ls

ମୋ’ ଝିଅକୁ ରାଜସ୍ଥାନରେ ବିକ୍ରି କରି ଦେଇଛନ୍ତି, ତାକୁ ଉଦ୍ଧାର କର

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ୮ ମାସ ହେଲା ଝିଅ ନିଖୋଜ ଥିଲା । ଝିଅର ଖବର ପାଇବା ପରେ ବାପା ଥାନାର ଦ୍ୱାରସ୍ଥ । ଝିଅକୁ ରାଜସ୍ଥାନରେ ବିକ୍ରି କରିଦେଇଥିବା ଅଭିଯୋଗ ଆଣିଛନ୍ତି ବାପା । ବଲାଙ୍ଗିର ଟାଉନ ଥାନାକୁ ଏଭଳି ଏକ ଅଭିଯୋଗ ନେଇ ଜଣେ ବୃଦ୍ଧା ବାପା ପହଂଚିଛନ୍ତି । ସୂଚନା ଅନୁସାରେ ଗତ ୨୦୨୩ ଏପ୍ରିଲ ମାସରେ ବବଜା ଗ୍ରାମର ମୋହନ ବେଣୁ ସାହୁ ତାଙ୍କର ଝିଅ ରଞ୍ଜିତା ସାହୁଙ୍କୁ ସାଲେଭଟା ସ୍ଥିତ ଖଲିଆପାଲିର ଦେବେନ୍ଦ୍ର ସାହୁଙ୍କ ସହିତ ସାମାଜିକ ରୀତିନୀତି ଅନୁସାରେ ବିବାହ କରାଇଥିଲେ । ବାହାଘର ପରେ ସେମାନେ ବଲାଙ୍ଗିର ଟାଉନ ସ୍ଥିତ ଶାନ୍ତିପଡାରେ ଆସି ଏକାଠି ରହୁଥିଲେ । କିନ୍ତୁ ବିବାହର ୨ ମାସ ପରେ ରଞ୍ଜିତା ତାଙ୍କ ସ୍ଵାମୀ ସହ କୌଣସି ବିଷୟକୁ ନେଇ କଥା କଟାକଟି ହୋଇଥିଲା । ଏହାପରେ ସେମାନେ ଅଲଗା ହୋଇ ଯାଇଥିଲେ । ସ୍ୱାମୀ ଦେବେନ୍ଦ୍ର ସ୍ତ୍ରୀ ରଞ୍ଜିତାଙ୍କୁ ଛାଡି ତାଙ୍କ ଗାଁ ଖଲିଆପାଲି ଚାଲିଯାଇଥିଲେ । ରଞ୍ଜିତା କାମ ଧନ୍ଦା ଖୋଜିବା ପାଇଁ ପାଟଣାଗଡ଼ ଥାନା ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମର ଅଜିତ ବାଗଙ୍କ ସମ୍ପର୍କରେ ଆସିଥିଲେ । ରଞ୍ଜିତାକୁ ଅଜିତ କାମଦେବା ବାହାନା କରି ରାଜସ୍ଥାନ ନେଇ ଯାଇଥିଲା । ଏପଟେ ପାରିବାର ଲୋକଙ୍କ ପାଖରେ ରଞ୍ଜିତାଙ୍କ କୌଣସି ଖୋଜ ଖବର ନଥିଲା । ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ ହେଁ ରଞ୍ଜିତାଙ୍କ କୌଣସି ଖୋଜ ଖବର ପାଇନଥିଲେ । ଏହି ଘଟଣାକୁ ଦୀର୍ଘ ୮ରୁ ୯ ମାସ ବିତିଯିବା ପରେ ଗତ କିଛିଦିନ ହେବ ରଞ୍ଜିତା ପରିବାର ଲୋକଙ୍କୁ ଫୋନ୍‌ କରି ତାଙ୍କୁ ରାଜସ୍ଥାନରେ ବିକ୍ରି କରିଦିଆଯାଇଛି ବୋଲି କହୁଥିବା ତାଙ୍କର ବାପା ମୋହନବେଣୁ କହିଛନ୍ତି । ରଞ୍ଜିତା ବର୍ତ୍ତମାନ ରାଜସ୍ଥାନର ବାରା ଜିଲ୍ଲା ଅନ୍ତର୍ଗତ ଭଟୱାଡା ଠାରେ ଅଛନ୍ତି । ଅଜିତ ବାଗ ରଞ୍ଜିତାଙ୍କୁ ସେଠାର ୧ ଲକ୍ଷ ୧୦ ହାଜର ଟଙ୍କାରେ ବିକ୍ରିକରି ବାହା କରାଇ ଦେଇଥିବା ଅଭିଯୋଗ କରିଛନ୍ତି ରଞ୍ଜିତା । ଏଣୁ ମୋହନ ଟାଉନ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ସହିତ ତାଙ୍କ ଝିଅକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ।

pc pk
Leave A Reply

Your email address will not be published.