shyamal

ବଲାଙ୍ଗିର ସହରରେ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଉଦ୍‌ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ କରକମଳରେ ଉଦ୍‌ଘାଟିତ ହୋଇଯାଇଛି ପଞ୍ଚମ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରୁ ଭୀମ ଭୋଇ ମେଡ଼ିକାଲ୍‌ କଲେଜକୁ ଯାଉଥିବା ରାସ୍ତା ନେହେରୁ ନଗରରେ ଆଜି ସଂଧ୍ୟାରେ ସହରର ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ୱଳନ କରିବା ସହ ଫିତା କାଟି ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ଦ୍ୱାରା ନୂତନ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଉଦ୍‌ଘାଟିତ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଏହି ଅବସରରେ ଡ. ମହାଲିଙ୍ଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ହେଉଛି ଭାରତ ସରକାରଙ୍କ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଜନକଲ୍ୟାଣ ଯୋଜନା । ଜନସାଧାରଣ କିଭଳି ସୁଲଭ ମୂଲ୍ୟରେ ଔଷଧ କିଣି ପାରିବେ, ସେ ଦିଗକୁ ଲକ୍ଷ୍ୟ ରଖି ଭାରତ ସରକାରଙ୍କ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଛି । ଏହି ଜନ ଔଷଧୀ କେନ୍ଦ୍ରରେ ଉପଯୁକ୍ତ ମାନର ମେଡ଼ିସିନ୍‌ ୫୦ରୁ ୯୦ ପ୍ରତିଶତ ଶସ୍ତା ଦରରେ ଲୋକେ ପାଇ ପାରୁଛନ୍ତି ଏବଂ ଉପକୃତ ହୋଇ ପାରୁଛନ୍ତି । ଆଜି ଏଭଳି ଏକ ଜନକଲ୍ୟାଣକାରୀ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ର ଉଦ୍‌ଘାଟନ କରି ସେ ବେଶ୍‌ ଉତ୍ସାହିତ ହୋଇଥିବା ପ୍ରକାଶ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରର ସତ୍ୱାଧିକାରୀ ଶୁଭେନ୍ଦ୍ର ପଣ୍ଡାଙ୍କ ସହ ଭୀମ ଭୋଇ ମେଡ଼ିକାଲ କଲେଜର ଫର୍ମାକୋଲୋଜି ବିଭାଗର ପ୍ରଫେସର ଡା. ମୁରଲୀଧର ପାଣିଗ୍ରାହୀ, ଅବସରପ୍ରାପ୍ତ ହୋମିଓପାଥି ମେଡ଼ିକାଲ ଅଫିସର ଡା. ଗୋଦାବରୀଶ ମହାପାତ୍ର, ଡା. ସଂଧ୍ୟାରାଣୀ ପଣ୍ଡା, ଡା. ଅବିନାଶ ନେପାକ, ‘କୋଶଳ ପ୍ରବାହ’ର ସଂପାଦକ କବି ଆନନ୍ଦ ଚନ୍ଦ୍ର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

purusottam
Leave A Reply

Your email address will not be published.