jayashree

ତେଲେଙ୍ଗାନାରୁ ୬ ନିର୍ଯାତିତ ପ୍ରବାସୀ ଶ୍ରମିକଙ୍କୁ ଦେବଦୂତ ସାଜି ଉଦ୍ଧାର କଲେ ଟ୍ଵିଟର ଗାର୍ଲ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାରେ ଦାଦନ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେବା ସହ କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଇ ନିର୍ଯାତନାର ଶିକାର ହେବା ଏକ ନିତିଦିନିଆ ଘଟଣା ହୋଇଗଲାଣି । କିନ୍ତୁ ବାହାର ରାଜ୍ୟରେ ଫସି ନିର୍ଯାତନାର ଶିକାର ହେଉଥିବା ଶ୍ରମିକଙ୍କ ପାଇଁ ଦେବଦୂତ ହୋଇ ସହାୟତା ଯୋଗାଇ ଦେଇ ପ୍ରଶଂସିତ ହେଉଛନ୍ତି ଟ୍ୱିଟର ଗାର୍ଲ ଦୀପା ବାରିକ ।

ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଜିଲ୍ଲାର ଏକ ଇଟାଭାଟିକୁ ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ୬ ଜଣ ଦାଦନ ଶ୍ରମିକ କାମ କରିବାକୁ ଯାଇ ସେଠାରେ ନିର୍ଯାତନାର ଶିକାର ହେଉଥିଲେ । ଯାହାଙ୍କୁ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ଟ୍ୱିଟର ଗାର୍ଲ୍ ତଥା ସ୍ୱେଚ୍ଛାସେବୀ ଦୀପା ବାରିକଙ୍କ ଉଦ୍ୟମ କ୍ରମେ ଉଦ୍ଧାର କରାଯାଇଛି । ସେମାନେ ବର୍ତ୍ତମାନ ଟ୍ରେନ୍‌ ଯୋଗେ ଓଡ଼ିଶା ଫେରୁଥିବା ସୂଚନା ମିଳିଛି । ଏଠାରେ ସୂଚନା ଯୋଗ୍ୟ ଯେ, ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ୬ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଜିଲ୍ଲାର ଏକ ଇଟାଭାଟିକୁ କାମ କରିବାକୁ ଯାଇଥିଲେ । ଗୌଡେରିପେଟର ଏମବିସି ଇଟାଭାଟିରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ହେଲେ ସରସ୍ୱତୀ ମାଝୀ, କୃଷ୍ଣ ମାଝୀ, ପ୍ରେମାନନ୍ଦ ମାଝୀ, ନରେଶ ଡୋର, ଚୈତନ୍ୟ ବାଗ, ବେଳମତି ବାଗ । ସେଠାରେ ଇଟାଭାଟି ମାଲିକ ଅକଥନୀୟ ଅତ୍ୟାଚାର କରୁଥିଲେ । ସେମାନେ ଦୀପା ବାରିକଙ୍କୁ ଜଣେ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଯୋଗାଯୋଗ କରିଥଲେ । ଦୀପା ସେମାନଙ୍କୁ ଉଦ୍ଧାର କରିବା ପାଇଁ ତେଲେଙ୍ଗାନା ପୋଲିସର କ୍ରାଇମ୍‌ବ୍ରାଞ୍ଚକୁ ଯୋଗାଯୋଗ କରିଥଲେ । ସେମାନେ ତତ୍ପରତା ଦେଖାଇ ପେଦାପଲ୍ଲୀ ପୋଲିସକୁ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ଦିନ ସ୍ଥାନୀୟ ପୋଲିସ ଏବଂ ଶ୍ରମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଶ୍ରମିକମାନଙ୍କ ଦୁଃଖ ବୁଝିଥିଲେ । ସେମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛା କରିଥିବାରୁ ସ୍ଥାନୀୟ ପୋଲିସ ଉକ୍ତ ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ଫଟୋ ଟ୍ୱିଟ କରିଥିଲେ । ଦୀପାଙ୍କ ଏହି ପ୍ରୟାସକୁ ଶ୍ରମିକମାନେ ତଥା ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାଛଡ଼ା ତେଲେଙ୍ଗାନା କ୍ରାଇମ୍‌ବ୍ରାଞ୍ଚ ପୋଲିସ ମୋହନ ଭାଗବତ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.