ, ତା ସହ ଆପଣମାନେ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱାରୋପ କରନ୍ତୁ ଯାହାକି ଆପଣମାନଙ୍କର ତଥା ଏ ଅଂଚଳର ସାମଗ୍ରିକ ବିକାଶ ସମ୍ଭବ ହେବ ବୋଲି ଆଜି ଶିକାଛିଡା ପଂଚାୟତ ଶିକାଛିଡା ଠାରେ ଗଣପତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କୋଠା ଉଦ୍‌ଘାଟନ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଏହା ସହ ଆହୁରି ମଧ୍ୟ କହିଛନ୍ତି କ୍ଲବ ଘର ହେଉ କି ଗୋଷ୍ଠି କେନ୍ଦ୍ର ଉଦ୍‌ଘାଟନ ହେଉ ଏହା ଅଂଚଳର ବିକାଶ ଦିଗରେ ଏତେ ବେଶି ପ୍ରଭାବ ପକାଇ ନ ଥାଏ । ଯଦି ଆପଣମାନେ ପ୍ରକୃତ ବିକାଶ ଚାହୁଁଛନ୍ତି ତେବେ ଏ ଅଂଚଳରେ ଶିକ୍ଷା ଯେପରି ଠିକ୍‌ ହିସାବରେ ହୋଇପାରିବ ସେ ପ୍ରତି ଧ୍ୟାନ ଦିଅନ୍ତୁ । ଏ ଅଂଚଳର ଛୋଟ ଛୋଟ ଛୁଆମାନଙ୍କ ବିଦ୍ୟା ଅଧ୍ୟୟନ ପ୍ରତି ଧ୍ୟାନ ଦିଅନ୍ତୁ । ସ୍କୁଲ, କଲେଜର ଅଭାବ ଯେପରି ପୁରଣ ହୋଇପାରିବ ସେ ଦିଗରେ ଏକତ୍ରିତ ହୋଇ କାମ କରନ୍ତୁ । କାରଣ ଆପଣମାନେ ବିଭାଜିତ ହେଲେ ଅଂଚଳର ବିକାଶରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଶ୍ରୀ ମିଶ୍ର କହିଥିଲେ । ଲୋକଙ୍କ ସହ ଆଲୋଚନା ବେଳେ ଏ ଅଂଚଳରେ ଧାନକିଣା କେନ୍ଦ୍ର ନ ଥିବାରୁ ଏଠାରୁ ବହୁତ ଦୂରରେ ଥିବା ଖୁଜେନପାଲି ଧାନକିଣା କେନ୍ଦ୍ରରେ ଏ ଅଂଚଳର ଚାଷୀ ଧାନ ବିକ୍ରି କରିବା ପାଇଁ ଯାଉଥିବା ଅନେକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଥିଲେ । ଶ୍ରୀ ମିଶ୍ର ଏହାର ସମାଧାନ ପାଇଁ ଏଠାରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠି ଧାନ କିଣିବା ପାଇଁ ସମବାୟ ବିଭାଗକୁ ଅର୍ଜି ଲେଖୁ ସେ ଦିଗରେ ସେ ନିଶ୍ଚିତ ଭାବରେ ସହଯୋଗ କରିବେ ବୋଲି ଶ୍ରୀ ମିଶ୍ର ଉପସ୍ଥିତ ମହିଳାମାନଙ୍କୁ ପ୍ରତିଶୃତି ଦେଇଥିଲେ । ତା ସହ ସେଠାରେ ଥିବା ବିଜୁଳି, ପାଣି ଏ ସବୁ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଆଗାମୀ ୧୫ ତାରିଖ ଦିନ ଗଣପତି ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ହେବାକୁ ଥିବା ନୂଆଁଖାଇ ଭେଟଘାଟ ପାଇଁ ଆଲୋଚନା ହେବା ସହ ଅନୁଷ୍ଠାନର ଏକ ଲୋଗୋକୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉନ୍ମୋଚନ କରିଥିଲେ । ଆଜିର ଏହି ସଭାରେ ଅନୁଷ୍ଠାନର ସଭାପତି ଆଦିକନ୍ଦ ବଗର୍ତ୍ତି, ସଂପାଦକ ରମାକାନ୍ତ ନାଏକ, ଅଟଳ ବିଶି, ପ୍ରଦୀପ ଦେହେରୀ, ରିଙ୍କୁ ରାଉତ, ସନ୍ତୋଷ ଦେହେରୀ, ରଂଜିତ କରନ, ମନୋଜ ବିଶ୍ୱାଲ, ସୁବଳ ମେହେର, ଗୁପ୍ତେଶ୍ୱର ପାତ୍ର, ପରମେ ବଗର୍ତ୍ତି, ରାଜ କୁମାର ଭାଟି ତଥା ସାମାଜିକ କର୍ମୀ ସନ୍ଦୀପ ବାଗ ଓ ବିନୋଦ କାଲସାଏ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.