ନିଖୋଜ ବାଳକକୁ ଉଦ୍ଧାର କଲା ଉଦନ୍ତୀ ୟୁଥ୍‌ କ୍ଲବ

ସିନାପାଲି, (ନିରାକାର ମେହେର) : ସିନାପାଲି ସ୍ଥିତ ଉଦନ୍ତୀ ୟୁଥ୍‌ କ୍ଲବର ଉଦ୍ୟମରେ ଜଣେ ନିଖୋଜ ନାବାଳକକୁ ଉଦ୍ଧାର କରି ତାକୁ ପରିବାର ପାଖରେ ପହଞ୍ଚାଇ ଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୮ ଟାରେ ଜଣେ ମୁଖବଧିର ନାବାଳକ ଶାନ୍ତି ନଗରଠାରେ ଉପାୟ ଶୂନ୍ୟ ହୋଇ ବେସାହାରା ଭାବରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ । ସେହି ବାଳକ ଜଣକ ଏକ ସାଇକେଲ ଧରିଥିବା ବେଳେ ଦେହରେ କୌଣସି ଶୀତବସ୍ତ୍ର କିମ୍ବା ପାଦରେ ଚପଲ ନଥିଲା । ଦୀର୍ଘ ସମୟ ଧରି ଜଣେ ନାବାଳକ ରାତି ସମୟରେ ଏକୁଟିଆ ବିକଳ ଅବସ୍ଥାରେ ରହିଥିବା ଅନୁମାନ କରିଥିଲେ । ଏନେଇ ତାକୁ କିଛି ପଚାରିବାରୁ ସେ କିଛି କହିପାରି ନଥିଲା । ଲୋକେ ତାର ଭାବ ଭଙ୍ଗିରୁ ମୁକ ବୋଲି ଜାଣି ପାରିଥିଲେ । ତାର କୌଣସି ପରିଚୟ ନପାଇ ଲୋକେ ଏହା କୌଣସି ଅଞ୍ଚଳର ଏକ ନିଖୋଜ ନାବାଳକ ବୋଲି ଅନୁମାନ କରି ଜାଣିପାରିଥିଲେ । ଉକ୍ତ ଖବର ପାଇ ସିନାପାଲି ଉଦନ୍ତୀ ୟୁଥ କ୍ଲବର ସଭାପତି ସୁରଜ ମେହେରଙ୍କ ନେତୃତ୍ୱରେ କ୍ଲବର ଅନ୍ୟାନ୍ୟ କର୍ମକର୍ତ୍ତା ଘଟଣା ସ୍ଥଳରେ ପହଞ୍ଚି ନାବାଳକକୁ ଉଦ୍ଧାର କରିଥିଲେ । ତାଙ୍କୁ କିଛି ଖାଇବାର ବ୍ୟବସ୍ଥା କରି କିଭଳି ତାର ପରିବାର ପାଖରେ ପହଞ୍ଚା ଯିବ ସେ ନେଇ ଉଦ୍ୟମ କରିଥିଲେ । ବିଭିନ୍ନ ସୋସିଆଲ ମିଡିଆରେ ବାଳକର ଫୋଟୋ ପୋଷ୍ଟ କରି ନିଖୋଜ ଖବର ପ୍ରସାର କରିଥିଲେ । ପରେ ନାବାଳକ ଜଣକ ହାତରେ ଇଙ୍ଗିତ କରି ନିଜେ ଆସିଥିବା ରାସ୍ତାକୁ ଦେଖାଇବାରୁ ସେହି ରାସ୍ତାରେ ତାକୁ କ୍ଲବର କର୍ମକର୍ତ୍ତା ନେଇଥିଲେ । ଦୀର୍ଘ ୧୦ କିଲୋମିଟର ପାର ହେଲା ପରେ ଟିମନପୁର ନିକଟରେ ସୌଭାଗ୍ୟ ବଶତଃ ତାର ପରିବାରକୁ ଭେଟ ହୋଇଥିଲା । ତାର ମା’ବାପା ଏକ ବୋଲେରୋ ଧରି ନିଜ ପୁଅକୁ ଖୋଜି ବୁଲୁଥିବା ପ୍ରକାଶ କରିଥିଲେ । ସେ ମା’ ବାପଙ୍କ ଏକ ମାତ୍ର ସନ୍ତାନ ବୋଲି ଜଣାପଡିଛି । ସେମାନେ ବୋଡେନ ବ୍ଲକ ଟେମରି ଗ୍ରାମର ବାସିନ୍ଦା ବୋଲି କହିଛନ୍ତି । ନିଜ ଏକ ମାତ୍ର ଭିନ୍ନକ୍ଷମ ପୁଅକୁ ନିଖୋଜ ହେବାର ଦୀର୍ଘ ସମୟ ପରେ ପାଖରେ ପାଇ ଖୁସି ହେବା ସହ ସିନାପାଲି ଉଦନ୍ତୀ ୟୁଥ କ୍ଲବର ସଭାପତି ସୁରଜ ମେହେରଙ୍କ ସମେତ ବୁଦ୍ଧଦେବ ମେହେର, ପ୍ରଭାତ ମେହେର, କାହ୍ନୁ ମେହେର, ରୂପେଶ ମେହେର ପ୍ରମୁଖଙ୍କୁ ପ୍ରଶଂସା କରିବା ସହିତ କୃତଜ୍ଞତା ଜଣାଇଛନ୍ତି । ଉଦନ୍ତୀ ୟୁଥ କ୍ଲବର ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.