
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରି ଗ୍ରାମରେ ୱାଡି ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଯାଇଛି । ନାର୍ବାଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତାରେ ଦେବଦତ୍ତ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ନାର୍ବାଡ କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱରର ମୁଖ୍ୟ ମହାପ୍ରବନ୍ଧକ ଡକ୍ଟର ସୁଧାଂଶୁ କେ.କେ. ମିଶ୍ର ଯୋଗଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗାଇସିଲେଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ମାଝୀ, ଡେପୁଟି ମହାପ୍ରବନ୍ଧକ କମଲ କାନ୍ତ ପଟ୍ଟନାୟକ ଭୁବନେଶ୍ୱର, ବରଗଡ଼ ଜିଲ୍ଲା ବିକାଶ ପ୍ରବନ୍ଧକ ହଟ କିଶୋର ବେହେରା, ବଲାଙ୍ଗିର ଜିଲ୍ଲା ବିକାଶ, ପ୍ରବନ୍ଧକ ଡ. ବିବେକ କୁମାର ନାୟକ, ଦେବଦତ୍ତ କ୍ଲବ୍ ସଂପାଦକ କାହ୍ନୁଚରଣ ମାଝୀ, ସମାଜସେବୀ ସୁଶାନ୍ତ ପଣ୍ଡା, ସଞ୍ଜିବ ପୁରୋହିତ ଯୋଗଦାନ କରିଥିଲେ । ଶେଷଦେବ ସାହୁ ସମସ୍ତଙ୍କୁ ସ୍ୱାଗତ୍ ଜଣାଇବା ସହ ପ୍ରକଳ୍ପର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ବିବରଣୀ ପଠନ କରିଥିଲେ । କାହ୍ନୁଚରଣ ମାଝୀ ସଭା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ପ୍ରତ୍ୟେକ ପରିବାରରେ ୨ ଗୋଟି ଗାଈ ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଯାହାଫଳରେ ସେମାନେ ଆର୍ଥିକ ସମ୍ବଳ ହୋଇପାରିବା ସହ ନିଜ ଚାଷଜମିରେ ଗାଈ ଗୋବର ପକେଇ ଚାଷ କଲେ ଆମେ ଅନେକ ରୋଗରୁ ମୁକ୍ତି ପାଇବା ବୋଲି ପ୍ରକାଶ କରିଥିଲେ । ମଞ୍ଚାସୀନ ଅତୀଥିମାନେ ପଦ୍ମପୁର ବ୍ଲକର ଜମରତଲା, ଅନ୍ତର୍ଲା, ବେହେରାଟାଲ, ବିରିପାଲି, ଲୁହାଖାନ ଓ ଗାଇସିଲେଟ ବ୍ଲକର ଜୁବାଖୋଲ, କୁଲିଆରି ଓ କଟାବାହାଲ ଗ୍ରାମର ୨ ସହ ଆଦିବାସୀ ପରିବାରର ୨ ସହ ଏକର ଜମିରେ ବିଭିନ୍ନ ପ୍ରଜାତିର ଆମ୍ବ ଚାଷ କରିବା ପାଇଁ ଉକ୍ତ ଗ୍ରାମ ଗୁଡ଼ିକର ଆଦିବାସୀ ଲୋକମାନଙ୍କର ବିକାଶ ନିମନ୍ତେ ସହଯୋଗର ହାତ ବଢାଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୫୦ରୁ ଅଧିକ ଆଦିବାସୀ ଲୋକ ଯୋଗଦାନ କରିଥିଲେ । ଜନସାଧାରଣ ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ମତ ଦେବା ସହ ନାର୍ବାଡ ଓ ଦେବଦତ୍ତ କ୍ଲବକୁ ଭୂରି ଭୂରି ପ୍ରଶଂସା କରିଥିଲେ । ଏହା ସହ ଅତୀଥି ମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା । ପରିଶେଷରେ ସମାଜସେବୀ ସୁଶାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।