ଟେଙ୍ଗରାରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

  • ବାପଘର ଲୋକଙ୍କ ହତ୍ୟା ଅଭିଯୋଗ
  • ପୁଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୁନୀତା ଦାସ(୨୭) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଅନ୍ୟପକ୍ଷରେ ତାଙ୍କ ବିବାହିତା ଝିଅଙ୍କୁ ଯୌତୁକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶାଶୁଘର ଲୋକେ ହତ୍ୟା କରିଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଟେଙ୍ଗରା ଗ୍ରାମର ସୋମବାରୁ ଦାସ ଓ ତପସ୍ଵିନୀ ଦାସଙ୍କ ପୁଅ କୈଳାସ ଦାସଙ୍କୁ ବଙ୍ଗୋମୁଣ୍ଡା ଥାନା ମୁଣ୍ଡପଦର ଗ୍ରାମର ଶୁକଦେବ ଦାସ ଓ ପଞ୍ଚା ଦାସଙ୍କ ଝିଅ ସୁନୀତା ଦାସ ବୈଦିକ ରୀତିନୀତିରେ ବିବାହ କରିଥିଲେ । ପରିବାର ବିବାହ ସମୟରେ ସାଧ୍ୟମତେ ଯାନିଯୌତୁକ ଦେଇଥିଲେ । କୈଳାସ ଦାସ ଓ ତାଙ୍କ ପତ୍ନୀ ସୁନୀତା ଦାସଙ୍କ ଜଣେ ୫ ବର୍ଷର ପୁଅ ଓ ଜଣେ ୨ ବର୍ଷର ଝିଅ ଅଛନ୍ତି । ସୁନୀତାଙ୍କ ସ୍ଵାମୀ କୈଳାସ ମାସେ ତଳେ ପେଟପାଟଣା ପାଇଁ ସୁଦୂର ତାମିଲନାଡୁକୁ ଯାଇଥିବା ଜଣାପଡିଛି । ଗୁରୁବାର ଦିନ ୧୧ଟା ବେଳେ ସୁନୀତା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ପାଇ ବାପଘର ଲୋକେ ଟେଙ୍ଗରାରେ ପହଞ୍ଚିଥିଲେ । ସେମାନେ ରଶି ଲଗାଇ ସୁନୀତା ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ବେକରେ ଗୁରୁତର ଆଘାତ ଲାଗିଥିବା ଓ ଗୋଡ ଦୁଇଟି ମଧ୍ୟ ତଳେ ଲାଗିରହିଥିବା ଦେଖିବାକୁ ପାଇଥିଲେ । ମାସେ ତଳେ ପାରିବାରିକ ଗଣ୍ଡଗୋଳ ଯୋଗୁଁ ଝିଅ ବାପଘରକୁ ଯାଇଥିଲା । ଗ୍ରାମବାସୀଙ୍କ ବୁଝାସୁଝା ପରେ ସେ ଶାଶୁଘରକୁ ଫେରିଥିଲା । ତାଙ୍କ ଝିଅଙ୍କୁ ଅଧିକ ଯୌତୁକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ସୁଚିନ୍ତିତ ଭାବେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ପରିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଘଟଣାସ୍ଥଳକୁ ମୁରିବାହାଲ ଥାନା ପୁଲିସ ଟିମ୍‌, ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, କଳାହାଣ୍ଡିରୁ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚି ତନାଘନା ତଦନ୍ତ ଜାରି ରଖିଛନ୍ତି । ଏ ସମ୍ପର୍କରେ ଥାନା କେସ୍‌ ନଂ ୩୦୪/୨୪ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ଶବ ଜବତ କରି ଆସନ୍ତାକାଲି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.