● ବିକଶିତ ଭାରତ ଗଠନରେ ସ୍ୱଚ୍ଛ ଶକ୍ତିର ଭୂମିକା ଉପରେ ଆଲୋକପାତ କଲେ ଡକ୍ଟର ମିଶ୍ର
● ସ୍ୱଚ୍ଛ ଶକ୍ତିର ଲାଭ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚୁଛି, ଶକ୍ତି ବ୍ୟବସ୍ଥାରେ ଉପଭୋକ୍ତାମାନଙ୍କୁ ସକ୍ରିୟ ଅଂଶଗ୍ରହଣକାରୀ ଏବଂ ଉତ୍ପାଦକରେ ପରିଣତ କରୁଛି ବୋଲି କହିଲେ ଡକ୍ଟର ମିଶ୍ର
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଆଜି ଆଇଆରଏଡିଇରେ ‘ଦୀର୍ଘସ୍ଥାୟୀ ଶକ୍ତି ପରିବର୍ତ୍ତନ- ବୈଶ୍ବିକ ଦୃଷ୍ଟିକୋଣ’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଡକ୍ଟର ମିଶ୍ର କହିଛନ୍ତି, ସ୍ୱଚ୍ଛ ଶକ୍ତି ବିକଶିତ ଭାରତର ଦୃଷ୍ଟିକୋଣରେ ଗଭୀର ଭାବରେ ନିହିତ ଅଛି। ଏହା ଆଉ ଏକ କ୍ଷେତ୍ରୀୟ ଏଜେଣ୍ଡା ନୁହେଁ, ବରଂ ଏହା ଅଭିବୃଦ୍ଧି, ପ୍ରତିଯୋଗିତାମୂଳକ କ୍ଷମତା, ସାମାଜିକ ସମାବେଶନ ଏବଂ ଶକ୍ତି ସୁରକ୍ଷାର କେନ୍ଦ୍ରବିନ୍ଦୁ।
ଡକ୍ଟର ମିଶ୍ର କହିଛନ୍ତି, ଗତ ବର୍ଷ ଏନର୍ଜି ଇଣ୍ଡିଆ ୱିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘‘ଏକ ବିକଶିତ ଭାରତ ସ୍ୱଚ୍ଛ ଶକ୍ତି, ସବୁଜ ଅଭିବୃଦ୍ଧି ଏବଂ ସ୍ଥାୟୀ ଜୀବନଶୈଳୀ ଉପରେ ନିର୍ମିତ ହେବ’’ ହେବ ବୋଲି କହିଥିଲେ । ଏହା ଦେଶ ପାଇଁ ଏକ ପ୍ରେରଣାଦାୟୀ ଆହ୍ୱାନ । 2014 ପରଠାରୁ ଭାରତର ଶକ୍ତି ପରିବର୍ତ୍ତନ ଦୁଇଟି ପ୍ରମୁଖ ଶିକ୍ଷା ଦେଇଥାଏ। ପ୍ରଥମତଃ, ମହତ୍ୱାକାଂକ୍ଷୀ ଲକ୍ଷ୍ୟଗୁଡ଼ିକ କେବଳ ସେତିକିବେଳେ ବିଶ୍ୱସନୀୟତା ହାସଲ କରେ ଯେତେବେଳେ ସଂସ୍ଥାଗତ ଢାଞ୍ଚା, ନିରନ୍ତର ଆର୍ଥିକ ପ୍ରତିବଦ୍ଧତା ଏବଂ ସ୍ଥିର କାର୍ଯ୍ୟକାରିତା ଦ୍ୱାରା ଏହାକୁ ସମର୍ଥନ ମିଳିଥାଏ। 2030 ବଦଳରେ 2025 ସୁଦ୍ଧା ସ୍ୱଚ୍ଛ ଶକ୍ତି ପାଇଁ ସ୍ଥାପିତ କ୍ଷମତାର 50% ଏବଂ ପୂର୍ବ ଲକ୍ଷ୍ୟ ଠାରୁ ବହୁତ ପୂର୍ବରୁ 100 ଗିଗାୱାଟ୍ ସୌର କ୍ଷମତା ହାସଲ କରି ଭାରତ ନିଜ ସାମର୍ଥ୍ୟର ପରିଚୟ ଦେଇଛି । ଏହା ନୀତିଗତ ନିରନ୍ତରତା ଏବଂ ସଂସ୍ଥାଗତ ଶକ୍ତି ଉପରେ ଭାରତର ଗୁରୁତ୍ୱକୁ ପ୍ରଦର୍ଶନ କରେ। ଦ୍ୱିତୀୟତଃ, ଶକ୍ତି ପରିବର୍ତ୍ତନଗୁଡ଼ିକ ସେତେବେଳେ ସର୍ବାଧିକ ଦୀର୍ଘସ୍ଥାୟୀ ହୁଏ ଯେତେବେଳେ ସେଗୁଡ଼ିକ ଉଲ୍ଲେଖନୀୟ କଲ୍ୟାଣର ଲାଭ ପ୍ରଦାନ କରନ୍ତି। ଡକ୍ଟର ମିଶ୍ର ଆହୁରି ମଧ୍ୟ କହିଥିଲେ, କୃଷକମାନଙ୍କ ଉପରେ ପିଏମ-କୁସୁମର ପ୍ରଭାବ, ପରିବାର ପାଇଁ ପିଏମ ସୂର୍ଯ୍ୟ ଘରର ଆଶ୍ୱସ୍ତି ଓ ସୌର ଶକ୍ତି ଉତ୍ପାଦନ ଏବଂ ବୈଦ୍ୟୁତିକ ଗତିଶୀଳତା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ହୋଇପାରିଛି । ଏହା ଦର୍ଶାଏ ଯେ ଅଙ୍ଗାରକାମ୍ଳ ହ୍ରାସ ଏବଂ ବିକାଶ ପରସ୍ପରକୁ ଦୁର୍ବଳ କରିବା ପରିବର୍ତ୍ତେ ସୁଦୃଢ଼ କରିପାରିବ।
ଡକ୍ଟର ମିଶ୍ର ଶକ୍ତି ସୁରକ୍ଷା, ସୁଲଭତା ଏବଂ ସାର୍ବଜନୀନ ପ୍ରବେଶ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଗ୍ଲୋବାଲ୍ ସାଉଥ୍ ସପକ୍ଷରେ ମତ ରଖି କହିଥିଲେ, ଶକ୍ତି କ୍ଷେତ୍ରରେ ଏହି ପରିବର୍ତ୍ତନ ନ୍ୟାୟପୂର୍ଣ୍ଣ, ସମାବେଶୀ ଏବଂ ବିକାଶ ଆଧାରିତ ହେବା ଉଚିତ। ଏହି ପରିପ୍ରେକ୍ଷୀରେ ଭିନ୍ନ ଦାୟିତ୍ୱ, ଜାତୀୟ ପରିସ୍ଥିତି ଏବଂ ନିରନ୍ତର ଅନ୍ତର୍ଜାତୀୟ ସହଯୋଗର ଆବଶ୍ୟକତାକୁ ସେ ସ୍ୱୀକାର କରିଥିଲେ ।
ଡକ୍ଟର ମିଶ୍ର ଭବିଷ୍ୟତକୁ ନେଇ ଆଶାବାଦ ପ୍ରକଟ କରି କହିଥିଲେ, ଭାରତ 2005 ରୁ 2020 ମଧ୍ୟରେ ଏହାର ଜିଡିପିରେ ଅଙ୍ଗାରକାମ୍ଳ ତୀବ୍ରତାକୁ ପ୍ରାୟ 36 ପ୍ରତିଶତ ହ୍ରାସ କରିସାରିଛି । 2030 ସମୟସୀମାର ନଅ ବର୍ଷ ପୂର୍ବରୁ ପ୍ୟାରିସ ଚୁକ୍ତିନାମା ପ୍ରତିବଦ୍ଧତା ପୂରଣ କରିବାରେ ପ୍ରଥମ ଜି20 ଦେଶ ହୋଇଛି। ଏହି ପୃଷ୍ଠଭୂମିରେ ଆମକୁ ଭାରତର ଶକ୍ତି ପରିବର୍ତ୍ତନ ରଣନୀତିକୁ ଦେଖିବାକୁ ପଡିବ ବୋଲି ସେ କହିଛନ୍ତି।
ଡକ୍ଟର ମିଶ୍ର କହିଥିଲେ, ଶକ୍ତି ଉତ୍ସର ବିବିଧତା ମଧ୍ୟ ଅଙ୍ଗାରାକାମ୍ଳ ହ୍ରାସ ଏବଂ ଶକ୍ତି ସୁରକ୍ଷାରେ ଅବଦାନ ରଖିଛି। ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରି ସେ ଜାତୀୟ ସୌର ମିଶନକୁ ତ୍ୱରାନ୍ୱିତ କରିବା ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ, ସୌର ଲକ୍ଷ୍ୟକୁ 20 ଗିଗାୱାଟରୁ 100 ଗିଗାୱାଟକୁ ବୃଦ୍ଧି କରିବା; 2016ରେ ଜାତୀୟ ଟାରିଫ୍ ନୀତିରେ ସଂଶୋଧନ; ଜୈବ ଇନ୍ଧନ ଉପରେ ଜାତୀୟ ନୀତି (2018); ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା 2021 ସ୍ୱାଧୀନତା ଦିବସରେ ଘୋଷଣା କରାଯାଇଥିବା ଜାତୀୟ ହାଇଡ୍ରୋଜେନ୍ ମିଶନ, ଅର୍ଥବ୍ୟବସ୍ଥାକୁ ଅଙ୍ଗାରକାମ୍ଳ ମୁକ୍ତ କରିବ । ଏଥିରୁ ଦୀର୍ଘକାଳୀନ ଜୀବାଶ୍ମ ଇନ୍ଧନ ଆମଦାନୀ ହ୍ରାସ କରିବା ପାଇଁ ସବୁଜ ହାଇଡ୍ରୋଜେନ୍ ଆଡକୁ ପରିବର୍ତ୍ତନର ସଙ୍କେତ ମିଳିଛି।
ନିକଟରେ ଆଇନଗତ ପଦକ୍ଷେପ ନେଇ ଆଣବିକ ଶକ୍ତି କ୍ଷେତ୍ରରକୁ ଘରୋଇ ଭାଗିଦାରୀ ପାଇଁ ଖୋଲିବା ଭଳି ଐତିହାସିକ ସଂସ୍କାର ପାଇଁ ଭାରତ ପଦକ୍ଷେପ ନେଇଛି ବୋଲି ଡକ୍ଟର ମିଶ୍ର କହିଥିଲେ। ଏହା 2047 ସୁଦ୍ଧା ପରମାଣୁ କ୍ଷମତାକୁ ଯଥେଷ୍ଟ ପରିମାଣରେ ବୃଦ୍ଧି କରିବ ଏବଂ ଦୃଢ଼, ଜିରୋ-କାର୍ବନ ବେସଲୋଡ୍ ଶକ୍ତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ ଯେ ଏକତ୍ରିତ ଭାବରେ ଏହି ପଦକ୍ଷେପଗୁଡ଼ିକ ଶକ୍ତି ସୁରକ୍ଷା ଏବଂ ଆମଦାନୀ ହ୍ରାସ ସହିତ ସିଧାସଳଖ ଶକ୍ତି ପରିବର୍ତ୍ତନକୁ ସମନ୍ୱିତ କରିଥାଏ, ଯାହା ଭାରତର ରଣନୀତିକ ସ୍ୱାୟତ୍ତତାକୁ ବୃଦ୍ଧି କରିଥାଏ।
ଡକ୍ଟର ମିଶ୍ର କହିଥିଲେ, ପିଏମ କୁସୁମ ନୀତିଗତ ସମନ୍ୱୟର ଉଦାହରଣ ଦେଇଥାଏ। ଏହା ଶକ୍ତି ପରିବର୍ତ୍ତନ କୃଷି ସ୍ଥିରତା, ଆର୍ଥିକ ସ୍ଥିରତା ଏବଂ ଗ୍ରାମୀଣ ବିକାଶକୁ ପାରସ୍ପରିକ ଭାବରେ ସୁଦୃଢ଼ କରିବାରେ ସମର୍ଥନ କରେ। ଜୈବ ଇନ୍ଧନ କାର୍ଯ୍ୟକ୍ରମ ଏହି ଗ୍ରାମୀଣ ପରିବର୍ତ୍ତନକୁ ଆହୁରି ଗଭୀର କରିଥାଏ, ସେ କହିଥିଲେ।
ଡକ୍ଟର ମିଶ୍ର କହିଛନ୍ତି, ସ୍ୱଚ୍ଛ ଶକ୍ତିର ଲାଭ ସିଧାସଳଖ ପରିବାର ପର୍ଯ୍ୟନ୍ତ ପହଞ୍ଚେ, ଗ୍ରାହକମାନଙ୍କୁ ଶକ୍ତି ବ୍ୟବସ୍ଥାରେ ସକ୍ରିୟ ଅଂଶଗ୍ରହଣକାରୀ ଏବଂ ଉତ୍ପାଦକରେ ପରିଣତ କରେ। ସେ ଆହୁରି ଉଲ୍ଲେଖ କରିଛନ୍ତି, ଭାରତ ପୂର୍ବରୁ ପ୍ରାୟ ସାର୍ବଜନୀନ ପାରିବାରିକ ବିଦ୍ୟୁତୀକରଣ ଲକ୍ଷ୍ୟ ହାସଲ କରିସାରିଛି । ଏହା ନିଶ୍ଚିତ କରେ ଯେ ସ୍ୱଚ୍ଛ ଶକ୍ତି ପ୍ରସାର ସାମାଜିକ ଅନ୍ତର୍ଭୁକ୍ତିକରଣ ସହିତ ସମନ୍ୱୟ ରକ୍ଷା କରିଥାଏ। ଏହା ଉପରେ ଆଧାର କରି, 2024 ମସିହାରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁଫ୍ତ ବିଜଲି ଯୋଜନା ସିଧାସଳଖ ଛାତରେ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରିଥାଏ। ବିଲ୍ଡିଂ କୋଡ୍ ଏବଂ ଦକ୍ଷତା ମାନଦଣ୍ଡ ସହିତ, ଉଜାଲା ଏଲଇଡି କାର୍ଯ୍ୟକ୍ରମ ଶକ୍ତି ଦକ୍ଷତାକୁ ଭାରତର ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ରଣନୀତିର ଏକ ଆଧାର କରିଥାଏ।
ଡକ୍ଟର ମିଶ୍ର ଗୁରୁତ୍ୱାରୋପ କରି କହିଥିଲେ, ଜୀବନଶୈଳୀ ପାଇଁ ପରିବେଶ (ଲାଇଫ୍) ଆନ୍ଦୋଳନର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଥିଲା କାରଣ ଏହା ସ୍ଥାୟୀତ୍ୱ ଦୃଷ୍ଟିକୋଣରୁ ପ୍ରଯୁକ୍ତିବିଦ୍ୟା ସହିତ ଆଚରଣଗତ ପରିବର୍ତ୍ତନର ଗୁରୁତ୍ୱକୁ ସ୍ୱୀକାର କରିଛି। ସେ କହିଥିଲେ, ଏହି ପଦକ୍ଷେପଗୁଡ଼ିକ ସହିତ ଭାରତ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ୟାରିସ ଲକ୍ଷ୍ୟ ପୂରଣ କରିବାରେ ପ୍ରଥମ ଜି20 ଦେଶ ପାଲଟିଛି । ଏବେ ଘୋଷିତ ସମୟସୀମା ପୂର୍ବରୁ 50% ଅଣ-ଜୀବାଶ୍ମ ସ୍ଥାପିତ ବିଦ୍ୟୁତ୍ କ୍ଷମତା ଅତିକ୍ରମ କରିଛି।
ସୌର ପିଭି ମଡ୍ୟୁଲ୍ ପାଇଁ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ଯୋଜନା ବିଷୟରେ, ଡକ୍ଟର ମିଶ୍ର ଘରୋଇ ଉତ୍ପାଦନ ଦିଗରେ ଏକ ନିର୍ଣ୍ଣାୟକ ପରିବର୍ତ୍ତନରେ ଏହାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। 2022 ପରଠାରୁ, ସୌର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ପ୍ରାୟ 120 ଗିଗାୱାଟକୁ ବିସ୍ତାରିତ ହୋଇଛି, ଯାହା ପ୍ରାୟ 82 ଗିଗାୱାଟ ବୃଦ୍ଧି ପାଇଛି। ଏହା ଉନ୍ନତ ବ୍ୟାଟେରୀ ଉତ୍ପାଦନ ଏବଂ ଅନ୍ୟାନ୍ୟ ସ୍ୱଚ୍ଛ-ଶକ୍ତି ଯୋଗାଣ ଶୃଙ୍ଖଳ ପାଇଁ ସମର୍ଥନ ଦ୍ୱାରା ପରିପୂରକ, ଡକ୍ଟର ମିଶ୍ର ଆହୁରି କହିଛନ୍ତି।
ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଏସଏ) ବିଷୟରେ ଆଲୋଚନା କରି, ଡକ୍ଟର ମିଶ୍ର କହିଛନ୍ତି, ଏହା 112ଟି ସୂର୍ଯ୍ୟ- ଶକ୍ତି ସମୃଦ୍ଧ ରାଷ୍ଟ୍ର, ବିଶେଷ କରି ଗ୍ଲୋବାଲ ସାଉଥ୍ ଦେଶଗୁଡ଼ିକୁ ଏକତ୍ରିତ କରେ। ଏଥିରେ ଭାରତ ଏକ ପ୍ରମୁଖ ସଂଯୋଜକ ଏବଂ ଜ୍ଞାନ ଅଂଶୀଦାର ଭାବେ ରହିଛି । ପଞ୍ଚାମୃତ ଅଧୀନରେ ଭାରତର ପ୍ରତିଶ୍ରୁତି, ପ୍ୟାରିସ୍ ଲକ୍ଷ୍ୟର ପ୍ରାରମ୍ଭିକ ସଫଳତା ଏବଂ ଲାଇଫ୍ର ଶୁଭାରମ୍ଭ ବିଶ୍ୱ ଜଳବାୟୁ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଭାବେ ଭାରତର ଭୂମିକାକୁ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି।
ଡକ୍ଟର ମିଶ୍ର ଦୃଢ଼ ଭାବରେ କହିଛନ୍ତି, ଭାରତ ନିରନ୍ତର ଭାବରେ ଭିନ୍ନ ଦାୟିତ୍ୱ, ବର୍ଦ୍ଧିତ ଜଳବାୟୁ ଆର୍ଥିକ ଏବଂ ଅର୍ଥପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପାଇଁ ଯୁକ୍ତି ରଖିଛି। ପରିବର୍ତ୍ତିତ ପ୍ରାଥମିକତା ବିଷୟରେ ସେ କହିଛନ୍ତି, ଅକ୍ଷୟ ଶକ୍ତି ବୃଦ୍ଧି ପାଇବା ସହିତ ବ୍ୟବସ୍ଥାର ନିର୍ଭରତା ଏବଂ ଗ୍ରୀଡ୍ ସ୍ଥିରତା ଅଧିକ ଜଟିଳ ହୋଇଯାଏ। ଭାରତ ଏଚଭିଡିସି କରିଡର ସମେତ ବିଦ୍ୟୁତ ସଞ୍ଚାରଣରେ ଅଧିକ ନିବେଶ ଏବଂ ବ୍ୟାପକ ଷ୍ଟୋରେଜ୍ ସମାଧାନ ମାଧ୍ୟମରେ ଏହା ଉପରେ ପ୍ରତିକ୍ରିୟା ଦେଇଛି।
ଡକ୍ଟର ମିଶ୍ର ଉଲ୍ଲେଖ କରିଥିଲେ ଯେ ନିକଟ ଭବିଷ୍ୟତରେ କୋଇଲା ଶକ୍ତି ସୁରକ୍ଷା ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଅଙ୍ଗାରକାମ୍ଳ ନିର୍ଗମନ ତୀବ୍ରତାକୁ ସ୍ଥିର ଭାବରେ ହ୍ରାସ କରିବା ଏବଂ କୋଇଲା ବାଷ୍ପୀକରଣ ଓ ଆଞ୍ଚଳିକ ଅର୍ଥବ୍ୟବସ୍ଥାରର ବିବିଧତା ଭଳି ବିକଳ୍ପଗୁଡ଼ିକ ଅନୁସନ୍ଧାନ କରିବା ସହିତ ଭାରତର ଆଭିମୁଖ୍ୟ ଏହି ବାସ୍ତବତାକୁ ସ୍ୱୀକାର କରିଥାଏ। ଜଳବାୟୁ ପାଣ୍ଠି ଯୋଗାଣ ଏବଂ ପ୍ରଯୁକ୍ତିବିଦ୍ୟାର ଉପଲବ୍ଧତା ଗ୍ଲୋବାଲ ସାଉଥ୍ ପାଇଁ ଜଳବାୟୁ ପ୍ରମୁଖ ପ୍ରତିବନ୍ଧକ ହୋଇ ରହିଛି। ଡକ୍ଟର ମିଶ୍ର କହିଥିଲେ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ସମାନତା ଏବଂ ଜଳବାୟୁ ନ୍ୟାୟ ଆଧାରିତ ହେବା ଉଚିତ୍ ଏବଂ ଯଥେଷ୍ଟ, ପୂର୍ବାନୁମାନ ଯୋଗ୍ୟ ତଥା ସୁଲଭ ଅର୍ଥଲଗାଣ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ ସବୁବେଳେ ମତ ରଖି ଆସିଛି ।