ଉଡାନର ସ୍ୱାଗତ ସମାରୋହ – ୨୦୨୩ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ରୋଟାରୀ ଏଲିଟ୍‌ ତରଫରୁ ନବମ ଛାତ୍ରୀଙ୍କ “ଉଡାନ ସ୍ୱାଗତ ସମାରୋହ – ୨୦୨୩” ଅଗଷ୍ଟ ୧୭ତାରିଖ ଦିନ ଆୟୋଜନ ହୋଇଥିଲା । ଏହି ସଭାରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟଅତିଥି ଭାବରେ ଯୋଗଦେଇ ଛାତ୍ରୀଙ୍କୁ ପ୍ରଶ୍ନ ପଚାରିବାର ଆବଶ୍ୟକତା କେତେ ବୁଝାଇଥିଲେ । ସମାଜରେ ଉଡାନ ଏକ ସେତୁର କାର୍ଯ୍ୟକରୁଛି ବୋଲି କହିଥିଲେ । ଶିକ୍ଷକମାନେ ଛୁଆମାନଙ୍କୁ ପାଠ୍ୟକ୍ରମ ସରଳ କରି ବୁଝାଇବା ଆବଶ୍ୟକ ବୋଲି କହିଥିଲେ । ଅନ୍ୟତମ ଅତିଥି ପ୍ରଫେସର ମଧୁସୂଦନ ପତି ଉଡାନରେ ନିଜକୁ ନିୟୋଜିତ କରି ଶିକ୍ଷକ ଓ ଆୟୋଜକମାନେ ଉଡାନ ଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ସହିତ ନିଜର ମଧ୍ୟ ମଙ୍ଗଳ କରୁଛନ୍ତି । ଅତିଥି ଭାବରେ ଯୋଗଦେଇ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନବୀନ ନାୟକ ଓ ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ଉଡାନର ଏହି ପ୍ରାୟସକୁ ପ୍ରଶଂସା କରିଥିଲେ । ଉଡାନର ପୂର୍ବତନ ଛାତ୍ରୀ ତୁଳସୀରାଣୀ ସାହୁ, ସୁନିତାରାଣୀ ଷଡ଼ଙ୍ଗୀ ଓ ଦଶମ ଶ୍ରେଣୀର ଛାତ୍ରୀ ମୋନାଲିସା ପରିଡା ଉଡାନର ନୂତନ ବ୍ୟାଚର ଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ଏହାର ଶୃଙ୍ଖଳା ମାନି ନିଜର ଭବିଷ୍ୟତ ନିର୍ମାଣ କରିବାକୁ କହିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଉଡାନ ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ସମସ୍ତ ୪୦ ଜଣ ନବମ ଶ୍ରେଣୀର ଉଡାନ ଛାତ୍ରୀଙ୍କୁ ନୂତନ ବ୍ୟାଗ ପ୍ରଦାନ କରି ଉଡାନକୁ ସ୍ୱାଗତ କରିଥିଲେ । ଏହି ବର୍ଷ ଉଡାନରେ ସରକାରୀ ବାଳିକା ବିଦ୍ୟାଳୟ, ଟାଉନ ବାଳିକା ବିଦ୍ୟାଳୟ, ଠିକାଦାରପଡା ବାଳିକା ବିଦ୍ୟାଳୟ ଓ ନବଜୀବନ ବିଦ୍ୟାପୀଠର ଛାତ୍ରୀଙ୍କୁ ସାମିଲ କରାହୋଇଛି । ଏଲିଟର ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ନନ୍ଦ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ଏଲିଟର ସମ୍ପାଦିକା ଦୀପିକା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!