କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତର ପ୍ରଦେଶର ନୋଏଡା ହାଟରେ ଆୟୋଜିତ ସାରସ ଆଜୀବିକା ମେଳାକୁ କଲେ ଉଦ୍‌ଘାଟନ

• ସ୍ୱୟଂ ସହାୟକ ଗୋଷ୍ଠୀର ଦିଦିମାନଙ୍କୁ କୋଟିପତି କରିବାରେ ସାରସ ମେଳାର ବଡ଼ ଅବଦାନ ରହିଛି : କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ
• ଆମେ ଗ୍ରାମୀଣ ଉତ୍ପାଦକୁ ପ୍ରୋତ୍ସାହିତ କରିବା ଉଚିତ : ଶ୍ରୀ ଚୌହାନ
• ପରିଦର୍ଶକମାନେ ୩୦ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି) ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ମଜା ଉଠାଉଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ଉତ୍ତରପ୍ରଦେଶର ନୋଏଡା ହାଟରେ ଆୟୋଜିତ ସାରସ ଆଜୀବିକା ମେଳାକୁ ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି । ଏହି ବିଶେଷ ଅବସରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡ. ଚନ୍ଦ୍ରଶେଖର ପେମସାନି ଏବଂ କମଲେଶ ପାସୱାନ ମଧ୍ୟ ଉପସ୍ଥିତ ଥିଲେ । ଲକ୍ଷପତି ଦିଦିମାନଙ୍କୁ ସମ୍ବୋଧିତ କରି ସ୍ୱୟଂ ସହାୟକ ଗୋଷ୍ଠୀର ଭଉଣୀମାନଙ୍କୁ ଲକ୍ଷପତି କରିବାରେ ସାରସ ମେଳାର ବହୁତ ବଡ଼ ଅବଦାନ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି । ସେମାନେ ସେମାନଙ୍କ କଳା ମାଧ୍ୟମରେ ରୋଜଗାର କରୁଛନ୍ତି । ‘ମୁଁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଗ୍ରାମୀଣ ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରୁଛି” ବୋଲି ଶ୍ରୀ ଚୌହାନ କହିଛନ୍ତି । ଚନ୍ଦ୍ରଶେଖର ପେମସାନି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଏହା କେବଳ ଏକ ମେଳା ନୁହେଁ ବରଂ ଏକ ଆନ୍ଦୋଳନରେ ପରିଣତ ହୋଇଛି, ଏମିତି ଏକ ଆନ୍ଦୋଳନ ଯେଉଁଠାରେ ମହିଳାମାନେ ଶ୍ରମିକ ହେବା ପରିବର୍ତ୍ତେ ନିଯୁକ୍ତିଦାତା ହେଉଛନ୍ତି । ସେମାନେ କେବଳ ଗୃହିଣୀ ନୁହଁନ୍ତି, ବରଂ ଉଦ୍ୟୋଗୀ ମଧ୍ୟ ଏବଂ କେବଳ ହିତାଧିକାରୀ ନୁହଁନ୍ତି ବରଂ ଭାରତର ଅର୍ଥନୈତିକ ପ୍ରଗତିର ନେତୃତ୍ୱ ନେଉଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ – ଏସ୍‌ଏଚ୍‌ଜି ଦିଦିମାନେ ବର୍ତ୍ତମାନ ସରକାରୀ ଇ- ମାର୍କେଟପ୍ଲେସ ଜିଇଏମ ମାଧ୍ୟମରେ ସରକାରଙ୍କୁ ସିଧାସଳଖ ଉତ୍ପାଦ ବିକ୍ରି କରୁଛନ୍ତି । ସାରସ ମେଳା ଉଭୟ ଲକ୍ଷପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ପାଇଁ ଏକ ପରିଚୟ ପାଲଟିଛି ବୋଲି କମଲେଶ ପାସୱାନ କହିଛନ୍ତି । ଏହି ମେଳା କେବଳ ମେଳା ନୁହେଁ, ବରଂ ଏକ ବିରାଟ ମଞ୍ଚ ଯାହା ମାଧ୍ୟମରେ ଲୋକମାନେ ଜୈବିକ ଉତ୍ପାଦ ପ୍ରତି ଆକୃଷ୍ଟ ହେଉଛନ୍ତି । ଗ୍ରାମୀଣ ଭାରତର ହସ୍ତଶିଳ୍ପ ଓ କଳାକୁ ପ୍ରଦର୍ଶିତ କରିବାର ମୁଖ୍ୟ ଉଦ୍ଦେଶ୍ୟ ନେଇ ଫେବୃଆରୀ ୨୧ରୁ ମାର୍ଚ୍ଚ ୧୦, ୨୦୨୫ ପର୍ଯ୍ୟନ୍ତ ସାରସ ଆଜୀବିକା ମେଳା ୨୦୨୫ ଆୟୋଜନ କରାଯାଉଛି । ଜାତୀୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏନଆଇଆରଡିପିଆର) ସହଯୋଗରେ ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପଞ୍ଚମ ଥର ପାଇଁ ପରମ୍ପରା, କଳା ଓ ସଂସ୍କୃତି ଏବଂ “ଲକ୍ଷପତି ସ୍ୱୟଂ ସହାୟକ ଗୋଷ୍ଠୀ ଦିଦିଙ୍କ ରପ୍ତାନି ସମ୍ଭାବନାର ବିକାଶ” ଶୀର୍ଷକରେ ପ୍ରସିଦ୍ଧ ସାରସ ଆଜୀବିକା ମେଳା ୨୦୨୫ ଆୟୋଜନ କରାଯାଉଛି । ସାରସ ମେଳାର ପର୍ଯ୍ୟଟକମାନେ ୩୦ଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍‌ଜି) ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଉତ୍ପାଦର ମଜା ନେଉଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ନିର୍ମିତ ହସ୍ତତନ୍ତ, ହସ୍ତଶିଳ୍ପ ଓ ପ୍ରାକୃତିକ ଖାଦ୍ୟ ସାମଗ୍ରୀକୁ ପ୍ରଦର୍ଶନ ଉଦ୍ଦେଶ୍ୟରେ ଓ ବିକ୍ରି ପାଇଁ ୨୦୦ଟି ଷ୍ଟଲରେ ପ୍ରଦର୍ଶିତ କରାଯାଇଛି । ଏହା ବ୍ୟତୀତ ନୋଏଡା ହାଟରେ ୨୦ଟି ରାଜ୍ୟର ୨୫ଟି ଲାଇଭ୍ ଫୁଡ୍ ଷ୍ଟଲ୍‌ରେ ସେମାନଙ୍କ ପାରମ୍ପରିକ ଖାଦ୍ୟ ଓ ସ୍ୱାଦିଷ୍ଟ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହେଉଛି । ଏହି ସାରସ ଆଜୀବିକା ମେଳାରେ ସାରା ଦେଶରୁ ପ୍ରାୟ ୪୫୦ ଏସ୍‌ଏଚ୍‌ଜି ସଦସ୍ୟ ଅଂଶଗ୍ରହଣ କରୁଛନ୍ତି । ସାରସ ଆଜୀବିକା ମେଳା- ୨୦୨୫ରେ ବିଭିନ୍ନ ରାଜ୍ୟର ହସ୍ତତନ୍ତ ଶାଢ଼ୀ ଓ ପୋଷାକ ସାମଗ୍ରୀର ଚମତ୍କାର ପ୍ରଦର୍ଶନ କରାଯାଇଛି । ମେଳାରେ ବିଭିନ୍ନ ରାଜ୍ୟ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରୁଛନ୍ତି, ଯାହା ମଧ୍ୟରେ ରହିଛି, ଆନ୍ଧ୍ରପ୍ରଦେଶର କଲମକାରୀ, ଆସାମର ମେଖଳା ଚାଦର, ବିହାରର କପା ଓ ରେଶମ, ଛତିଶଗଡ଼ର କୋସା ଶାଢୀ, ଗୁଜରାଟର ଭରତ ଗୁଣ୍ଠନ ଓ ପ୍ୟାଚ୍ ୱାର୍କ, ଝାଡ଼ଖଣ୍ଡର ଟସର ରେଶମ ଓ କପା, ମଧ୍ୟପ୍ରଦେଶର ଚନ୍ଦେରୀ ଓ ବାଗ ପ୍ରିଣ୍ଟ, ମେଘାଳୟର ଏରି ଉତ୍ପାଦ, ଓଡ଼ିଶାର ଟସର ଓ ବାନ୍ଧ, ତାମିଲନାଡୁର କାଞ୍ଚିପୁରମ୍, ତେଲଙ୍ଗାନାର ପଚମପଲ୍ଲୀ, ଉତ୍ତରାଖଣ୍ଡର ପଶମିନା, ପଶ୍ଚିମବଙ୍ଗର କାନ୍ଥା, ବାଟିକ ପ୍ରିଣ୍ଟ, ତନ୍ତ ଓ ବାଲୁଚରୀ ଶାଢ଼ୀ ଇତ୍ୟାଦି । ମେଳାରେ ବିଭିନ୍ନ ରାଜ୍ୟର ହସ୍ତଶିଳ୍ପ, ଅଳଙ୍କାର ଓ ଗୃହସଜ୍ଜା ସାମଗ୍ରୀ ପ୍ରଦର୍ଶିତ ହେଉଛି । ଏହାବ୍ୟତୀତ ଖାଦ୍ୟ ଷ୍ଟଲ ଗୁଡ଼ିକରେ ଅଦା, ଚା’ , ବିଭିନ୍ନ ପ୍ରକାରର ଡାଲି, କଫି, ପାପଡ଼, ସେଓ ଜାମ୍ ଓ ଆଚାର ଭଳି ପ୍ରାକୃତିକ ଖାଦ୍ୟ ସାମଗ୍ରୀ ମଧ୍ୟ ଉପଲବ୍ଧ ହେଉଛି । ସାରସ ମେଳାରେ ବରିଷ୍ଠ ନାଗରିକମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା, ପିଲାଙ୍କ ପାଇଁ ଜୋନ୍ ଏବଂ ମା’ଙ୍କ ଯତ୍ନ ପାଇଁ ବ୍ୟବସ୍ଥା କରାଯାଇଛି । ସାରସ ମେଳାରେ ପ୍ରତିଦିନ ପର୍ଯ୍ୟଟକମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ମଧ୍ୟ ନେଉଛନ୍ତି । ଏସ୍ଏଚ୍‌ଜି ଭଉଣୀମାନଙ୍କ ରପ୍ତାନି କ୍ଷମତାକୁ ବିକଶିତ କରିବା ପାଇଁ ନୋଏଡା ହାଟସ୍ଥିତ ସାରସ ମେଳା ପରିସରରେ ଏକ ଉତ୍ସର୍ଗୀକୃତ ରପ୍ତାନି ପ୍ରୋତ୍ସାହନ ମଣ୍ଡପ ନିର୍ମାଣ କରାଯାଇଛି । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଆଜୀବିକା ମିଶନ ଅଧୀନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିଯାନର ଉଦ୍ଦେଶ୍ୟ ଶିଳ୍ପୀ ଏବଂ କାରିଗରମାନଙ୍କୁ ସେମାନଙ୍କ ଜୀବିକା ଏବଂ ସାମଗ୍ରିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବା । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ଅଭିଯାନ ଏବଂ ‘୨୦୪୭ ସୁଦ୍ଧା ବିକଶିତ ଭାରତ’ ପରିକଳ୍ପନାକୁ ପ୍ରୋତ୍ସାହିତ କରିବ ।

Leave A Reply

Your email address will not be published.