ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆଠାରେ ରଥଯାତ୍ରା ଉପଲକ୍ଷେ ୩ ଦିନିଆ ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବର ଉଦ୍ଦେଶ୍ୟ ହେଉଛି ଗ୍ରାମ୍ୟ ସ୍ତରରେ ଦିନକୁ ଦିନ ଲୋପ ପାଇଯାଉଥିବା ପାଲା ନୃତ୍ୟକୁ ଆଧୁନିକ ଯୁଗରେ ଲୋକାଭିମୁଖ କରିବା ପାଇଁ ଓ କଳାକାରଙ୍କୁ ଉତ୍ସାହିତ ଏବଂ ସମ୍ମାନର ସହ ଆଗକୁ ଆଣିବାକୁ ଏହା ଏକ ଅଭିନବ ପ୍ରୟାସ । ସାହିତ୍ୟ ଓ ସାରସ୍ୱତ ସାଧନା ମାଧ୍ୟମରେ ବିଭିନ୍ନ ଆଲୋଚନା ଓ ସଚେତନତା ବାର୍ତ୍ତା ଦେଉଥିଲା ପାଲା । ସାଂପ୍ରତିକ ଯୁଗରେ ମଧ୍ୟ ବିପଥଗାମୀ ସମାଜକୁ ସରସ ସୁନ୍ଦର ଓ ପରିମାର୍ଜିତ କରିବା ପାଇଁ ପାଲାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ଉତ୍ସବକୁ ସାରସ୍ୱତ ସାଧକ ତଥା ସଂସ୍କୃତ ଗବେଷକ ସୁରେଶ ଚନ୍ଦ୍ର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ସରପଂଚ ଜନ୍ମଜୟ ମେହେର, ବରିଷ୍ଠ କ୍ରୀଡାବିତ୍‌ ବିଜୟ କୁମାର ଜାନି, ଶିକ୍ଷାବିଦ୍‌ ନିମାଇଁ ପାଣିଗ୍ରାହୀ, ସମବାୟ ସଂପାଦକ ପ୍ରମୋଦ କର୍ମୀ ପ୍ରମୁଖ ମଂଚାସିନ ଥିଲେ । ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସହଯୋଗ ରେ ପ୍ରଥମ ଦିନରେ ଓମ୍‌ ଶ୍ରୀ ଭାରତୀ ପାଲା ଅନୁଷ୍ଠାନ, ବଡଗାଁ, ସୁନ୍ଦରଗଡ ଜିଲ୍ଲା ର ପାଲା ଗାୟକ ପଶ୍ଚିମରତ୍ନ ଫକିର ମୋହନ ବାଡା, ସନାତନ ବାଗ, ପାଲିଆ ଶରତ ବରୁଆ, ମନବୋଧ କମାର, ସଂଜୟ ନାଥ, ଦୁଃସାଶନ ନାଥ ଓ ଜୟ ମାଁ ଦନ୍ତେଶ୍ୱରୀ ପାଲା ଦଳ ଧୁମାଭଟା , ବଲାଙ୍ଗିର ଜିଲ୍ଲାର ପାଲା ଗାୟକ ରସରାଜ ବୁଡେକ, ପାଲିଆ ଶରତ ପୁଟେଲ, କ୍ଷିରେଦ୍ର କରଣ, ଦେବ ବାଗ, ସନ୍ୟାସି ବୁଡେକ, ଘନଶ୍ୟାମ ଭାଟି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଶେଷରେ ସମସ୍ତ କଳାକାରଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଭାପତି ଜୟକୃଷ୍ଣ ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମକୁ ସଦାନନ୍ଦ ମହଲା, ପ୍ରଶାନ୍ତ ମହାକୁର, ନରେନ୍ଦ୍ର କବାଟ, ସଂଜୟ ନାଏକ, ଲବ ନାଗ, ମଦନ ସାହୁ ଦେବାଳୟ ସୁରକ୍ଷା କମିଟି, ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ସଂଯୋତ କଳା କେନ୍ଦ୍ର ପ୍ରମୁଖ ଆୟୋଜନ କରିଥିଲେ ।

Leave A Reply

Your email address will not be published.