କୁର୍ଲୁବାହାଲ ଗ୍ରାମରୁ ନାବାଳିକା ନିଖୋଜ ଘଟଣା : ସମ୍ବଲପୁର ସାକ୍ଷୀପଡାରୁ ଉଦ୍ଧାର

  • ଅପହରଣ ଅଭିଯୋଗରେ ବେଗପଡା, ଡୁଙ୍ଗୁରୀପାଲିର ଯୁବକ ଶୁଭମ୍ ଛୁରା ପୋକସୋ କୋର୍ଟ ଚାଲାଣ ପରେ ଜେଲ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ଗତ ୨୯ ତାରିଖ ସନ୍ଧ୍ୟାରୁ ଘରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ଲୋକେ ମୁରିବାହାଲ ଥାନାରେ ଏତଲା ଦେଇଥିଲେ । ମୁରିବାହାଲ ଥାନା ପୁଲିସ କେସ ନଂ ୩୨୫/୨୩ରେ ଏକ ନିଖୋଜ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିଲା । କିନ୍ତୁ ଏହି ନାବାଳିକା ନିଖୋଜ ନୁହେଁ ତାଙ୍କୁ ଅପହରଣ କରାଯାଇଥିବା ଜଣାପଡିଥିଲା । ନାବାଳିକାଙ୍କ ସହ ଦୀର୍ଘ ୨ବର୍ଷ ଧରି ପ୍ରେମ ସମ୍ପର୍କ ଥିବା ବେଲପଡା ଥାନା ଡୁଙ୍ଗୁରିପାଲି ଗ୍ରାମର ଚିତ୍ରସେନ ଛୁରାଙ୍କ ପୁଅ ଶୁଭମ୍ ଛୁରା(୧୯) ନାମକ ଜଣେ ଯୁବକ ନାବାଳିକାଙ୍କୁ ଘରୁ ଅପହରଣ କରି ନେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । ମୁରିବାହାଲ ପୁଲିସ୍ ନିଖୋଜ ମାମଲାକୁ ଅପହରଣ ମାମଲାରେ ପରିବର୍ତ୍ତନ କରି ସମ୍ବଲପୁର ସହର ସାକ୍ଷୀପଡାରୁ ଶୁଭମ୍ ଓ ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରି ଆଣିଥିଲା । ଉଭୟଙ୍କ ଡାକ୍ତରୀମାଇନା କରାଯାଇଥିଲା । ପୁଲିସ୍ ନାବାଳିକାଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ସଂପୃକ୍ତ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତ ଶୁଭମଙ୍କୁ ପୋକସୋ ଦଫା ୩୬୩/୩୬୬/୩୭୬(୨) ଆଇପିସିରେ ମାମଲା ରୁଜ୍ଜୁ କରି ବଲାଙ୍ଗିର ପୋକସୋ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ପ୍ରେମ ସମ୍ପର୍କରୁ ନାବାଳିକା ଘରୁ ନିଜ ପ୍ରେମିକ ସହ ଫେରାର ହୋଇଯାଇଥିବା ବେଳେ ଏବେ ତାଙ୍କୁ ଅପହରଣ ଅଭିଯୋଗରେ ତାଙ୍କ ପ୍ରେମିକ ଗିରଫ ହୋଇ ଜେଲ ଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Leave A Reply

Your email address will not be published.