om academy

କଟକଠାରେ ଦ୍ୱିତୀୟ ଭାରତୀୟ ରାଇସ୍ କଂଗ୍ରେସକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

jsm

● ଚାଉଳ ଭାରତରେ ଖାଦ୍ୟ ସୁରକ୍ଷାର ମୁଖ୍ୟ ଆଧାର ଏବଂ ଆମ ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ : ରାଷ୍ଟ୍ରପତି ମୁର୍ମୁ

କଟକ, (ପିଆଇବି) : ଚାଉଳ ଭାରତୀୟ ଖାଦ୍ୟ ସୁରକ୍ଷାର ଏକ ମୁଖ୍ୟ ଆଧାର ଏବଂ ଆମ ଅର୍ଥବ୍ୟବସ୍ଥାର ଏକ ପ୍ରମୁଖ ଅଙ୍ଗ ବୋଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି । କଟକ ସ୍ଥିତ ଆଇସିଏଆର – ଜାତୀୟ ଧାନ ଗବେଷଣା କେନ୍ଦ୍ର ଠାରେ ଆଜି (ଫେବୃଆରୀ ୧୧, ୨୦୨୩) ଦ୍ୱିତୀୟ ଭାରତୀୟ ରାଇସ କଂଗ୍ରେସକୁ ଉଦଘାଟନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି ।

ରାଷ୍ଟ୍ରପତି କହିଥିଲେ ଯେ ଆଜି ଭାରତ ଚାଉଳର ଏକ ପ୍ରମୁଖ ଉପଭୋକ୍ତା ଏବଂ ବଡ଼ ରପ୍ତାନିକାରୀ, କିନ୍ତୁ ଦେଶ ସ୍ୱାଧୀନ ହେବା ସମୟରେ ପରିସ୍ଥିତି ଭିନ୍ନ ଥିଲା । ସେତେବେଳେ ଆମେ ନିଜର ଖାଦ୍ୟ ଆବଶ୍ୟକତା ପୂରଣ କରିବା ଲାଗି ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିଲୁ । ଅଧିକାଂଶ ସମୟରେ ଆମକୁ ପେଟପୂରା ଖାଇବାକୁ ମିଳୁନଥିଲା । ଦେଶ ଆଜି ଏପରି ନିର୍ଭରଶୀଳତାରୁ ମୁକ୍ତ ହୋଇପାରିଛି ଏବଂ ବିଶ୍ୱର ସର୍ବବୃହତ ରପ୍ତାନିକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନକୁ ଏହାର ଯଥେଷ୍ଟ ଶ୍ରେୟ ଦିଆଯିବା ଉଚିତ୍। ଏହି ଗବେଷଣା ପ୍ରତିଷ୍ଠାନ ଭାରତର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଯୋଗଦାନ ଦେଇଛି ଏବଂ ଚାଷୀଙ୍କ ଜୀବନରେ ସୁଧାର ଆଣିପାରିଛି ।

ରାଷ୍ଟ୍ରପତି କହିଥିଲେ ଯେ ବିଗତ ଶତାବ୍ଦୀରେ ଜଳସେଚନ ସୁବିଧାର ସମ୍ପ୍ରସାରଣ ହୋଇଥିଲା । ନୂଆ ସ୍ଥାନରେ ଧାନ ଅମଳ ହେଲା ଏବଂ ଧାନକୁ ନୂଆ ଉପଭୋକ୍ତା ମିଳିଥିଲେ । ଧାନ ଫସଲ ପାଇଁ ପ୍ରଚୁର ମାତ୍ରାରେ ଜଳର ଆବଶ୍ୟକତା ରହିଛି, କିନ୍ତୁ ଆଜି ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଜଳାଭାବ ସମସ୍ୟା ଦେଖା ଦେଇଛି । ମରୁଡ଼ି, ମନ୍ୟା ଓ ବାତ୍ୟା ଭଳି ବିପର୍ଯ୍ୟୟ ଏବେ ବାରମ୍ବାର ଦେଖିବାକୁ ମିଳୁଛି ଯାହାକି ଧାନ ଚାଷକୁ ଅଧିକ ବିପଦରେ ପକାଉଛି । ସେ କହିଥିଲେ ଯେ, ଏବେ ଧାନ ଚାଷର ନୂତନ ପଦ୍ଧତି ଆବିଷ୍କାର ହୋଇଥିଲେ ମଧ୍ୟ ପାରମ୍ପରିକ କିସମର ଧାନ ଚାଷକୁ ନାନା ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଏଭଳି ପରିସ୍ଥିତିରେ ଆମେ ମଧ୍ୟମ ମାର୍ଗ ଆପଣାଇବା ଉଚିତ୍ । ଗୋଟିଏ ପଟେ ପାରମ୍ପରିକ କିସମର ସଂରକ୍ଷଣ ଏବଂ ସୁରକ୍ଷା ସହିତ ଅନ୍ୟପଟେ ପରିବେଶ ସନ୍ତୁଳନ ବଜାୟ ରଖିବାକୁ ହେବ । ଆଉ ଏକ ସମସ୍ୟା ହେଉଛି ଅତ୍ୟଧିକ ରାସାୟନିକ ସାର ଉପଯୋଗ କାରଣରୁ ହେଉଥିବା ମୃତ୍ତିକା କ୍ଷୟକୁ ରୋକିବା । ଆଧୁନିକ ଧାନ ଚାଷ ପାଇଁ ଏହାକୁ ଜରୁରି ବୋଲି ବିବେଚନା କରାଯାଇଥାଏ । ମୃତ୍ତିକାକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଏଭଳି ସାର ଉପରେ ନିର୍ଭରଶୀଳତା କମାଇବାକୁ ପଡ଼ିବ । ଆମର ବୈଜ୍ଞାନିକମାନେ ପରିବେଶ ଅନୁକୂଳ ଧାନ ଚାଷ ପଦ୍ଧତି ଉଦ୍ଭାବନ କରିପାରିବେ ବୋଲି ରାଷ୍ଟ୍ରପତି ବିଶ୍ୱାସ ପ୍ରକଟ କରିଥିଲେ ।

ରାଷ୍ଟ୍ରପତି କହିଥିଲେ ଯେ, ଚାଉଳ ଆମ ଖାଦ୍ୟ ସୁରକ୍ଷାର ଆଧାର, ଆମେ ଏହାର ପୋଷକ ତତ୍ତ୍ବ ବିଷୟରେ ମଧ୍ୟ ଚିନ୍ତା କରିବା ଉଚିତ୍ । କମ ଆୟ ବର୍ଗର ବହୁ ସଂଖ୍ୟାରେ ଲୋକମାନେ ଖାଦ୍ୟ ପାଇଁ ଚାଉଳ ଉପରେ ନିର୍ଭର କରିଥାନ୍ତି, ଏହା ସେମାନଙ୍କ ପାଇଁ ଦୈନିକ ପୋଷଣର ଏକମାତ୍ର ଉତ୍ସ। ତେଣୁ ଚାଉଳ ମାଧ୍ୟମରେ ପ୍ରୋଟିନ, ଭିଟାମିନ ଓ ଅନ୍ୟ ଜରୁରି ପୋଷକ ତତ୍ତ୍ବ ଯୋଗାଇ ଦେବା ଦ୍ୱାରା କୁପୋଷଣକୁ ଦୂର କରାଯାଇପାରିବ । ଆଇସିଏଆର-ଏନଆରଆରଆଇ ପକ୍ଷରୁ ଭାରତର ପ୍ରଥମ ଉଚ୍ଚ ପ୍ରୋଟିନଯୁକ୍ତ ଧାନ ‘ସିଆର ଧାନ ୩୧୦’ ବିକଶିତ କରାଯାଇଥିବାରୁ ରାଷ୍ଟ୍ରପତି ଖୁସି ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ ବିଜ୍ଞାନ କିଭଳି ସମାଜ ସେବା କରିପାରୁଛି ତାହା ଏଭଳି ଜୈବପୋଷଣ ଯୁକ୍ତ କିସମର ଧାନ ବିକଶିତ କରାଯିବା ଦ୍ୱାରା ପ୍ରମାଣିତ ହୋଇଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ବଢ଼ି ଚାଲିଥିବାରୁ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକତାକୁ ପୂରଣ କରିବା ଲାଗି ଏଭଳି ଅଧିକରୁ ଅଧିକ ପ୍ରୟାସ କରାଯିବା ଉଚିତ୍ । ଭାରତର ବୈଜ୍ଞାନିକ ସମୁଦାୟ ଏହି ସମସ୍ୟାର ସମାଧାନ କରିବାରେ ସଫଳ ହେବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

Leave A Reply

Your email address will not be published.